Home ଜିଲ୍ଲା ପରିକ୍ରମା ୮ ଦଫା ଦାବି ନେଇ ନବନିର୍ମାଣ କୃଷକ ସଂଗଠନ ଭଦ୍ରକ ଜିଲା ଶାଖା ପକ୍ଷରୁ ଜିଲାପାଳଙ୍କୁ...

୮ ଦଫା ଦାବି ନେଇ ନବନିର୍ମାଣ କୃଷକ ସଂଗଠନ ଭଦ୍ରକ ଜିଲା ଶାଖା ପକ୍ଷରୁ ଜିଲାପାଳଙ୍କୁ ଦାବିପତ୍ର, ତୁରନ୍ତ ଆଶୁ ସମାଧାନ ନହେଲେ ୨୨ ରେ ଗଣ ସତ୍ୟାଗ୍ରହ

93

ଭଦ୍ରକ, ୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୮ ଦଫା ଦାବି ନେଇ ଆଜି ନବନିର୍ମାଣ କୃଷକ ସଂଗଠନ, ଓଡ଼ିଶା ଭଦ୍ରକ ଜିଲା ଶାଖା ପକ୍ଷରୁ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏବଂ ଏହି ଦାବିଗୁଡିକର ସମାଧାନ ଦିଗରେ ଚାଷୀ ସଂଗଠନ ସହିତ ଆଲୋଚନା କରାଯାଇ ତୁରନ୍ତ ପଦକ୍ଷେପ ଗ୍ରହଣ କରାନଗଲେ ସଂଗଠନ ପକ୍ଷରୁ ଆସନ୍ତା ୨୨ ତାରିଖ ଦିନ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କୋଭିଡ୍‌-୧୯ ର ସମସ୍ତ ନିୟମ ମାନି ଗଣ ସତ୍ୟାଗ୍ରହ କରାଯିବାର ଚେତାବନୀ ଦିଆଯାଇଛି । ସଂଗଠନ ପକ୍ଷରୁ ଦିଆଯାଇଥିବା ଦାବିପତ୍ର ମୂଳେ ବୈତରଣୀ ଏବଂ ଏହାର ଶାଖାନଦୀ ମାନଙ୍କର ଚଳିତବର୍ଷ ମନୁଷ୍ୟାକୃତ ବନ୍ୟାର ସ୍ଥାୟୀ ସମାଧାନ ନିମିତ୍ତ ବାମପଟେ ସକ୍ଷମ ସ୍ଥାୟୀ ବନ୍ଧ (କ୍ୟାପିଟାଲ ଏମ୍‌ବାକମେଣ୍ଟ) କୁ ଡାହାଣ ପଟ ନଦୀବନ୍ଧ ପରି ସୁଦୃଢ ଏବଂ ସ୍ଥାୟୀ କରାଯିବା ସହ ସାତଗୋଟି ନିୟନ୍ତ୍ରଣମୁକ୍ତ ଘାଇ (ଏସ୍‌କେପ) କୁ ତୁରନ୍ତ କଂକ୍ରିଟ୍ ବନ୍ଧରେ ପରିଣତ କରାଯିବା, ଚଳିତ ବୈତରଣୀ ନଦୀ ବନ୍ୟାରେ କ୍ଷତିଗ୍ରସ୍ତ ସମସ୍ତ ଚାଷୀଙ୍କୁ କ୍ଷୟକ୍ଷତିର ସଠିକ୍ ନିରୂପଣ ପୂର୍ବକ ତୁରନ୍ତ କ୍ଷତିପୂରଣ ପ୍ରଦାନ, ଆଗାମୀ ରବି ଋତୁ ପାଇଁ ମାଗଣାରେ ବିହନ, ମଂଜି, ସାର ଓ କୀଟନାଶକ ବଣ୍ଟନ କରିବାକୁ ପଦକ୍ଷେପ ଗ୍ରହଣ କରାଯିବା, ରାଜ୍ୟ ରିଲିଫ୍ କୋଡ୍‌ର ତୁରନ୍ତ ସଂଶୋଧନ ପୂର୍ବକ ବନ୍ୟା, ବାତ୍ୟା, ମରୁଡି ଭଳି ପ୍ରାକୃତିକ ବିପର୍ଯ୍ୟୟ ଓ ଫସଲ ହାନି କାଳରେ ଏକର ପିଛା ଚାଷୀମାନଙ୍କୁ ୧୫ ହଜାର ଏବଂ ଭାଗଚାଷୀଙ୍କୁ ୭୫୦୦ ଟଙ୍କା କରି କ୍ଷତିପୂରଣ ପ୍ରଦାନ, ଭଦ୍ରକ ଜିଲାର ଚାଷୀମାନେ ରବି ଋତୁରେ ହଜାର ହଜାର ଏକର ଧାନଚାଷ କରୁଥିଲେ ମଧ୍ୟ ପଡୋଶୀ ବାଲେଶ୍ୱର ଏବଂ ଯାଜପୁର ଜିଲାର ଚାଷୀମାନଙ୍କ ପରି ମଣ୍ଡିରେ ଧାନ ବିକିବାର ସୁଯୋଗ ପାଉନଥିବାରୁ କ୍ୱିଣ୍ଟାଲ ପିଛା ୧୩୦୦ ଟଙ୍କାରେ ଚାଷୀ ପୂର୍ବବର୍ଷ ଦଲାଲମାନଙ୍କୁ ଧାନ ବିକ୍ରି କିରବାକୁ ବାଧ୍ୟ ହୋଇଥିଲା ।

 

ଏଣୁ ପ୍ରଶାସନିକ ଅପାରଗତାର ଏହା ଏକ ନଗ୍ନ ରୂପ ହୋଇଥିବାରୁ ଏହାର ତୁରନ୍ତ ସମାଧାନ କରିବା, ଚାଷୀମାନଙ୍କୁ ଜଳଯୋଗାଣ ଏବଂ ଜଳ ନିଷ୍କାସନ ପାଇଁ ଏକ ଫଳପ୍ରଦ ନିର୍ବାହୀ ଗୋଷ୍ଠୀ (ଏଫେକେଟିଭ୍ ଟାସ୍କ ଫୋର୍ସ) ଗଠନ କରି ସମସ୍ୟାର ସମାଧାନ କରାଯିବା, ଏଥିସହ ଚାଷୀ ସଂଗଠନ ଗୁଡିକର ସଦସ୍ୟମାନଙ୍କୁ ନେଇ ଏହି କାର୍ଯ୍ୟ ଆରମ୍ଭ କରାଯିବା, ଚାଷୀ ମାନଙ୍କୁ ମିଳୁଥିବା ସହାୟତାରେ ମାଫିଆରାଜ ବନ୍ଦ ସହ ବନ୍ୟା-ବାତ୍ୟା ସମୟରେ ନିର୍ଦ୍ଦିଷ୍ଟ ବ୍ୟକ୍ତିବିଶେଷଙ୍କୁ ଗୁରୁତ୍ୱ ଦେଇ ସହାୟତା ପ୍ରଦାନ ନକରିବା, ୨୦୧୮-୧୯ ଓ ୨୦୧୯-୨୦ ଖରିଫ ବର୍ଷରେ ଚଞ୍ଚକତା କରି ଚାଷୀର ଧାନ ବିକ୍ରି ଟଙ୍କା ଯାହା ବାକି ରଖାଯାଇଛି, ତାହା ତୁରନ୍ତ ପ୍ରଦାନ କରାଯିବା, ଏହି ମର୍ମରେ ବରଗରା ପାକସ୍‌ର ୯୨ ବର୍ଷର ଚାଷୀ ଉଦ୍ଧବ ଚରଣ ସାହୁଙ୍କର ୬୦୦ ଦିନରୁ ଉର୍ଦ୍ଧ୍ୱ ଧରି ବାକିଥିବା ଲକ୍ଷାଧିକ ଟଙ୍କାର ପ୍ରାପ୍ୟ ଶୀଘ୍ର ପ୍ରଦାନ କରିବା, ଧାମରା ପର୍ଯ୍ୟନ୍ତ ଯାଇଥିବା ରେଳପଥରେ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗ ପୂର୍ବକ ଜମି ପ୍ରଦାନ କରିବା ସତ୍ୱେ କେବଳ ବନ୍ଦରକୁ ମାଲ ପରିବହନ ପାଇଁ ରେଳ ଚାଲିଥିଲା ବେଳେ ଜମି ହରାଇଥିବା କୃଷକମାନଙ୍କର ଆର୍ଥିକ ଉନ୍ନତି କଳ୍ପେ ଏପର୍ଯ୍ୟନ୍ତ ପାସେଞ୍ଜର ଟ୍ରେନ୍‌ଟିଏ ନ ଚାଲୁଥିବାରୁ ତାହା ତୁରନ୍ତ ଚଳାଇବା ସହ ବନ୍ଦର ପାଇଁ ଜମି ହରାଇଥିବା ସ୍ଥାନୀୟ ବାସିନ୍ଦାଙ୍କୁ ଚୁକ୍ତି ମୁତାବକ ବନ୍ଦରରେ ସ୍ଥାୟୀ ଚାକିରୀ ପ୍ରଦାନ ଭଳି ଦାବି ରହିଛି । ଆଜିର ଏହି ଦାବି ପ୍ରଦାନ କାଳରେ ଭଦ୍ରକ ସଂଯୋଜକ ତ୍ରିଲୋଚନ ପଣ୍ଡା, ସହ ସଂଯୋଜକ ସତ୍ୟ ନାୟକ, ଭଣ୍ଡାରିପୋଖରୀର ସଂଯୋଜକ ବିବେକ ଜେନା, ତିହିଡିର ଗଗନ ମହାନ୍ତି, ଚାନ୍ଦବାଲିର କୃଷ୍ଣଚନ୍ଦ୍ର ବିଶ୍ୱାଳ, ଭଦ୍ରକର ସୀତାକାନ୍ତ ସାହୁ, ଧାମନଗରର ପୀତବାସ ମହାନ୍ତି ଓ ନିରାକାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.