କୋରାପୁଟ ୨୩-୦୯ (ଓଡିଆ ପୁଅ/ରଂଜନ କୁମାର ଦାସ) ରବିବାର ରାତିରେ ଭୂବନେଶ୍ୱରରୁ ଦାମନଯୋଡି ଆସୁଥିବା ରିଲାଏନ୍ସ ବସର ଡ୍ରାଇଭର ଯୋଗୀ ସେଠି (୫୦) ହୃଦଘାତରେ ମୃତ୍ୟୁବରଣ କରିଛନ୍ତି । ସୂଚନା ଅନୁଯାୟୀ ଆନ୍ଧ୍ର ପ୍ରଦେଶର ଟେକିଲି ନିକଟରେ ବସ ଚଳାଉଥିବା ଯୋଗୀ ସେଠିଙ୍କର ଅଚାନକ ଛାତିରେ ଭୀଷଣ ଯନ୍ତ୍ରଣା ହୋଇଥିଲା । ଅସହ୍ୟ ଯନ୍ତ୍ରଣା ହେତୁ ସେ ଚଳନ୍ତା ବସକୁ ରାସ୍ତା କଡରେ ଛିଡା କରିଥିଲେ । ବସର କଣ୍ଡକ୍ଟର ଓ ଅନ୍ୟମାନେ ଯୋଗୀଙ୍କୁ ଟେକିଲି ହସ୍ପିଟାଲକୁ ନେଇଥିଲେ ମଧ୍ୟ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ । ମୃତ୍ୟୁ ପୂର୍ବରୁ ବସ ଅଟକି ଯାଇଥିବାରୁ ଅନେକ ଯାତ୍ରୀଙ୍କ ଜୀବନ ବଂଚି ଯାଇଥିଲା । ମୃତ ବସ ଡ୍ରାଇଭରଙ୍କର ନିଜ ଘର ଗଂଜାମ ଜିଲ୍ଲା ଭଂଜନଗର ଅଂଚଳରେ ବୋଲି ଜଣାପଡିଛି ।