Home ଓଡ଼ିଶା ଭଗବତୀ ଚରଣ ପାଣିଗ୍ରାହୀ ସ୍ମୃତି ସମାରୋହ : ସାମ୍ପ୍ରଦାୟିକ ଫାସିଷ୍ଟ ଶକ୍ତିଙ୍କ ବିରୋଧରେ ସମସ୍ତ ଶକ୍ତି...

ଭଗବତୀ ଚରଣ ପାଣିଗ୍ରାହୀ ସ୍ମୃତି ସମାରୋହ : ସାମ୍ପ୍ରଦାୟିକ ଫାସିଷ୍ଟ ଶକ୍ତିଙ୍କ ବିରୋଧରେ ସମସ୍ତ ଶକ୍ତି ଐକ୍ୟବଦ୍ଧ ହୁଅ

167

ଭୁବନେଶ୍ୱର, ୨୫ା୧୦– (ଓଡ଼ିଆ ପୁଅ) ଓଡ଼ିଶାରେ କମ୍ୟୁନିଷ୍ଟ ପାର୍ଟିର ପ୍ରତିଷ୍ଠାତା ସମ୍ପାଦକ ତଥା ଓଡ଼ିଆ ସାହିତ୍ୟରେ ମାର୍କ୍ସବାଦୀ ଚିନ୍ତାଧାରାର ଆଦ୍ୟ ପ୍ରବର୍ତ୍ତକ ବିପ୍ଳବୀ ଭଗବତୀ ଚରଣ ପାଣିଗ୍ରାହୀଙ୍କ ୭୬ ତମ ରାଜ୍ୟସ୍ତରୀୟ ସ୍ମୃତି ସମାରୋହ ବୁଧବାରଦିନ ସନ୍ଧ୍ୟାରେ ସିପିଆଇର ରାଜ୍ୟ ଦପ୍ତର ଭଗବତୀ ଭବନ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି।

ବିଶିଷ୍ଟ ଶ୍ରମିକ ନେତା ଡ. ସୌରୀବଂଧୁ କରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହରେ ସିପିଆଇର ରାଜ୍ୟ ସମ୍ପାଦକ ଆଶିଷ କାନୁନ୍ଗୋ, ସିପିଆଇ(ଏମ୍)ର ରାଜ୍ୟ ସମ୍ପାଦକ ଅଳିକିଶୋର ପଟ୍ଟନାୟକ ଓ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବିଧାୟକ ଶଶୀଭୂଷଣ ବେହେରା ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସଙ୍ଗେ ସଙ୍ଗେ ବିଜେପି ଓ ସଂଘ ପରିବାର କବଳରୁ ଦେଶର ସଂସଦୀୟ ଗଣତନ୍ତ୍ର, ଧର୍ମ ନିରପେକ୍ଷତା ଓ ସମ୍ବିଧାନକୁ ରକ୍ଷା କରିବା ପାଇଁ ସମସ୍ତ ଧର୍ମ ନିରପେକ୍ଷ, ଗଣତାନ୍ତ୍ରିକ, ପ୍ରଗତିଶୀଳ ଓ ବାମପନ୍ଥୀ ଶକ୍ତି ଐକ୍ୟବଦ୍ଧ ହୋଇ ଧର୍ମ ନାଁରେ ଦେଶକୁ ଆଉଥରେ ଭାଗ ଭାଗ କରିବାକୁ ଚାହୁଁଥିବା ସାମ୍ପ୍ରଦାୟିକ ଫାସିଷ୍ଟ ଶକ୍ତିମାନଙ୍କୁ ପ୍ରତିହତ କରିବା ପାଇଁ ଆହ୍ୱାନ ଦେଇଥିଲେ।

ଏହି ସମାରୋହରେ ଶ୍ରୀଯୁକ୍ତ ଶଶୀ ବେହେରା ନୂଆଦୁନିଆର ବାର୍ଷିକ ସଂଖ୍ୟା ଭଗବତୀ ବିଶେଷାଙ୍କ-୨୦୧୯ ଉନ୍ମୋଚନ କରିଥିବାବେଳେ ସିପିଆଇ କେନ୍ଦ୍ର କାର୍ଯ୍ୟକାରୀ କମିଟି ସଭ୍ୟ ଦିବାକର ନାୟକ ଓ ରାମକୃଷ୍ଣ ପଣ୍ଡା ଶ୍ରଦ୍ଧା ନିବେଦନ କରି ଭଗବତୀ ଚରଣ ପାଣିଗ୍ରାହୀଙ୍କ ସାମ୍ୟବାଦୀ ଆଦର୍ଶ ଚିର ଅମ୍ଳାନ ଓ ଏହା ମାନବ ଜାତିର ଭବିଷ୍ୟତ ବୋଲି ମତ ପ୍ରକାଶ କରିଥିଲେ।

ସିପିଆଇର ରାଜ୍ୟ ସହ-ସମ୍ପାଦକ ଡ. ପ୍ରଶାନ୍ତ ମିଶ୍ର ସ୍ୱାଗତ ଭାଷଣ ଦେଇଥିବାବେଳେ ସହସମ୍ପାଦକ କ୍ଷୀରୋଦ ସିଂହଦେଓ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ନୂଆଦୁନିଆର ସମ୍ପାଦକ ରମେଶ ଚନ୍ଦ୍ର ପାଢ଼ୀ ପ୍ରସିଦ୍ଧ “କାହିଁରେ ମୋ ଭଗବତୀ” ଗଣ ସଂଗୀତ ଗାନ୍ କରିଥିଲେ। ଏହି ସ୍ମୃତି ସମାରୋହରେ ସର୍ବସାଥୀ କ୍ଷୀରୋଦ ସିଂହଦେଓ, ଅଭୟ ସାହୁ, ନାରାୟଣ ରେଡ଼ି ପ୍ରମୁଖ ସିପିଆଇ ରାଜ୍ୟ ସଂପାଦକମଣ୍ଡଳୀ ସଦସ୍ୟ ଓ ରାଜ୍ୟ କାର୍ଯ୍ୟକାରୀ କମିଟି ସଭ୍ୟ ବସନ୍ତ ପାଇକରାୟ, ଜୟନ୍ତ ଦାସ, ସୁରଜେନା ସିପିଆଇ(ଏମ୍)ର ଦୁଇ ରାଜ୍ୟ ନେତା ନିର୍ମଳ ନାୟକ ଓ ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ବିଶ୍ୱ ଶିକ୍ଷକ ମହାସଂଘର ସାଧାରଣ ସଂପାଦକ ଡ଼. ଅମିୟ କୁମାର ମହାନ୍ତି, ସାମାଜିିକ କର୍ମୀ ସତିଶ ମିଶ୍ର ପ୍ରମୁଖ ବହୁ ଶ୍ରମିକ, କର୍ମଚାରୀ, ଯୁବକ ଓ ଛାତ୍ର ନେତା ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.