ନୟାଗଡ଼, ୩ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୂଆଗାଁ ବ୍ଳକ ଅନ୍ତର୍ଗତ ମାଳିସାହି ଗତୀକେଶ ନୋଡାଲ ଉଚ୍ଚ ବିଦ୍ୟାଳୟର ୫୦ବର୍ଷ ପୂର୍ତ୍ତୀ ଉପଲକ୍ଷେ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ -୨୦୧୯ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ ସମାଜସେବୀ ବିଶ୍ୱନାଥ ମହାପାତ୍ର, ଅବସରପ୍ରାପ୍ତ ଶିକ୍ଷକ ପ୍ରଧାନୀ ବୃନ୍ଦାବନୀ ମହାପାତ୍ର, ଶିକ୍ଷାକର୍ମୀ ବିଚ୍ଛେଦ ମହାପାତ୍ର, ପ୍ରଧାନଶିକ୍ଷକ ବିମଳ କୁମାର ପଟ୍ଟନାୟକ, ଶିକ୍ଷକ ହୃଷିକେଶ ଦାଶ, ସ୍ଥାନୀୟ ସରପଂଚ ପର୍ଶୁରାମ ସ୍ୱାଇଁ ଓ ପ୍ରକ୍ତନ ଛାତ୍ରମାନେ ଉପସ୍ଥିତ ଥିଲେ। ଏହି ଉତ୍ସବ ଚଳିତବର୍ଷ ଡିସେମ୍ବର ୨୧ ଓ ୨୨ ତାରିଖ ଦୁଇଦିନ ଧରି ମହାସମାରୋହରେ ପାଳନ ହେବାକୁ ସ୍ଥିର ହୋଇଥିଲାବେଳେ ଏଥିପାଇଁ ଅତିଥି ନିମନ୍ତ୍ରଣ ଠାରୁ ଆରମ୍ଭ କରି ବିଭିନ୍ନ ବିଭାଗର କମିଟି ଗଠନ ଉପରେ ଆଲୋଚନା କରାଯାଇଥିଲା। ପୂର୍ବତନ ଛାତ୍ରଛାତ୍ରୀମାନଙ୍କ ସହ ଯୋଗାଯୋଗ କରାଯାଇ ସେମାନଙ୍କ ଅଧିକ ଉପସ୍ଥିତି ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ସୁବର୍ଣ୍ଣ ଜୟନ୍ତୀ ପାଳନ ପରିପ୍ରେକ୍ଷିରେ ଏକ ସ୍ମରଣିକା ପ୍ରକାଶ ପାଇଁ ନିଷ୍ପତି ନିଆଯାଇଥିଲାବେଳେ ଆସନ୍ତା ନଭେମ୍ବର ୩୦ ତାରିଖ ସୁଦ୍ଧା ସ୍ମରଣିକାରେ ପ୍ରକାଶନ ପାଇଁ ଲେଖା ପଠାଇବାକୁ ଅନୁରୋଧ କରାଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମ ମୁଖ୍ୟଭାବେ ଶିକ୍ଷାକର୍ମୀ ବିଚ୍ଛେଦ ମହାପାତ୍ରଙ୍କୁ ମନୋନୀତ କରାଯାଇଥିଲା। ସ୍ଥାନୀୟ ଲୋକନୃତ୍ୟ ସହ ବାହାର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ ଉପରେ ମତ ପ୍ରକାଶ ପାଇଥିଲା।