Home ଜିଲ୍ଲା ପରିକ୍ରମା ୯ ଦଫା ଦାବି ନେଇ ଶ୍ରମିକ ସଂଗଠନ ପକ୍ଷରୁ ଗଣବିକ୍ଷୋଭ

୯ ଦଫା ଦାବି ନେଇ ଶ୍ରମିକ ସଂଗଠନ ପକ୍ଷରୁ ଗଣବିକ୍ଷୋଭ

34

ଭଦ୍ରକ, ୩୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଜିଲା ଶ୍ରମ କାର୍ଯ୍ୟାଳୟରେ ହେଉଥିବା ନୀତିହୀନ ହେରଫେର ଘଟଣାକୁ ନେଇ ଗଣବିକ୍ଷୋଭ କରିବା ସହ ୯ ଦଫା ସମ୍ବଳିତ ଏକ ଦାବିପତ୍ର ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କୁ ପ୍ରଦାନ କରାଯାଇଛି। ଜିଲା ଶ୍ରମ କାର୍ଯ୍ୟାଳୟରେ ଗତ କିଛିବର୍ଷ ହେବ ଝିଅ ବିବାହ, ପିଲା ପାଠପଢା ସହାୟତା ପ୍ରଦାନରେ ବ୍ୟାପକ ପାତର ଅନ୍ତର, କରୋନା ସମୟରେ ଦେଶ ବିଦେଶରୁ ଫେରିଥିବା ଦାଦନ ଶ୍ରମିକ ଲେବର କାର୍ଡ ପାଇଁ କରିଥିବା ଆବେଦନକାରୀଙ୍କୁ ମଧ୍ୟ କାର୍ଡ ନମିଳିବା, ୨୦୧୫-୧୬ ମସିହାରୁ ସହାୟତା ରାଶି ପଡିରହିବା ଏବଂ ଶ୍ରମ କାର୍ଯ୍ୟାଳୟରେ ହେରଫେର ହେଉଥିବା ଭଳି ଅଭିଯୋଗ ଶ୍ରମିକ ସଂଗଠନ ପକ୍ଷରୁ କରାଯାଇଛି। ଏଥିନେଇ ଆଜି ଜିଲାପାଳ ଶ୍ରୀ ବୋନ୍ଦରଙ୍କୁ ଭେଟି ଏକ ୯ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି। ଦାବିପତ୍ର ଅନୁସାରେ ୨୦୧୬-୧୭ ମସିହାରୁ ଶ୍ରମ କାର୍ଯ୍ୟାଳୟରେ ପଡିରହିଥିବା ଝିଅ ବିବାହ ଓ ପିଲାପାଠ ପଢା ସହାୟତା ପାଇଁ ଆବେଦନ କରିଥିବା ସମସ୍ତ ଶ୍ରମିକଙ୍କୁ ଧାର୍ଯ୍ୟ ସହାୟତା ପ୍ରଦାନ, ୨୦୧୮-୧୯ ମସିହାରେ ଶ୍ରମ କାର୍ଯ୍ୟାଳୟ ନୋଟିସ୍ ଅନୁସାରେ ଭଦ୍ରକର ନିର୍ଦ୍ଦିଷ୍ଟ ଦୋକାନମାନଙ୍କରୁ ସାଇକେଲ୍ ଓ ସାମଗ୍ରୀ କିଣି ଧାର୍ଯ୍ୟ ସହାୟତା ପାଇଁ ଆବେଦନ କରିଥିବା ସମସ୍ତଙ୍କୁ ତୁରନ୍ତ ସହାୟତା, ୨୦୨୦-୨୧ ମସିହାରେ ଶ୍ରମ କାର୍ଯ୍ୟାଳୟରେ ହୋଇଥିବା ହେରଫେର ବେନିୟମ କାର୍ଯ୍ୟ କାର୍ଡ ବଣ୍ଟନ ଓ ଅନୁଦାନ ପ୍ରଦାନର ଉପଯୁକ୍ତ ତଦନ୍ତ, ବନ୍ଦ ଥିବା ସାଇକେଲ୍‌, ଯନ୍ତ୍ରପାତି, ନିର୍ମାଣ ଶ୍ରମିକ କୋଠାଘର ଆଦି ପ୍ରଦାନ, ଦୁରାରୋଗ, ଦୁର୍ଘଟଣା ସହାୟତା ପ୍ରଦାନର ଧାର୍ଯ୍ୟ ସହାୟତା ସ୍ଥିର କରି ପ୍ରଦାନର ବ୍ୟବସ୍ଥା, ନିର୍ମାଣ ଶ୍ରମିକଙ୍କୁ ମାସିକ ୧୫ ହଜାର ଟଙ୍କା ଭତ୍ତା ପ୍ରଦାନ, ଅନଲାଇନରେ ଓଟିପି ଦେବା ନିୟମର ଉଚ୍ଛେଦ, ୨୦୨୧-୨୨ ଶିକ୍ଷାବର୍ଷରେ ଦିଆଯାଇପାରିନଥିବା ଶିକ୍ଷା ସହାୟତା ଆବେଦନ ଫର୍ମ ଶ୍ରମ କାର୍ଯ୍ୟାଳୟରେ ଜମା ନେଇ ସହାୟତା ପ୍ରଦାନ, ୨୦୧୫ ମସିହାରୁ ଲେବର ଅଫିସ୍‌ରୁ ସହାୟତା ପ୍ରଦାନ ପାଇଁ ବ୍ୟାଙ୍କକୁ କଠାଯାଇଥିବା କାଗଜରେ ତ୍ରୁଟି କାରଣରୁ ଫେରିଥିବା ସହାୟତା ଟଙ୍କାକୁ ତୁରନ୍ତ ପ୍ରଦାନ ଭଳି ଦାବି ରହିଛି। ଏହି ଗଣବିକ୍ଷୋଭ ଓ ଦାବିପତ୍ର ପ୍ରଦାନ ସମୟରେ ରାମଚନ୍ଦ୍ର ଶଙ୍ଖୁଆ, ଶାନ୍ତିଲତା ରାଉତ, ମାନି ଯେନା, ଉର୍ମିଳା ଦାସ, ବିର ଧଳ, ସେକ୍ ତାହେର ଅହମ୍ମଦ, ସନ୍ୟାସୀ ପରିଡା, ବାଦଲ ବିହାରୀ ମାଝୀ ରବିନ୍ଦ୍ର ସ୍ୱାଇଁ ପ୍ରମୁଖ ସାମିଲ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.