Home ଓଡ଼ିଶା ଓଡିଶାର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ସରକାର ଗଠନରେ ନିର୍ଣ୍ଣାୟକ ଭୂମିକା ନିର୍ବାହ କରିବ – କଂଗ୍ରେସ

ଓଡିଶାର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ସରକାର ଗଠନରେ ନିର୍ଣ୍ଣାୟକ ଭୂମିକା ନିର୍ବାହ କରିବ – କଂଗ୍ରେସ

694

ଭୁବନେଶ୍ୱର ତା ୨୭.୪ – ୨୦୧୯ (ଓଡ଼ିଆ ପୁଅ) ନିର୍ବାଚନର ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ମତଦାନ ଆଉ ଦୁଇ ଦିନ ରହିଲା। ଏହି ପର୍ଯ୍ୟାୟରେ ଯେଉଁ ୪୧ଟି ବିଧାନସଭା ଏବଂ ୬ଟି ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ମତଦାନ ହେବାକୁ ଯାଉଛି ତାହା ଉପରେ ଏବେ ସମସ୍ତଙ୍କ ନଜର। ବିଜେଡି ଏବଂ ବିଜେପି ନିର୍ବାଚନୀ ସଭାମାନଙ୍କରେ ଘୋଷଣା କରିସାରିଲେଣି ଯେ ସେମାନେ ବିଧାନସଭାରେ ସଂଖ୍ୟା ଗରିଷ୍ଠତା ତଥା ଲୋକସଭାରେ ଆଶାନୁତିତ ସଫଳତା ପାଇ ସାରିଲେଣି। ଏହା ତାଙ୍କର ମତଦାନ କେନ୍ଦ୍ର କବ୍ଜା, ସରକାରୀ କଳର ବ୍ୟବହାର, ପଇସା ଏବଂ ବାହୁବଳ ବା ଭୋଟିଂ ମେସିନ୍ର କରାମତି କହିବା ଆମ ପକ୍ଷରେ ସମ୍ଭବ ନୁହେଁ। ଏହାର ବିଚାର କରିବା ଆପଣମାନଙ୍କ ଭଳି ଶିକ୍ଷିତ ତଥା ସଚେତନ ନାଗରିକମାନଙ୍କର କର୍ତବ୍ୟ।

ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ଉପସଭାପତି ତଥା ମୁଖପାତ୍ର ଯଜ୍ଞେଶ୍ୱର ବାବୁ ଏବଂ ମୁଖପାତ୍ର ଶ୍ରୀ ରଜନୀ କୁମାର ମହାନ୍ତି ରାଜ୍ୟବାସୀଙ୍କୁ ବିନମ୍ର ନିବେଦନ କରି କହିଛନ୍ତି ଯେ ତାଙ୍କର ଅମୂଲ୍ୟ ଭୋଟ ଆସନ୍ତା ଦିନରେ ରାଜ୍ୟରେ କଂଗ୍ରେସ ଏକ ଲୋକାଭିମୁଖୀ ସରକାର ଗଠନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ।

ଗତ ତିନି ପର୍ଯ୍ୟାୟ ନିର୍ବାଚନରେ ଏତେ ପ୍ରକାର ହିଂସା, ନିର୍ବାଚନୀ ନିୟମର ଉଲଘଂନ, ଲକ୍ଷ ଲକ୍ଷ ଟଙ୍କା ଜବତ, ଭୋଟ କେନ୍ଦ୍ର ଦଖଲ ଭଳି ଘଟଣାରେ ଦୁଇ ତଥାକଥିତ ଆଦର୍ଶ ରାଜନୈତିକ ଦଳ ବହୁଳ ଭାବରେ ସଂପୃକ୍ତ ଥିବାର ପ୍ରମାଣ ଆମେ ବିଭିନ୍ନ ଗଣମାଧ୍ୟମରେ ପ୍ରତ୍ୟେକ ଦିନ ଦେଖୁଛୁ। କଂଗ୍ରେସ ଦଳ ପାଇଁ ଏହା ଏକ ଗର୍ବର ବିଷୟ ଯେ କୌଣସି ଗୋଟିଏ ଘଟଣାରେ ଆମେ ସଂପୃକ୍ତ ନୋହୁଁ ଯଦିଓ ଅଧିକାଂଶ ଘଟଣାରେ କଂଗ୍ରେସ ଦଳର ପ୍ରାର୍ଥୀ, କର୍ମୀ, ସମର୍ଥକ ତଥା ଭୋଟର ଏହି ଗୁଣ୍ଡାଗିରିର ଶିକାର ହୋଇଛନ୍ତି। ଏ କଥା ଅତ୍ୟନ୍ତ ହାସ୍ୟାସ୍ପଦ ଯେ ନବୀନ ବାବୁ ଗତଥର ଲୋକସଭାରେ ୨୦ ଜଣ ପ୍ରତିନିଧି ପଠାଇ କିଛି କରିପାରି ନଥିବାର ଅସହାୟତା ପ୍ରକାଶ କରି ଏଥର ୨୧ ଜଣଙ୍କୁ ନିର୍ବାଚିତ କରି ଓଡିଶାର ହକ୍ ହାସଲ କରିବାକୁ ଦାବି କରୁଛନ୍ତି। ଅନ୍ୟପକ୍ଷରେ ମୋଦି ସରକାରର କ୍ଷମତାଶାଳୀ ମନ୍ତ୍ରୀ ନିଜକୁ ଏବେଠାରୁ ଓଡିଶାର ମୁଖ୍ୟମନ୍ତ୍ରୀ ରୂପରେ ଦେଖି ସାରିଲେଣି। କ୍ଷମତାରେ ଅନ୍ଧ ବ୍ୟକ୍ତି ଜଣକ ପ୍ରତିପକ୍ଷ ପ୍ରାର୍ଥୀଙ୍କ ବିରୋଧରେ ଦେଉଥିବା ଅଶାଳୀନ ମନ୍ତବ୍ୟ, ନିର୍ବାଚନ ଆଚରଣ ବିଧିର ଖୋଲା ଉଲଙ୍ଘନ ଏବଂ ନିର୍ବାଚନ ଦାୟିତ୍ୱରେ ଥିବା କର୍ମକର୍ତାମାନଙ୍କ ପ୍ରତି ଅଭଦ୍ରୋଚିତ ବ୍ୟବହାର କରି ଓଡିଆ ଜାତିର ସମ୍ମାନ କ୍ଷୁର୍ଣ୍ଣ କରୁଛନ୍ତି। ନିକଟରେ ହେଲିକ୍ୟାପ୍ଟର ଯାଂଚ ବେଳେ ନିର୍ବାଚନ କମିଶନର ପ୍ରତିନିଧିଙ୍କ ସହିତ ଯେଉଁଭଳି କଦର୍ଯ୍ୟ ବ୍ୟବହାର କରିଥିଲେ ତାହା ଅତ୍ୟନ୍ତ ନିନ୍ଦନୀୟ ଏବଂ ତାଙ୍କର ମର୍ଯ୍ୟାଦାହୀନତାକୁ ଦର୍ଶାଉଛି।

ଶେଷ ପର୍ଯ୍ୟାୟ ନିର୍ବାଚନର ଅବ୍ୟବହିତ ପୂର୍ବରୁ କଂଗ୍ରେସ ପୁନର୍ବାର ଆପଣମାନଙ୍କର ବିବେକ, ଅନୁଭୂତି ଏବଂ ସିଦ୍ଧାନ୍ତକୁ ପାଥେୟ କରି ଏହି ଦୁଇ ଦଳଙ୍କୁ ପରାହତ କରିବାର ବିଶ୍ୱାସ ରଖିଛି। କଂଗ୍ରେସ ଏହାର ଲୋକାଭିମୁଖୀ ପ୍ରତିଶ୍ରୁତି, ଶୃଙ୍ଖଳିତ ନିର୍ବାଚନ ପ୍ରଚାର ତଥା ପ୍ରାର୍ଥୀମାନଙ୍କର ସ୍ୱଚ୍ଛ ଭାବମୂର୍ତି ମାଧ୍ୟମରେ ଆପଣମାନଙ୍କର ଆଶୀର୍ବାଦ କାମନା କରୁଛି। ଆପଣଙ୍କର ନିର୍ଣ୍ଣାୟକ ଭୋଟ ଓଡିଶାର ପରିସ୍ଥିତି ପରିବର୍ତ୍ତନ ତଥା ଭବିଷ୍ୟତ ନିର୍ମାଣରେ ପ୍ରମୁଖ ଭୂମିକା ଗ୍ରହଣ କରିବ।

ଏହି ସାମ୍ବାଦିକ ସମ୍ମିଳନୀରେ ଉପସଭାପତି ତଥା କଂଗ୍ରେସର ବରିଷ୍ଠ ନେତା ଶିବାନନ୍ଦ ରାୟ, ଆଠଗଡ ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାବଲ୍ଲଭ ରଥ ଓ ଏକାମ୍ର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟିକା ପ୍ରାର୍ଥୀ ଶ୍ରୀମତୀ ରଶ୍ମି ମହାପାତ୍ର ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.