Home ଓଡ଼ିଶା ୯୬୬ ପ୍ରାଥମିକ ବିଦ୍ୟାଳୟକୁ ବନ୍ଦକରି ଦେବାର ସରକାରୀ ନିଷ୍ପତ୍ତିକୁ ଡି.ଟି.ଓ ର ନିନ୍ଦା

୯୬୬ ପ୍ରାଥମିକ ବିଦ୍ୟାଳୟକୁ ବନ୍ଦକରି ଦେବାର ସରକାରୀ ନିଷ୍ପତ୍ତିକୁ ଡି.ଟି.ଓ ର ନିନ୍ଦା

118

ଭୁବନେଶ୍ୱର, ୨୪.୬ (ଓଡ଼ିଆ ପୁଅ) : କମ୍ ପିଲାର ଆଳରେ ଓଡ଼ିଶାର ୯୬୬ଟି ପ୍ରାଥମିକ ବିଦ୍ୟାଳୟକୁ ବନ୍ଦକରି ଦେବାର ନିଷ୍ପତ୍ତି ସରକାର ନେଇଛନ୍ତି ଓ ଏହି ସ୍କୁଲ ଗୁଡ଼ିକ ଗ୍ରୀଷ୍ମ ଅବକାଶ ପରେ ଆଉ ଖୋଲିନାହିଁ। ଏହା ପୂର୍ବରୁ ଗତ ବର୍ଷ ଓ ତା’ ପୂର୍ବବର୍ଷ ମଧ୍ୟ ସହସ୍ରାଧିକ ବିଦ୍ୟାଳୟ ବନ୍ଦ କରି ସାରିଛନ୍ତି। ଏଥି ସହ କମ୍ ରେଜଲ୍ଟ ଆଳରେ ବହୁ ମାଧ୍ୟମିକ ଶିକ୍ଷାନୁଷ୍ଠାନକୁ ବନ୍ଦ କରିଦେବା ପାଇଁ ଯୋଜନା କରୁଛନ୍ତି ଓ କେତେକ ବିଦ୍ୟାଳୟର ଶିକ୍ଷକମାନଙ୍କର ବାର୍ଷିକ ଦରମା ବୃଦ୍ଧିକୁ କାହିଁକି ବନ୍ଦ କରା ନଯିବ ସେଥିପାଇଁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି। ବିଦ୍ୟାଳୟମାନଙ୍କରେ ଉପସ୍ଥାନ ଓ ପରୀକ୍ଷାଫଳ କମ୍ ହେବାର କାରଣକୁ ଖୋଜି, ଏହାର ନିରାକରଣ କରିବା ପରିବର୍ତ୍ତେ, ସରକାର ମୁଣ୍ଡ ବିନ୍ଧୁଥିଲେ ମୁଣ୍ଡକୁ କାଟିଦେବା ଭଳି ନ୍ୟାୟରେ କାମ କରୁଛନ୍ତି। ସରକାରୀ ଓ ସରକାରୀ ସାହାଯ୍ୟପ୍ରାପ୍ତ ବିଦ୍ୟାଳୟରେ ମୁଖ୍ୟତଃ ଶିକ୍ଷକ ଅଭାବ, ଶିକ୍ଷକମାନଙ୍କୁ ପାଠ ପଢ଼ାଇବାର ଦାୟିତ୍ୱରୁ କ୍ରମଶଃ ହଟାଇ ନେଇ ବିଭିନ୍ନ ଅଣଶୈକ୍ଷିକ କାର୍ଯ୍ୟକ୍ରମ କରିବାକୁ ବାଧ୍ୟ କରିବା, ଶୈକ୍ଷିକ ବାତାବରଣର ଅଭାବ ଇତ୍ୟାଦି ବିଦ୍ୟାଳୟର ପରୀକ୍ଷା ଫଳ କମ୍ ହେବା ଓ ଛାତ୍ରସଂଖ୍ୟା କମିବାର ମୂଳ କାରଣ। ମାତ୍ର ସରକାର ଉପରୋକ୍ତ ସମସ୍ୟା ଗୁଡ଼ିକୁ ସମାଧାନ କରିବା ପରିବର୍ତ୍ତେ, ସ୍କୁଲ ଗୁଡ଼ିକୁ ଭାଙ୍ଗିବାର ଯେଉଁ ଯୋଜନା ଗ୍ରହଣ କରୁଛନ୍ତି ଏହା ଅତ୍ୟନ୍ତ ମାରାତ୍ମକ ଓ ନିକଟ ଭବିଷ୍ୟତରେ ଏହି ପ୍ରକ୍ରିୟାରେ ସମସ୍ତ ସରକାରୀ ଓ ସାହାଯ୍ୟପ୍ରାପ୍ତ ଶିକ୍ଷାନୁଷ୍ଠାନ ଯେ ବନ୍ଦ ହେବ ଏଥିରେ ସନ୍ଦେହ ନାହିଁ।

ଏହା ପଛରେ ସରକାରଙ୍କର ଏକ ଗଭୀର ଷଡ଼ଯନ୍ତ୍ର କାମ କରୁଛି। ଶିକ୍ଷା ବ୍ୟବସାୟୀମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ, ସୁଚତୁର ଉପାୟରେ ସରକାର, ସରକାରୀ ଶିକ୍ଷାନୁଷ୍ଠାନମାନଙ୍କୁ ଭିତରୁ ପଙ୍ଗୁ କରିଦେଉଛନ୍ତି। ବେସରକାରୀ ଶିକ୍ଷାନୁଷ୍ଠାନ ପ୍ରତି କିଭଳି ଛାତ୍ର ଓ ଅଭିଭାବକମାନେ ଆକୃଷ୍ଟ ହେବେ, ତା’ର ବାଟ ପରିଷ୍କାର କରୁଛନ୍ତି। ଶିକ୍ଷାର ଘରୋଇକରଣ ଓ ବ୍ୟବସାୟୀକରଣ ନୀତିର ଏହା ପରିଣାମ। ଏହି ନୀତି କ୍ରମାଗତ ଲାଗୁ ରହିଲେ, ନିକଟ ଅତୀତରେ ଶିକ୍ଷାର ସମ୍ପୂର୍ଣ୍ଣ ଘରୋଇକରଣ ହେବ ଓ ଯାହାର ଟଙ୍କା ଅଛି, ସେହିମାନେ କେବଳ ତାଙ୍କ ପିଲାମାନଙ୍କୁ ପାଠ ପଢ଼ାଇ ପାରିବେ। କୋଟି କୋଟି ଗରିବ ଘରର ପିଲା, ଶିକ୍ଷାଧିକାରରୁ ବଞ୍ଚିତ ହେବେ। ଏହା ସହ ଲକ୍ଷ ଲକ୍ଷ ସରକାରୀ ଶିକ୍ଷକ ପଦବୀ ଉଚ୍ଛେଦ ହେବା ଫଳରେ ସବୁଦିନ ପାଇଁ ତାଲିମ୍ପ୍ରାପ୍ତ ଉଚ୍ଚଶିକ୍ଷିତ ଯୁବକଯୁବତୀମାନଙ୍କ ପାଇଁ ଚାକିରିର ସୁଯୋଗ ବନ୍ଦ ହୋଇଯିବ। ଏଥି ସହିତ ପାହାଡ଼ ଜଙ୍ଗଲଘେରା ଦୁର୍ଗମ ଅଞ୍ଚଳର ପିଲାମାନେ ଶିକ୍ଷାଲାଭର ସୁଯୋଗରୁ ସବୁଦିନ ପାଇଁ ବଞ୍ଚିତ ହେବେ। ସରକାରଙ୍କର ଏହିଭଳି ନିଷ୍ପତ୍ତିକୁ ଡି.ଟି.ଓ ରାଜ୍ୟ ସଭାପତି ବିଭୂତି ଭୂଷଣ ନାୟକ ଓ ସମ୍ପାଦକ ନୃସିଂହ ଚରଣ ପଣ୍ଡା ଘୋର ନିନ୍ଦା କରିବା ସହ ଅବିଳମ୍ବେ ସ୍କୁଲଗୁଡ଼ିକୁ ବନ୍ଦ କରିବାର ପ୍ରକ୍ରିୟାରୁ ନିବୃତ୍ତ ହେବାପାଇଁ ସରକାରଙ୍କ ନିକଟରେ ଦାବି କରିଛନ୍ତି। ଏହା ସହ ବିଭିନ୍ନ ଶିକ୍ଷକ ସଙ୍ଗଠନ, ଛାତ୍ର ସଂଗଠନ ଓ ଅଭିଭାବକବୃନ୍ଦ, ସରକାରଙ୍କର ଏହି ଜନବିରୋଧୀ ନୀତି ବିରୁଦ୍ଧରେ ଶକ୍ତିଶାଳୀ ଆନ୍ଦୋଳନ ଗଢ଼ି ତୋଳିବାକୁ ନିବେଦନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.