ଭଦ୍ରକ, ୧୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାର ନଦୀବନ୍ଧବାଡ଼ ଓ ପୋଲ ନିର୍ମାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବାବେଳେ ଅନେକ ସ୍ଥାନରେ ପ୍ରଶାସନ ସଠିକ୍ ନଜର ଓ ତଦାରଖ କରୁନଥିବାରୁ ଅନେକ ସ୍ଥାନରେ ଏହି କାର୍ଯ୍ୟସବୁ ଅଧପନ୍ତରିଆ ହୋଇ ପଡ଼ିରହୁଛି। ଏଭଳି ଏକ ଘଟଣା ଧାମନଗର- ଷେଣ୍ଢପୁର ରାସ୍ତାର ଦୋବଲରେ ଦେଖିବାକୁ ମିଳିଛି। ନିକଟସ୍ଥ ଗେଙ୍ଗୁଟି ନଦୀର ନିର୍ମାଣଧିନ ପୋଲ ୬ବର୍ଷ ଧରି କାର୍ଯ୍ୟ ଚାଲୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ହୋଇନଥିବାରୁ ଜଣସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଘଟଣାରୁ ପ୍ରକାଶ ଯେ ଦୋବଲ ଠାରେ ଗେଙ୍ଗୁଟି ନଦୀରେ ଏକ ପକ୍କାପୋଲ ପୂର୍ବରୁ ଥିବାବେଳେ ନଦୀରେ ବନ୍ୟା ଆସିଲେ ଉକ୍ତ ପୋଲଟି ବନ୍ୟାଜଳରେ ବୁଡ଼ିଯାଇ ଥାଏ। ଫଳରେ ଉକ୍ତ ପୋଲ ଉପରେ ନିର୍ଭର କରୁଥିବା ହଜାର ହଜାର ଲୋକଙ୍କର ଜାତାୟତରେ ବାଧାସୃଷ୍ଟି ହୋଇଥାଏ। ଏହାକୁ ଆଧାର କରି ତତ୍କାଳିନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ଉଦ୍ଦ୍ୟମ ଫଳରେ ସେହିପୋଲ ନିକଟରେ ଆଉ ପ୍ରାୟ ଆନୁମାନିକ ୯କୋଟି ଟଙ୍କା ବ୍ୟୟରେ ଏକ ଉଚ୍ଚା ପକ୍କାପୋଲ ନିର୍ମାଣ ଆରମ୍ଭ ହୋଇଥିଲା। ହେଲେ ଦୀର୍ଘବର୍ଷ ବିତିଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ତାହା ସମ୍ପୂର୍ଣ୍ଣ ହୋଇପାରିଲା ନାହିଁ।
ଏହି ପୋଲ ନିର୍ମାଣ ବେଳେ ଜଣେ ଶ୍ରମିକ ମୃତ୍ୟୁ ହୋଇଥିବାବେଳେ ଅଧାପନ୍ତରିଆ ପୋଲ ନିକଟରେ ଏକ ବାଇକ୍ ଆରୋହୀ ଏହି ପୋଲତଳକୁ ଗଡ଼ି ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲେ। ଉକ୍ତ ପକ୍କାପୋଲଟି ସମ୍ପୂର୍ଣ୍ଣ ହୋଇଥିବାବେଳେ ଏହାର ଦୁଇ ପାଶ୍ୱର୍ର ଆପ୍ରୋଜ ରୋର୍ଡ଼ ନିର୍ମାଣ ହୋଇନଥିବାରୁ ଜାତାୟତ ହୋଇପାରୁନାହିଁ। ଦୋବଲ ବସଷ୍ଟାଣ୍ଡ ପାଶ୍ୱର୍ରେ ଅଧା ନିର୍ମିତ ପୋଲର ଆପ୍ରୋଜ ରୋର୍ଡ଼ ତିଆରି ହୋଇନଥିବାବେଳେ କୋର୍କଦା ପାଶ୍ୱର୍ରେ ମଧ୍ୟ ଏହି ସମସ୍ୟା ସୃଷ୍ଟି ହୋଇଛି। ଏହି ପୋଲ ସମ୍ପୂର୍ଣ୍ଣ ହେଲେ ଉଭୟ ପାର୍ଶ୍ୱ ଲୋକମାନେ ବନ୍ୟା ସମୟରେ ସୁରୁଖୁରୁରେ ଜାତାୟତ କରିପାରନ୍ତେ। ମାତ୍ର ଆଜି ସୁଧା ଉକ୍ତପୋଲଟି ସମ୍ପୂର୍ଣ୍ଣ ହୋଇପାରୁନଥିବାରୁ ଆଗକୁ ବର୍ଷାଋତୁ ସାଂଗକୁ ବନ୍ୟା ଆସିଲେ ସାଧାରଣ ଲୋକମାନଙ୍କର ଜାତାୟତର ଘୋର ବାଧାସୃଷ୍ଟି ହେବ। ତେଣୁ ଏ ଦୀଗରେ ପୂର୍ତ୍ତବିଭାଗ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହିତ ତୁରନ୍ତ ଉକ୍ତ ପୋଲକାର୍ଯ୍ୟକୁ ଶେଷ କରିବାପାଇଁ ସ୍ଥାନୀୟ ଅଂଚଳର ଜନସାଧାରଣ ମାନେ ଦାବି କରିଛନ୍ତି। ପୋଲକାର୍ଯ୍ୟଟି ସମ୍ପୂର୍ଣ୍ଣ ହୋଇଥିବାବେଳେ ପୋଲର ୨ପାଶ୍ୱର୍ରେ କେବଳ ଆପ୍ରୋଚ ରୋଡ଼ କରାଗଲେ ଜାତାୟତ ହୋଇପାରିବ। ହେଲେ ପୋଲର ଦୋବଲ ପାଶ୍ୱର୍ରେ ଜାଗା ବିବାଦକୁ ନେଇ ସମସ୍ୟା ସୃଷ୍ଟି ହୋଇଥିବାରୁ କାର୍ଯ୍ୟରେ ବିଳମ୍ବ ହେଉଛି। ଉକ୍ତ ଆପ୍ରୋଚ ରୋଡ଼ରେ ଜୈନିକ ବ୍ୟକ୍ତିଙ୍କ ଜାଗା ପଡ଼ୁଥିବାରୁ ସେ ଉଚ୍ଚ ନ୍ୟାୟାଳୟରେ ଜୈନିକ ଠିକାଦାରଙ୍କ ନାମରେ କେସ୍ କରିଥିବାରୁ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସେଠାରେ କାମ କରିହେଉନାହିଁ ଏବଂ ଆବଶ୍ୟକତା ଠାରୁ ଜାଗା ମାଲିକ ଅଧିକ ଟଙ୍କା ଦାବି କରୁଥିବାରୁ ଠିକାଦାର ତାହାର ଭରଣା କରିପାରୁନଥିବାରୁ କାର୍ଯ୍ୟରେ ବିଳମ୍ବ ହେଉଛି। ଏହି ଜାଗା ସମସ୍ୟାକୁ ନେଇ ମଧ୍ୟ ବାରମ୍ବାର ତହସିଲରେ ଆଲୋଚନା ହୋଇଛି। ତେବେ ଖୁବ୍ଶୀଘ୍ର କାର୍ଯ୍ୟ ଶେଷ ହେବବୋଲି ବିଭାଗୀୟ ଯନ୍ତ୍ରୀ ଅମ୍ବିକା ବଲ୍ଲଭ ସ୍ୱାଇଁ ପ୍ରକାଶ କରିଛନ୍ତି।