ନୂଆ ଦିଲ୍ଲୀ ୨୫-୯ (ଓଡ଼ିଆ ପୁଅ) ଭାରତ, ଜାପାନ ଓ ଆମେରିକା ମଧ୍ୟରେ ତ୍ରିପାକ୍ଷିକ ମାଲାବାର ସାମୁଦ୍ରିକ ଅଭ୍ୟାସର ୨୩ତମ ସଂସ୍କରଣ ଜାପାନ ଉପକୂଳରେ ୨୦୧୯ ସେପ୍ଟେମ୍ବର ୨୬ରୁ ଅକ୍ଟୋବର ୪ ମଧ୍ୟରେ ଅନୁଷ୍ଠିତ ହେବ। ଏହି ଯୁଦ୍ଧାଭ୍ୟାସରେ ଭାଗନେବା ପାଇଁ କମାଣ୍ଡିଂ ଇଷ୍ଟର୍ଣ୍ଣ ଫ୍ଲିଟର ଫ୍ଲାଗ ଅଫିସର ରିଅର ଆଡମିରାଲ ସୁରଜ ବେରୀଙ୍କ ସହିତ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଦୁଇଟି ପ୍ରମୁଖ ଭାରତୀୟ ନୌଜାହାଜ-ବହୁବିଧ କ୍ଷେପଣାସ୍ତ୍ର ପ୍ରକ୍ଷେପଣ କ୍ଷମତା ବିଶିଷ୍ଟ ସହ୍ୟାଦ୍ରି ଏବଂ ଏଏସଡବ୍ଲୁ କର୍ଭେଟ କିଲଟନ ଆଜି ସାସେବୋରେ ପହଂଚିଛନ୍ତି। ଏହି ନୌଜାହାଜ ମାନଙ୍କ ସହ ପି୮ଆଇ ଦୂରଗାମୀ ସାମୁଦ୍ରିକ ପାଟ୍ରୋଲ ବାୟୁଯାନ ମଧ୍ୟ ଯୁଦ୍ଧାଭ୍ୟାସରେ ଭାଗନେବା ପାଇଁ ଜାପାନରେ ପହଂଚିଛି। ଆମେରିକୀୟ ନୌସେନାରେ ସାମିଲ ରହିଛି ୟୁଏସଏସ ମ୍ୟାକ କ୍ୟାମ୍ପବେଲ ବୁଡାଜାହାଜ ଏବଂ ପି୮ଏ ଦୂରଗାମୀ ସାମୁଦ୍ରିକ ପାଟ୍ରୋଲ ବାୟୁଯାନ। ଇଜୁମୋକ୍ଲାସ ହେଲିକପ୍ଟର ବିଧ୍ୱଂସକ ଜେଏସ କାଗା, କ୍ଷେପଣାସ୍ତ୍ର ବିଧ୍ୱଂସକ ଜେଏସ ସାମିଦାରେ ଓ ଚୌକାଇ ଏବଂ ପି୧ ଦୂରଗାମୀ ସାମୁଦ୍ରିକ ପାଟ୍ରୋଲ ବାୟୁଯାନ ମଧ୍ୟ ଯୁଦ୍ଧାଭ୍ୟାସରେ ଭାଗନେବ।
ମାଲାବାର ୨୦୧୯ ଦ୍ୱାରା ଭାରତ-ଜାପାନ ଓ ଆମେରିକା ମଧ୍ୟରେ ନୌସେନା କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇବା ସହିତ ଅନୁଭବ ଓ ଉପଲବ୍ଧିର ଆଦାନ ପ୍ରଦାନ କରାଯାଇପାରିବ। ଏହି ଯୁଦ୍ଧାଭ୍ୟାସରେ ସମୁଦ୍ର ଉପରେ, ଅଳ୍ପ ଗଭୀରତାରେ, ଅଧିକ ଗଭୀରତାରେ, ବୁଡାଜାହାଜ ନିରୋଧି ଯୁଦ୍ଧ, କ୍ଷେପଣାସ୍ତ୍ର ନିରୋଧି ଯୁଦ୍ଧ ଆଦି ରଣନୀତି ସମ୍ବନ୍ଧରେ ଅଭ୍ୟାସ କରାଯିବ। ଏଥି ସହିତ ଏହି ଅଭ୍ୟାସ କାଳରେ ଆନୁଷ୍ଠାନିକ ଗସ୍ତ, ବୃତିଗତ ଭାବ ବିନିମୟ, ବିଭିନ୍ନ ବିଷୟ ଉପରେ ବିଶେଷଜ୍ଞତାର ଆଦାନ ପ୍ରଦାନ, ପାରସ୍ପରିକ ଜାହାଜକୁ ଗସ୍ତ, କ୍ରୀଡ଼ା ଓ ସାମାଜିକ କାର୍ଯ୍ୟର ମଧ୍ୟ ଆୟୋଜନ କରାଯିବ।
ଏହି ଯୁଦ୍ଧାଭ୍ୟାସରେ ଭାରତୀୟ ନୌସେନାର ଜାହାଜ ଓ ବାୟୁଯାନ ଅଂଶଗ୍ରହଣ କରିବା ଫଳରେ ତିନି ଦେଶ ମଧ୍ୟରେ ସାମୁଦ୍ରିକ କ୍ଷେତ୍ରରେ ସହାୟତା ବୃଦ୍ଧି ପାଇବା ସହିତ ସଂପୃକ୍ତ ଅଂଚଳମାନଙ୍କରେ ସୁରକ୍ଷା ଓ ସ୍ଥାୟୀତ୍ୱ ବୃଦ୍ଧି ପାଇବ।