Home କଳାହାଣ୍ଡି ବେଲଖଣ୍ଡି- କଅଁସର ତେଲନଦୀ ପୋଳ ନିର୍ମାଣରେ ବିଲମ୍ବ, ସ୍ଥାନୀୟ ଅଂଚଳରେ ଅସନ୍ତୋଷ

ବେଲଖଣ୍ଡି- କଅଁସର ତେଲନଦୀ ପୋଳ ନିର୍ମାଣରେ ବିଲମ୍ବ, ସ୍ଥାନୀୟ ଅଂଚଳରେ ଅସନ୍ତୋଷ

42

କଳାହାଣ୍ଡି, ୨୪.୦୨.୨୦୨୧ ( ଓଡିଆପୁଅ)  କଳାହାଣ୍ଡି ଜିଲ୍ଲା ସହ ବଲାଙ୍ଗୀର ଜିଲ୍ଲାକୁ ସିଧାସଳଖ ଯୋଡିବା ପାଇଁ ଐତିହାସିକ ଶୈବପୀଠ ବେଲଖଣ୍ଡି ଠାରେ ଗତ ୨୦୧୮ ମସିହାରୁ ତେଲ ନଦୀରେ ସେତୁ ନିର୍ମାଣ କାମ ଆରମ୍ଭ ହୋଇଥିବା ବେଳେ ଅଦ୍ୟାବଧି ଶେଷ ହୋଇପାରିନାହିଁ । ବିଜୁ ସେତୁ ଯୋଜନାରେ ଆରମ୍ଭ ହୋଇଥିବା ଏହି  ବେଲଖଣ୍ଡି-କଅଁସର ସେତୁର ର୍ଦୈଘ୍ୟ ୪୫୯ ମିଟର ଥିବାବେଳେ ଏଥିପାଇଁ ୨୦୧୬.୩୫ ଲକ୍ଷ ଟଙ୍କା ଅଟକଳ ରଖା ଯାଇଥିବା ପ୍ରକାଶ ।

ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ହେଉଥିବା  ଏହି ସେତୁର ଠିକା କାମ ଆରତି ଇନଫ୍ରାଟେକ ପ୍ରାଃ ଲିମିଟେଡ ନାମକ ଏକ ସଂସ୍ଥା କରୁ ଥିବା ଜଣାପଡିଛି । । ଏହାର ସଂପୂର୍ଣ କରିବା ସମୟ ୨୦୨୦ ଅକ୍ଟୋବରକୁ ଧାର‌୍ୟ୍ୟ ଥିବାବେଳେ ଅଦ୍ୟାବଧି ଏହାର ୫୦ ପ୍ରତିଶତ ବି କାମ ସରିନାହିଁ । ତେଣୁ ଏହା ସଂପୂର୍ଣ ହେବାକୁ ଆହୁରି ବିଳମ୍ବ ହେବା ନିଶ୍ଚିତ । ଯଦିଓ ଗତବର୍ଷ କରୋନା ମହାମାରୀ ଯୋଗୁଁ ନିର୍ମାଣ କାର‌୍ୟ୍ୟରେ ବାଧା ଉପୁଜିଥିଲା ହେଲେ ସରକାର ବହୁଦିନରୁ ନିର୍ମାଣ କାମ ପାଇଁ ଅନୁମତି ଦେଇଥିବାରୁ କାମର ଅଗ୍ରଗତି ହେବାକଥା । ହେଲେ କଚ୍ଛପ ଗତିରେ କାମ ଚାଲୁଥିବାରୁ  ବିଲମ୍ବ ହେଉଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏହି ସେତୁ ନିର୍ମାର ହେଲେ ଏହା ନିକଟସ୍ଥ ଉଭୟ କଳାହାଣ୍ଡି ଓ ବଲାଙ୍ଗୀର ଜିଲ୍ଲା ପାଇଁ ଜୀବନରେଖା ସଦୃଶ ହେବ । କାରଣ ସ୍ଥାନୀୟ ଲୋକେ ବଲାଙ୍ଗର ଅଂଚଳ କୁ ଯିବାକୁ ହେଲେ ଦୀର୍ଘ ପଥ ଅତିକ୍ରମ କରିବାକୁ ପଡୁଛି ।


ଏହି ସେତୁ ସଂପୂର୍ଣ୍ଣ ହେଲେ ବଲାଙ୍ଗୀର ସଦର ସମେତ ସଇଁନ୍ତଲା, ଟିଟିଲାଗଡ ଅଂଚଳ ସିଧାସଳଖ ସଂଯୋଗ ହୋଇପାରିବ ।  ସେହି ପରି ବେଲଖଣ୍ଡୀରେ ପ୍ରସିଦ୍ଧ ଶୈବପୀଠ ଥିବାରୁ ପଡୋଶୀ ଜିଲ୍ଲାର ଲୋକେ ଦେବଦର୍ଶନ କରିବା ପାଇଁ ସୁଗମ୍ୟପଥ ପାଇପାରିବେ । ଶିକ୍ଷା,ସ୍ୱାସ୍ଥ୍ୟ ଓ ଗମନାଗମନରେ ଉଭୟ ଜିଲ୍ଲାର ଲକ୍ଷ ଲକ୍ଷ ଲୋକ ଉପକୃତ ହୋଇପାରିବେ । ବର୍ଷା ଦିନେ ଏ ଅଂଚଳବାସୀ ଡଙ୍ଗା ଉପରେ ନିର୍ଭର କରିଥାନ୍ତି । ତେବେ ଡଙ୍ଗାରେ ଯାତାୟତ ବିପଦ ସଙ୍କୁଳ ହୋଇଥିବାରୁ ଅନେକ ଲୋକେ ଦୀର୍ଘ ୩୫ କିମି  ବୁଲି ଯାତ୍ରା କରିଥାନ୍ତି । ଆଗାମୀ ବର୍ଷାଦିନ ପୂର୍ବରୁ ସେତୁ କାମ ଶେଷ କରିବାକୁ ସ୍ଥାନୀୟ ଅଂଚଳବାସୀ ଦାବୀ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.