Home ଓଡ଼ିଶା ଫାଶୀ ଦିବସରେ ଜଗ୍ଗୁ ଦେୱାନ ଓରଫ ଜଗବନ୍ଧୁ ପଟ୍ଟନାୟକଙ୍କୁ ଚକ୍ରଧରପୁରରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ସମ୍ବଲପୁରର ପ୍ରତିନିଧି...

ଫାଶୀ ଦିବସରେ ଜଗ୍ଗୁ ଦେୱାନ ଓରଫ ଜଗବନ୍ଧୁ ପଟ୍ଟନାୟକଙ୍କୁ ଚକ୍ରଧରପୁରରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ସମ୍ବଲପୁରର ପ୍ରତିନିଧି ଦଳ

150

ସମ୍ବଲପୁର, ୧୯/୧୧ – (ଓଡ଼ିଆ ପୁଅ) ଐତିହାସିକ ତଥା ସାମ୍ବାଦିକ ଦୀପକ କୁମାର ପଣ୍ଡାଙ୍କ ନେତୃତ୍ୱରେ ସମ୍ବଲପୁରର ବିଭିନ୍ନ ସଂଗଠନର ଏକ ୫ ଜଣିଆ ପ୍ରତିନିଧି ଦଳ ଆଜି ଝାଡ଼ଖଣ୍ଡ ରାଜ୍ୟର ଚକ୍ରଧରପୁର ଠାରେ ଜଗବନ୍ଧୁ ପଟ୍ଟନାୟକ ଓରଫ ଜଗ୍ଗୁ ଦେୱାନଙ୍କୁ ତାଙ୍କ ଫାଶୀ ଦିବସରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସମ୍ବଲପୁରର ମୂଳନିବାସୀ ଜଗବନ୍ଧୁ ପଟ୍ଟନାୟକ ପୋଡ଼ାହାଟ ରାଜ୍ୟର ଦେୱାନ ଥିଲେ ତଥା ବ୍ରିଟିଶ ବିରୁଦ୍ଧରେ ଯୁଦ୍ଧ ହେତୁ ୧୮୫୭ ନଭେମ୍ବର ୧୯ ତାରିଖରେ ଫାଶୀ ପାଇଥିଲେ। ଜ୍ୟୋତିର ଡ. ପରେଶ ଚନ୍ଦ୍ର ଦାନୀ, ବରିଷ୍ଠ ନାଗରିକ ସମାଜର କୈଳାସ ମିସ୍ତ୍ରୀ, କାୟସ୍ଥ ମହାସଭାର ଅଖିଳ ପଟ୍ଟନାୟକ, ଚିତ୍ରଗୁପ୍ତ କଲ୍ୟାଣ ସଂଘର ବିବେକାନନ୍ଦ ମହାନ୍ତି ପ୍ରମୁଖ ଚକ୍ରଧରପୁର ପୁରୁଣା ରାଜବାଟୀ ସମ୍ମୁଖରେ ସ୍ଥିିତ ଜଗ୍ଗୁ ଦେୱାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଝାଡ଼ଖଣ୍ଡ ରାଜ୍ୟ ଅଳ୍ପସଂଖ୍ୟକ ଆୟୋଗର ଉପାଧ୍ୟକ୍ଷ ଅଶୋକ ଷଡ଼ଙ୍ଗୀ, ଜବାହାରଲାଲ ନେହେରୁ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ନାଗେଶ୍ୱର ପ୍ରଧାନ, କେଦାର ନାଥ ପ୍ରଧାନ, ପୂର୍ଣ୍ଣେନ୍ଦୁ କୁମାର ନନ୍ଦ, ସରୋଜ କୁମାର ପ୍ରଧାନ, କଲେଜର ଛାତ୍ରୀଗଣ ଏବଂ ଅନ୍ୟମାନେ ମଧ୍ୟ ଯୋଗ ଦେଇଥିଲେ। ସମ୍ବଲପୁରର ପ୍ରତିନିଧି ଦଳ ଚକ୍ରଧରପୁର ଠାରୁ ପ୍ରାୟ ୮ କିଲୋମିଟର ଦୂରରେ ଥିବା କେରା ଗାଁରେ ସ୍ଥିତ ଜଗ୍ଗୁ ଦେୱାନଙ୍କ ପ୍ରତିମୂର୍ତ୍ତିରେ ମଧ୍ୟ ମାଲ୍ୟାର୍ପଣ କରିଥିଲେ। ଏଠାରେ ଅଧ୍ୟାପକ ତଥା ସମାଜସେବୀ କାମାକ୍ଷା ସାହୁ ଓ ଅନ୍ୟମାନେ ଯୋଗ ଦେଇଥିଲେ।

ଜଗବନ୍ଧୁ ପଟ୍ଟନାୟକ ପୋଡ଼ାହାଟ ରାଜ୍ୟର ରାଜା ଅଚ୍ୟୁତ ସିଂହ ଓ ତାଙ୍କ ଅନ୍ତେ ତାଙ୍କ ପୁତ୍ର ଅର୍ଜୁନ ସିଂହଙ୍କ ସମୟରେ ଦେୱାନ ଥିଲେ। ୧୮୩୧ରେ ବ୍ରିଟିଶ ବିରୁଦ୍ଧରେ ଆରମ୍ଭ ହୋଇଥିବା ମୁଣ୍ଡା ଓ କୋହ୍ଲ ଆନ୍ଦୋଳନକୁ ଜଗବନ୍ଧୁ ପ୍ରୋତ୍ସାହନ ଦେଇଥିଲେ। ୧୮୫୭ ସିପାହୀ ବିଦ୍ରୋହ ସମୟରେ ଚାଇଁବାସାରେ ହାଜର ହୋଇ ବ୍ରିଟିଶ ପ୍ରତି ନିଜର ଆନୁଗତ୍ୟ ପ୍ରକାଶ ପାଇଁ ପୋଡ଼ାହାଟ ରାଜା ଅର୍ଜୁନ ସିଂହଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ମାତ୍ର ରାଜା ନିଜେ ନ ଯାଇ ଲୋକ ପଠାଇବାରେ ପ୍ରିନ୍ସିପାଲ ଆସିଷ୍ଟାଣ୍ଟ କମିଶନର ଲେଫ୍ଟେନାଣ୍ଟ ବିର୍ଚ୍ଚ ଏହାକୁ ଅବାଧ୍ୟତାର ଚରମସୀମା ରୂପେ ବିବେଚନା କରି ୧୮୫୭ ସେପ୍ଟେମ୍ବର ୨୩ ତାରିଖରେ ପୋଡ଼ାହାଟ ଷ୍ଟେଟକୁ ବ୍ୟାଜାପ୍ତ ଓ ରାଜାଙ୍କୁ ପଳାତକ ଘୋଷଣା କରି ତାଙ୍କୁ ଧରାଇଦେଲେ ହଜାରେ ଟଙ୍କା ପୁରସ୍କାର ଘୋଷଣା କଲେ। ଅର୍ଜୁନ ସିଂହ ବ୍ୟତିବ୍ୟସ୍ତ ହୋଇ ଅକ୍ଟୋବର ୧୧ ତାରିଖରେ ରାଞ୍ଚିରେ ପହଞ୍ଚି ସ୍ଥାନୀୟ ବ୍ରିଟିଶ ଅଧିକାରୀ ଡେଭିସଙ୍କୁ ଦେଖାକଲେ। ତଥାପି ରାଜାଙ୍କୁ ଅର୍ଥ ଜରିମାନା ଦେବାକୁ କୁହାଗଲା। ଅର୍ଥ ଜରିମାନା ଦିଆଯିବା ପରେ ମଧ୍ୟ ରାଜାଙ୍କୁ ଚାଇଁବାସା ଯାଇ ବିର୍ଚ୍ଚଙ୍କ ପାଖରେ ହାଜର ହୋଇ ବିଚାର ପ୍ରକ୍ରିୟାର ସମ୍ମୁଖୀନ ହେବାକୁ କୁହାଗଲା। ଅତ୍ୟଧିକ ଅପମାନର ପ୍ରତିବାଦ କରି ରାଜା ଚାଇଁବାସା ଯିବେନାହିଁ ବୋଲି ଜଗ୍ଗୁ ଦେୱାନ ଘୋଷଣା କଲେ। ବିର୍ଚ୍ଚ କ୍ରୋଧିତ ହୋଇ ଚକ୍ରଧରପୁର ଆକ୍ରମଣ କରି ଏହାକୁ ବ୍ରିଟିଶ ଦଖଲକୁ ନେବା ପରେ ପୋଡ଼ାହାଟରେ ବିଧ୍ୱଂସ ଘଟାଇ ରାଜାଙ୍କୁ ଖୋଜିଲେ। ଜଗ୍ଗୁ ଦେୱାନ ରାଜାଙ୍କ ସେନା ଘେନି ଚକ୍ରଧରପୁର ଆକ୍ରମଣ କରି ବ୍ରିଟିଶ ଅଧିକାରୀମାନଙ୍କୁ ତଡ଼ିଦେଲେ। ତେବେ ସରେଇକେଲା ଓ କେନ୍ଦୁଝର ରାଜାଙ୍କ ଠାରୁ ସୈନ୍ୟ ସାହାଯ୍ୟ ନେଇ ବିର୍ଚ୍ଚ ପୁନର୍ବାର ଚକ୍ରଧରପୁର ଆକ୍ରମଣ କରି ଜଗବନ୍ଧୁଙ୍କୁ ଗିରଫ କଲେ ତଥା ୧୮୫୭ ନଭେମ୍ବର ୧୯ ତାରିଖ ପୂର୍ବାହ୍ନ ୯ଟା ସମୟରେ ପାଶୀ ଦେଲେ। ଜଗବନ୍ଧୁ ସମ୍ବଲପୁରର ସୁପରିଚିତ ବ୍ୟକ୍ତିତ୍ୱ, ସମ୍ବଲପୁର ଭାଷା ଆନ୍ଦୋଳନର ପଞ୍ଚଶଖା ମଧ୍ୟରୁ ଅନ୍ୟତମ ବ୍ରଜମୋହନ ପଟ୍ଟନାୟକଙ୍କ ପିତାମହ ଏବଂ ବାଳମୁକୁନ୍ଦ ପଟ୍ଟନାୟକଙ୍କ ପିତା ଅଟନ୍ତି। ତେବେ ଜଗ୍ଗୁ ଦେୱାନ ସମ୍ବଲପୁରର ମୂଳନିବାସୀ ଜଗବନ୍ଧୁ ପଟ୍ଟନାୟକ ବୋଲି ବହୁପୂର୍ବରୁ ଲେଖାଲେଖି ହୋଇଥିଲେ ମଧ୍ୟ ଚକ୍ରଧରପୁର ଅଞ୍ଚଳରେ ପ୍ରଚାରର ଅଭାବ ହେତୁ ଜଗମୋହନ ସାହୁ ଭାବରେ ତାଙ୍କର ଭିନ୍ନ ଏକ ପରିଚୟ ଏବଂ ଅନ୍ୟ କିଛି ତଥ୍ୟ ବିଭିନ୍ନ ମହଲରେ ପ୍ରଚାରିତ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.