ଜଗତସିଂହପୁର ୨୨/୧ (ଓଡ଼ିଆ ପୁଅ/ନୃସିଂହ ଚରଣ ବାରିକ୍) – ତିର୍ତ୍ତୋଲ ବ୍ଲକ ମଣିଜଙ୍ଗା ପଞ୍ଚାୟତ ଜଳସମ୍ପଦ ବିଭାଗ ଡ଼ାକବଙ୍ଗଳା ପରିସରରେ ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ହୋଇଯାଇଛି। ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସଭାପତିତ୍ୱ କରିଥିବାବେଳେ ମୁଖ୍ୟଅତିଥି ଜିଲ୍ଲାପରିଷଦ ଅଧ୍ୟକ୍ଷା ପ୍ରିୟ ଦର୍ଶିନୀ ବିଶ୍ୱାଳ, ସମ୍ମାନନୀତ ଅତିଥି ତିର୍ତ୍ତୋଲ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଜାତା ମହାନ୍ତି, ଏରସମା ବ୍ଲକ ଅଧ୍ୟକ୍ଷ ପ୍ରଣବ ସ୍ୱାଇଁ, ଜଗତସିଂହପୁର ନିର୍ବାହୀ ଯନ୍ତ୍ରୀ ଉମାକାନ୍ତ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ। ମହାନଦୀ ସାଉଥ ଡ଼ିଭିଜନ ସହକାରୀ ଯନ୍ତ୍ରୀ ଇଂ ଦେବୀ ପ୍ରସାଦ ନନ୍ଦ ସ୍ୱାଗତ ଭାଷଣ ଓ ଅତିଥି ପରିଚାୟ ପ୍ରଦାନ କରିଥିଲେ।
ଏହି ଉପଲକ୍ଷେ ବିଦ୍ୟାଳୟସ୍ତରୀୟ ବକୃତା ପ୍ରତିଯୋଗିତା ଓ ଶ୍ରେଷ୍ଠ ପାଣି ପଞ୍ଚାୟତକୁ ପୁରସ୍କୃତ କରାଯାଇଥିଲା। ଜିଲ୍ଲାର ବିଭିନ୍ନ ପାଣି ପଞ୍ଚାୟତର କାର୍ଯ୍ୟକର୍ତ୍ତାମାନେ ଅଂଶ ଗ୍ରହଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମଣିଜଙ୍ଗା ସହକାରୀ ଯନ୍ତ୍ରୀ ଚିନ୍ମୟ ମହାନ୍ତି, କନିଷ୍ଠ ଯନ୍ତ୍ରୀ କୌଳାଶ ଚନ୍ଦ୍ର ବେହେରା, ଦେବେନ୍ଦ୍ର କୁମାର ଜେନା, ଗଗନ ଖଣ୍ଡୁଆଳ ପ୍ରମୁଖ ପରିଚାଳନା କରିଥିବାବେଳେ ଅମରଜ୍ୟୋତି ସାହୁ ମଞ୍ଚ ସଂଯୋଜନା କରିଥିଲେ। ଏହି ଅବସରରେ ଜଗତସିଂହପୁର ଜିଲ୍ଲାପାଳ ଶ୍ରୀଯୁକ୍ତ ମହାପାତ୍ର, ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତି ବିଶ୍ୱାଳ, ତିର୍ତ୍ତୋଲ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତି ମହାନ୍ତି ପ୍ରମୁଖ ଯୋଗଦେଇ ସରକାରୀ ଷ୍ଟଲମାନଙ୍କୁ ଫିତା କାଟି ଉଦଘାଟନ କରିଥିଲେ। ଆଜିର ପାଣିପଞ୍ଚାୟତ ପକ୍ଷ ପାଳନରେ ଜଗତସିଂହପୁର ସାଂସଦ ଡ଼, ରାଜଶ୍ରୀ ମଲ୍ଲିକ, ଜଳସମ୍ପଦ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ, ପାରାଦ୍ୱିପ ବିଧାୟକ ସମ୍ବିତ ରାଉତରାୟ, ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସ, ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି ଯୋଗଦେଇନଥିବା ଦେଖିବାକୁ ମିଳିଥିଲା।