ଓଡିଶା ସିଭିଲ୍ ସୋସାଇଟି ନେତୃତ୍ୱଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ଭିଡିଓ କନଫରେନ୍ସିଂ
– ପ୍ରବାସୀ ଓଡିଆଙ୍କ ପାଇଁ ରାଜ୍ୟ ଭିତରେ ସ୍ଥାୟୀ କର୍ମ ନିଯୁକ୍ତି ଓଡିଶାର ଅର୍ଥନୀତିକୁ ସୁଦୃଢ କରିବ
– ମାନ ଅଭିମାନ ଭୁଲି ସମାଜର ସେବା କରିବାକୁ ଆହ୍ୱାନ
– ୧୯୧୮ ସ୍ପାନିଶ ଫ୍ଲୁ ସମୟରେ ଅର୍ଥନୀତି ଅପେକ୍ଷା ଲୋକଙ୍କ ଜୀବନକୁ ପ୍ରଧାନ୍ୟ ଦେଇଥିବା ଦେଶର ଅର୍ଥନୀତି ପରବର୍ତ୍ତୀ ସମୟରେ ଦୃଢ ହୋଇଥିଲା
ନୂଆଦିଲ୍ଲୀ/ଭୁବନେଶ୍ୱର, ମେ ୦୨ (ଓଡ଼ିଆ ପୁଅ) – ଓଡିଶାର ପମୁଖ ସିଭିଲ୍ ସୋସାଇଟି ନେତୃତ୍ୱଙ୍କ ସହ କରୋନା ସମୟରେ ରାଜ୍ୟରେ ପରିସ୍ଥିତି, ଏହାର ତ୍ୱରିତ ମୁକାବିଲା ଓ ଲମ୍ବା ସମୟ ବିକାଶ ଯୋଜନା ଉପରେ ଶନିବାର ଭିଡିଓ କନଫରେନ୍ସିଂ ଯୋଗେ ବିସ୍ତୃତ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜ୍ୟରେ କରୋନା ଆହ୍ୱାନକୁ ସମ୍ଭାବନାର ରୂପ ଦେବାକୁ ସେ ସିଭିଲ ସୋସାଇଟିର ନେତୃବୃନ୍ଦଙ୍କୁ ଆହ୍ୱାନ କରିଛନ୍ତି।
ଏହି ଆଲୋଚନାରେ ସିଭିଲ୍ ସୋସାଇଟିର ପ୍ରମୁଖ ବ୍ୟକ୍ତିଗଣ କରୋନା ସମୟରେ ପ୍ରବାସୀ ଓଡିଆ ଭାଇ ଭଉଣୀଙ୍କ ଫେରିବା, ସେମାନଙ୍କ ଫେରିବା ପରେ ସଙ୍ଗରୋଧ ଓ ଜୀବିକା ପ୍ରସଙ୍ଗ ଉଠାଇଥିଲେ। ମନରେଗା ନିୟମରେ ସୁଧାର, ଚାଷ ସମସ୍ୟା, କୃଷି ଉତ୍ପାଦର ବିପଣନ, ପିଡିଏସରେ ବଂଚୁଥିବା ଲୋକଙ୍କ ସମସ୍ୟା, ସଙ୍ଗରୋଧରେ ମହିଳାଙ୍କ ପାଇଁ ସୁବିଧା, ସାମୁଦ୍ରିକ ମତ୍ସ୍ୟଜୀବୀଙ୍କ ସମସ୍ୟା, ଜଙ୍ଗଲଜାତ ଦ୍ରବ୍ୟ ବିପଣନ ଆଦି ସମସ୍ୟା ଉପରେ ସିଭିଲ୍ ସୋସାଇଟିର ନେତୃବୃନ୍ଦ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଏହାର ସମ୍ଭାବ୍ୟ ସମାଧାନ ଉପରେ ଆଲୋକପାତ କରିଥିଲୋ
ସିଭିଲ୍ ସୋସାଇଟିର ସଦସ୍ୟଙ୍କ ମତ ମନ୍ତବ୍ୟ ଶୁଣିବା ସହ କରୋନାର ତତକାଳୀନ ମୁକାବିଲା ସହ ଏହି ଆହ୍ୱାନକୁ କିପରି ଓଡିଶା ପାଇଁ ଏକ ବଡ ସୁଯୋଗରେ ପରିଣତ କରାଯାଇପାରିବ ଏଥିପାଇଁ ସମସ୍ତେ ମିଳିମିଶି କାମ କରିବାକୁ ଆହ୍ୱାନ ଜଣାଇଥିଲେ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ସହ ସେ ଗୁଜୁରାଟ, ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶ ଆଦି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରବାସୀ ଓଡିଆଙ୍କୁ ଫେରାଇ ଆଣିବା ପାଇଁ କଥା ହୋଇଛନ୍ତି। ଏହି ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଏ ଦିଗରେ ସମସ୍ତ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।
ସେ କହିଛନ୍ତି ଯେ ଯଦି ପ୍ରବାସୀ ଓଡିଆଙ୍କ ପାଇଁ ରାଜ୍ୟ ଭିତରେ ସ୍ଥାୟୀ କର୍ମ ନିଯୁକ୍ତିର ସୁଯୋଗ ତିଆରି କରାଯିବ ତେବେ ଏହା ଓଡିଶାର ଅର୍ଥନୀତିକୁ ସୁଦୃଢ କରିବ।
କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରରେ ଜଣେ ଝିଅ ଲାପଟପ୍ ଧରି ବ୍ୟାଙ୍କ୍ ମିତ୍ର ଭାବରେ ଲୋକମାନଙ୍କୁ ଟଙ୍କା ବ୍ୟାଙ୍କ୍ ଖାତାରୁ ଉଠାଇବାର ଚିତ୍ର ସାମାଜିକ ଗଣମାଧ୍ୟମରେ ଦେଖିଥିଲେ। ବ୍ୟାଙ୍କ୍ ମିତ୍ର ବ୍ୟବସ୍ଥାକୁ ଦୃଢ କରିବା ପାଇଁ ମଧ୍ୟ ଉଦ୍ୟମ ହେବ ବୋଲି ଶ୍ରୀ ପ୍ରଧାନ କହିଥିଲେ। ଡିବିଟି ଦ୍ୱାରା ମଧ୍ୟସ୍ଥି ବ୍ୟବସ୍ଥା ନରହିଲେ ସାଧାରଣ ଲୋକ ଠକାମୀର ଶୀକାର ହେବେ ନାହିଁ ବୋଲି ସେ କହିଥିଲେ।
କରୋନାକୁ ସାମାଜିକ ଅପବାଦ ବନାଇ ନ ଦେବା ପାଇଁ ସିଭିଲ ସୋସାଇଟି ସମାଜକୁ ବୁଝାଇବାର କାମ କରୁ ବୋଲି ଆହ୍ୱାନ କରିବା ସହ ଚାଷୀର ପ୍ରାଥମିକତା ଧାନ ଚାଷରୁ ହଟାଇ ଅର୍ଥକାରୀ ଫସଲ ଆଡକୁ ନେବା ଉପରେ ଗୁରୁତ୍ୱ ଦେଇଥିଲେ।
ସେ କହିଥିଲେ ଯେ ୧୯୧୮ ମସିହା ସ୍ପାନିଶ ଫ୍ଲୁ ସମୟରେ ଯେଉଁଦେଶ ଅର୍ଥନୀତିକୁ ଧ୍ୟାନ ନଦେଇ ଲୋକଙ୍କ ଜୀବନ ରଖିବାକୁ ପ୍ରଧାନ୍ୟ ଦେଇଥିଲେ ପରବର୍ତ୍ତୀ ସମୟରେ ସେ ଦେଶର ଅର୍ଥନୀତି ଦୃଢ ହୋଇଥିଲା। କରୋନା ସମୟରେ ଆମେରିକା ଓ ଭାରତର ପ୍ରାଥମିକତାକୁ ଚର୍ଚ୍ଚା କରିବା ସହ ଲୋକଙ୍କ ଜୀବନ ବଂଚାଇବା ସରକାରଙ୍କର ପ୍ରାଥମିକତା ବୋଲି ସେ କହିଥିଲେ।
ସିଭିଲ୍ ସୋସାଇଟି ମାନ ଅଭିମାନ, କିଏ ଡାକିଲା କିଏ ନଡାକିଲା ଏହାର ଉର୍ଦ୍ଧ୍ୱକୁ ଯାଇ ସାମାଜର ସେବା କରିବାକୁ ଆହ୍ୱାନ କରିଥିଲେ ଶ୍ରୀ ପ୍ରଧାନ।
ଏହି ଭିଡିଓ କନଫରେନ୍ସଂରେ ସମାଜସେବୀ ଜଦତାନନ୍ଦ ସଂଯୋଜନା କରିଥିବା ବେଳେ ପଦ୍ମଶ୍ରୀ ପ୍ରଫେସର ରାଧାମୋହନ, ଡା. ଭଗବାନ ପ୍ରକାଶ, ଜଗଦିଶ ପ୍ରଧାନ, ଉମି ଡାନିଏଲ୍, ମାନସ ମିଶ୍ର, କୈଳାଶ ଦଣ୍ଡପାଟ, ଅମିୟ ବିଶ୍ୱାଳ, ଆଦିତ୍ୟ ପଟ୍ଟନାୟକ, ବିଦ୍ୟୁତ ମହାନ୍ତି, ପ୍ରଦୀପ୍ତ ମହାପାତ୍ର, ସ୍ନେହା ମିଶ୍ର, ବିଶାଖା ଭଞ୍ଜ, ମଙ୍ଗରାଜ ପଣ୍ଡା, ବସନ୍ତ ନାୟକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
ଏହାବ୍ୟତିତ ଅଜିତ୍ କୁମାର ପଣ୍ଡା, ଲୋକନାଥ ମିଶ୍ର, ବିଭୁ ପ୍ରସାଦ ସାହୁ, ମଧୁସୂଦନ ଦାସ, ମମତା ପ୍ରଧାନ, ମାନସ ମିଶ୍ର, ପ୍ରଶାନ୍ତ ନାୟକ, ନିତ୍ୟାନନ୍ଦ ପ୍ରଧାନ, ଗୌରୀଶଙ୍କର ପଣ୍ଡା, ସାବରମତୀ, ଦୁସ୍କର ବାରିକ, ଅନଙ୍ଗ ନେଗୀ, ନିରୁପମା ମହାନ୍ତି ଓ ପ୍ରମିଳା ସ୍ୱାଇଁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।