Home Top News ୭୬ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ରାଷ୍ଟ୍ର ଉଦ୍ଦେଶ୍ୟରେ...

୭୬ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ରାଷ୍ଟ୍ର ଉଦ୍ଦେଶ୍ୟରେ ଅଭିଭାଷଣ

73

ମୋର ପ୍ରିୟ ଦେଶବାସୀ,

ନମସ୍କାର !

ଛ’ସ୍ତରୀ ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଦେଶରେ ଏବଂ ଦେଶ ବାହାରେ ରହୁଥିବା ସମସ୍ତ ଭାରତୀୟଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି। ଏହି ଗୁରୁତ୍ୱପୂର୍ଣ୍ଣ ଅବସରରେ ଆପଣମାନଙ୍କୁ ସମ୍ବୋଧିତ କରି ମୁଁ ଅତ୍ୟନ୍ତ ଆନନ୍ଦିତ। ଭାରତ ଏକ ସ୍ୱାଧୀନ ରାଷ୍ଟ୍ରଭାବେ ୭୫ ବର୍ଷ ପୂରଣ କରୁଛି। ଅଗଷ୍ଟ ୧୪ ତାରିଖ “ଦେଶ ବିଭାଜନ ବିଭୀଷିକା ସ୍ମରଣ ଦିବସ” ଭାବେ ପାଳିତ ହେଉଛି। ସାମାଜିକ ସଦଭାବର ପ୍ରୋତ୍ସାହନ, ଏକତା ରକ୍ଷା ଓ ଜନତାଙ୍କ ସଶକ୍ତୀକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଏହି ଦିବସ ପାଳନର ଉଦ୍ଦେଶ୍ୟ। ଆସନ୍ତା କାଲିର ଦିନଟିରେ ଆମେ ଉପନିବେଶବାଦୀ ଶାସନର ଶୃଙ୍ଖଳରୁ ମୁକ୍ତ ହୋଇ ଆମ ଭାଗ୍ୟର ପୁନନିର୍ମାଣ ନିଷ୍ପତ୍ତି ନେଇଥିଲୁ। ଆମେ ସମସ୍ତେ ସେହି ମହାନ ଦିବସଟିକୁ ପାଳନ କରିବା ବେଳେ ସ୍ୱାଧୀନ ଭାରତ ପାଇଁ ଅତୁଳନୀୟ ତ୍ୟାଗ ସ୍ୱୀକାର କରିଥିବା ଏବଂ ପ୍ରାଣବଳୀ ଦେଇଥିବା ଅଗଣିତ ନରନାରୀଙ୍କ ନିକଟରେ ନତମସ୍ତକ। ସେମାନଙ୍କ ପାଇଁ ସ୍ୱାଧୀନ ଭାରତରେ ବଞ୍ଚିବାକୁ ଆଜି ଆମେ ସମର୍ଥ ହୋଇଛୁ।

ଏହା କେବଳ ଆମ ପାଇଁ ଉତ୍ସବ ପାଳନର ଅବସର ନୁହେଁ, ଗଣତନ୍ତ୍ରରେ ବିଶ୍ୱାସ କରୁଥିବା ବିଶ୍ୱର ପ୍ରତ୍ୟେକଙ୍କ ନିମନ୍ତେ ଏହା ଏକ ମହାର୍ଘ୍ୟ ଦିନ। ଭାରତ ଯେତେବେଳେ ସ୍ୱାଧୀନତା ଲାଭ କଲା, ସେତେବେଳେ ଅନେକ ଆନ୍ତର୍ଜାତିକସ୍ତରର ନେତା ଓ ବିଶେଷଜ୍ଞ ଭାରତରେ ଗଣତାନ୍ତ୍ରିକ ସରକାରର ସଫଳତା ଘେନି ସନ୍ଦେହ ପ୍ରକଟ କରିଥିଲେ। ଏଥିପାଇଁ ସେମାନେ ଅନେକ କାରଣ ଦେଖିଥିଲେ ଯାହା ସେମାନଙ୍କ ସଂଶୟ ବଢ଼ାଇଥିଲା। ସେହି ସମୟରେ ଗଣତନ୍ତ୍ର କେବଳ ଆର୍ଥିକ ଦୃଷ୍ଟିରୁ ଅଗ୍ରସର ଦେଶମାନଙ୍କ ମଧ୍ୟରେ ସୀମିତ ଥିଲା। ଭାରତ ଦୀର୍ଘକାଳର ବିଦେଶୀ ଶାସନରେ ଶୋଷିତ ହୋଇ ଦାରିଦ୍ର୍ୟ ଓ ଅଶିକ୍ଷା ମଧ୍ୟରେ ବୁଡି ରହିଥିଲା। ଆମେ ଭାରତବାସୀ ସେହି ସଂଶୟବାଦୀଙ୍କୁ ଭୁଲ ପ୍ରମାଣିତ କରିପାରିଥିଲୁ। ଭାରତ ମାଟିରେ ଗଣତନ୍ତ୍ର କେବଳ ଚେର ମାଡି ନାହିଁ, ଏହା ମଧ୍ୟ ସମୃଦ୍ଧ ହୋଇଛି।

ବିଶ୍ୱର ଅନେକ ସୁପ୍ରତିଷ୍ଠିତ ଗଣତାନ୍ତ୍ରିକ ରାଷ୍ଟ୍ରରେ ମହିଳାମାନେ ଭୋଟ ଦେବାର ଅଧିକାର ପାଇବାକୁ ଦୀର୍ଘକାଳ ପର୍ଯ୍ୟନ୍ତ ଲଢ଼େଇ କରିଥିଲେ। ଭାରତ, କିନ୍ତୁ ଏହାର ସାଧାରଣତନ୍ତ୍ର ଗଠନ କାଳରୁ ସାର୍ବଜନୀନ ସାବାଳକ ଭୋଟ ଅଧିକାର ବ୍ୟବସ୍ଥା ପ୍ରବର୍ତ୍ତନ କରି ପୁରୁଷଙ୍କ ସହିତ ମହିଳାଙ୍କୁ ମତଦାନର ଅଧିକାର ପ୍ରଦାନ କରିଥିଲା। ଅତଏବ ଆଧୁନିକ ଭାରତର ନିର୍ମାତାମାନେ ଦେଶର ପ୍ରତ୍ୟେକ ସାବାଳକ ନାଗରିକଙ୍କୁ ରାଷ୍ଟ୍ର ନିର୍ମାଣର ସମ୍ମିଳିତ ପ୍ରକ୍ରିୟାରେ ଅଂଶଗ୍ରହଣ କରିବାକୁ ସୁଯୋଗ ପ୍ରଦାନ କରିଥିଲେ। ତେଣୁ ଗଣତନ୍ତ୍ରର ବାସ୍ତବ କ୍ଷମତା ଆବିଷ୍କାର କରିବାରେ ସମଗ୍ର ବିଶ୍ୱକୁ ଦିଗଦର୍ଶନ ଦେବାର ଶ୍ରେୟ ଭାରତକୁ ଯାଏ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ।

ଏହା ତତ୍କାଳୀୟ ନଥିଲା ବୋଲି ମୁଁ ବିଶ୍ୱାସ କରେ। ସଭ୍ୟତାର ଆରମ୍ଭରୁ ଏହି ମାଟିର ସାଧୁସନ୍ଥଗଣ ମାନବତାର ଯେଉଁ ବିଚାର ଓ ଦୃଷ୍ଟି ବିକଶିତ କରିଥିଲେ ସେଥିରେ ସାର୍ବଜନୀନ ସମାନତା ଗୁରୁତ୍ୱ ପାଇଥିଲା। ଏହି ସମାନତା ବାସ୍ତବରେ ଏକତା। ମହାନ ମୁକ୍ତି ସଂଗ୍ରାମ ଏବଂ ମହାତ୍ମା ଗାନ୍ଧିଙ୍କ ଭଳି ନେତା ଆଧୁନିକ ସମୟ ପାଇଁ ଆମ ପ୍ରାଚୀନ ମୂଲ୍ୟବୋଧକୁ ପୁନଃ ଆବିଷ୍କାର କରିଥିଲେ। ତେଣୁ ଆମ ଗଣତନ୍ତ୍ରରେ ଭାରତୀୟ ବୈଶିଷ୍ଟ୍ୟ ରହିଛି ଓ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ଗାନ୍ଧିଜୀ ବିକେନ୍ଦ୍ରୀକରଣ ଏବଂ ଲୋକଙ୍କୁ କ୍ଷମତା ପ୍ରଦାନର ଦୃଢ଼ ସମର୍ଥକ ଥିଲେ।

ଗତ ୭୫ ସପ୍ତାହ ଧରି ଆମ ଦେଶ ଆମକୁ ସ୍ୱାଧୀନତା ଦେଇଥିବା ମହାନ ବିଚାର ଓ ଆଦର୍ଶର ସ୍ମୃତିଚାରଣ କରିଆସୁଛି। ସେଥିପାଇଁ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜିତ ହୋଇଛି। ଦାଣ୍ଡିଯାତ୍ରାର ସ୍ମୃତିକୁ ପୁନଃ ଜାଗରିତ କରିବା ପାଇଁ ତାହାର ଏକ ପୁନରାବୃତ୍ତି କରାଯାଇ ୨୦୨୧ ମାର୍ଚ୍ଚରେ ଆମେ “ଆଜାଦୀର ଅମୃତ ମହୋତ୍ସବ” ପାଳନ ଆରମ୍ଭ କରିଥିଲୁ। ଏପରି ଏକ ଉତ୍ସବ ଆୟୋଜନ କରି ବିଶ୍ୱ ମାନଚିତ୍ରରେ ସ୍ଥାନ ପାଇଥିବା ଆମର ଏକ ଯୁଗାନ୍ତକାରୀ ଘଟଣା ଓ ସଂଗ୍ରାମକୁ ସ୍ମରଣ କରିବା ସହିତ ଆମେ ଏହା ସହିତ ଜଡିତ ମୁକ୍ତିସଂଗ୍ରାମୀ ଓ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛୁ। ଏହି ଉତ୍ସବ ଭାରତର ଜନତାଙ୍କ ପାଇଁ ଉତ୍ସର୍ଗୀକୃତ। ଆତ୍ମନିର୍ଭର ଭାରତ ନିର୍ମାଣର ସଂକଳ୍ପ ମଧ୍ୟ ଏହି ମହୋତ୍ସବର ଅଂଶ ବିଶେଷ। ଜନତାଙ୍କ ଦ୍ୱାରା ହାସଲ କରାଯାଇଥିବା ସଫଳତା ଆଧାରରେ ‘ଆତ୍ମନିର୍ଭର ଭାରତ’ ନିର୍ମାଣର ପ୍ରୟାସ ଆରମ୍ଭ ହୋଇଛି। ଦେଶର ବିଭିନ୍ନ ଭାଗରେ ଏହି ଅବସରରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ସବୁ ବୟସର ଲୋକେ ଆଗ୍ରହର ସହିତ ସାମିଲ ହୋଇଛନ୍ତି। “ହର ଘର ତିରଙ୍ଗା ଅଭିଯାନ” ସହିତ ଏହି ମହା ଉତ୍ସବ ଆଗେଇ ଚାଲିଛି। ଦେଶର କୋଣ ଅନୁକୋଣରେ ଭାରତୀୟ ତ୍ରିରଙ୍ଗା ଧ୍ୱଜା ଫରଫର ହୋଇ ଉଡୁଛି। ଏବେ ସମଗ୍ର ଦେଶରେ ସ୍ୱାଧୀନତା ଆନ୍ଦୋଳନର ଉତ୍ସାହ ଓ ଚେତନାର ଯେଉଁ ପୁନଃ ପ୍ରକାଶ ଘଟିଛି ତାହା ଦେଖିଥିଲେ ଆମ ସହିଦମାନେ ଅବଶ୍ୟ ଉଲ୍ଲସିତ ହୋଇଥାନ୍ତେ।

ଆମ ଗୌରବୋଜ୍ଜ୍ୱଳ ମୁକ୍ତି ସଂଗ୍ରାମ ଦେଶର ବିରାଟ ଭୂଖଣ୍ଡର ବିଭିନ୍ନ ପ୍ରାନ୍ତରେ ସଂଘଟିତ ହୋଇଥିଲା। ମୁକ୍ତି ସଂଗ୍ରାମୀମାନେ ଅତ୍ୟନ୍ତ ସାହସର ସହିତ ଏହି ଲଢ଼େଇ ଲଢ଼ିଥିଲେ। ଅନେକ ମହାନ ମୁକ୍ତିସଂଗ୍ରାମୀ ନିଜର ଦାୟୀତ୍ୱ ସଫଳତାର ସହ ନିର୍ବାହ କରି ନୂତନ ପିଢ଼ିକୁ ଜାଗରଣର ଆଲୋକବର୍ତ୍ତିକା ହସ୍ତାନ୍ତର କରିଥିଲେ। ସେମାନେ ଯେଉଁ ବୀରତ୍ୱ ପ୍ରଦର୍ଶନ କରିଥିଲେ ତାହାର ଲେସମାତ୍ର ଚିହ୍ନ ଛାଡିଯାଇନଥିଲେ। ଏହି ପ୍ରକ୍ରିୟାରେ ଅନେକ ବୀର, ମୁକ୍ତିସଂଗ୍ରାମୀ ବିସ୍ମୃତ ହୋଇଯାଇଛନ୍ତି। ସେମାନଙ୍କ ଜୀବନୀ ଓ କାର୍ଯ୍ୟାବଳୀ ବିଷୟରେ କୌଣସି ସୂଚନା ମିଳେନାହିଁ। ବିଶେଷ କରି ଦେଶର କୃଷକ ଓ ଆଦିବାସୀ ସମୁଦାୟଙ୍କ ମଧ୍ୟରେ ଏଭଳି ଅଧିକ ସଂଗ୍ରାମୀ ଓ ବୀର ବିସ୍ମୃତ ହୋଇଛନ୍ତି। ଅତଏବ ନଭେମ୍ବର ୧୫କୁ “ଜନଜାତୀୟ ଗୌରବ ଦିବସ” ଭାବେ ପାଳନ କରିବାକୁ ସରକାର ଗତବର୍ଷ ଯେଉଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି ତାହା ସ୍ୱାଗତଯୋଗ୍ୟ। ଆମର ଆଦିବାସୀ ବୀର ମୁକ୍ତିସଂଗ୍ରାମୀମାନେ କେବଳ ସ୍ଥାନୀୟ ବା ଆଞ୍ଚଳିକ ସ୍ତରରେ ପ୍ରସିଦ୍ଧ ନୁହଁନ୍ତି, ସେମାନେ ସମଗ୍ର ଦେଶକୁ ଅନୁପ୍ରେରିତ କରନ୍ତି।

ପ୍ରିୟ ଦେଶବାସୀ,

ଭାରତ ଭଳି ଏକ ପ୍ରାଚୀନ ଦେଶ ପାଇଁ ୭୫ ବର୍ଷ ଅତିକ୍ରମ କରିବା, ଆଖିର ପଲକ ପକାଇବା ଭଳି ସମୟ। ତେବେ ବ୍ୟକ୍ତି ହିସାବରେ ଆମ ପାଇଁ ଏହା ଏକ ଯୁଗ, ଗୋଟେ ସମଗ୍ର ଜୀବନକାଳ। ଆମ ଗହଣରେ ଥିବା ବରିଷ୍ଠ ନାଗରିକମାନେ ସେମାନଙ୍କ ଜୀବନ କାଳରେ ନାଟକୀୟ ପରିବର୍ତ୍ତନ ଦେଖିଛନ୍ତି। ସ୍ୱାଧୀନତା ଲାଭ ପରେ ସବୁ ପିଢ଼ି କିପରି କଠୋର ପରିଶ୍ରମ କରିଛି ତାହା ସେମାନେ ଦେଖିବାକୁ ପାଇଛନ୍ତି ଏବଂ ଆମେ କିପରି ବଡବଡ ଆହ୍ୱାନ ଓ ସମସ୍ୟାର ସମ୍ମୁଖୀନ ହୋଇ ନିଜେ ନିଜର ଭାଗ୍ୟ ନିଅନ୍ତା ହୋଇ ପାରିଛନ୍ତି ସେମାନେ ତାହା ଦେଖିଛନ୍ତି। ଏହି ପ୍ରକ୍ରିୟାରେ ଆମେ ପାଇଥିବା ଶିକ୍ଷା ଆମକୁ ରାଷ୍ଟ୍ରରେ ପରବର୍ତ୍ତୀ ଯାତ୍ରାକାଳ ‘ଅମୃତ କାଳ’ ପାଇଁ ବିଶେଷ ସାହାଯ୍ୟ କରିବ। ସ୍ୱାଧୀନତାର ଏକଶତ ବର୍ଷ ପୂର୍ତ୍ତି ପାଇଁ ଆମକୁ ଆସନ୍ତା ୨୫ ବର୍ଷ ବା ‘ଅମୃତ କାଳ’ ନିମନ୍ତେ ପ୍ରସ୍ତୁତ ହେବାକୁ ପଡିବ।

୨୦୪୭ ସୁଦ୍ଧା ଆମେ ଆମ ମୁକ୍ତି ସଂଗ୍ରାମୀମାନଙ୍କର ସ୍ୱପ୍ନକୁ ସଂପୂର୍ଣ୍ଣ ଭାବେ ସାକାର କରିପାରିବା। ବାବା ସାହେବ ଆମ୍ବେଦକରଙ୍କ ନେତୃତ୍ୱରେ ଯେଉଁମାନେ ସମ୍ବିଧାନ ପ୍ରଣୟନ କରିଥିଲେ ସେମାନଙ୍କ ଦୂରଦୃଷ୍ଟି ଓ ଲକ୍ଷ୍ୟକୁ ପୂର୍ଣ୍ଣାଙ୍ଗ ରୂପ ଦେଇପାରିବା। ଆମେ ଆତ୍ମନିର୍ଭର ଭାରତ ନିର୍ମାଣ ପଥେ ଏବେ ଅଗ୍ରସର। ଆମେ ସେହି ଭାରତ ନିର୍ମାଣ କରିବାରେ ପ୍ରୟାସୀ ଯାହା ନିଜର ସମ୍ପୂର୍ଣ୍ଣ ସାମର୍ଥ୍ୟକୁ ବିନିଯୋଗ କରିପାରିବ।

ନିକଟ ଅତୀତରେ ବିଶେଷ କରି କୋଭିଡ ପରବର୍ତ୍ତୀ ସମୟରେ ଏକ ଉତଥାନମୁଖୀ ନୂଆ ଭାରତକୁ ସମଗ୍ର ବିଶ୍ୱ ଦେଖିବାକୁ ପାଇଛି। ମହାମାରୀ ମୁକାବିଲାରେ ଆମ ଉଦ୍ୟମ ସର୍ବତ୍ର ଚର୍ଚିତ ଓ ପ୍ରଶଂସିତ। ଦେଶରେ କରୋନା ମହାମାରୀ ଟିକା ତିଆରି କରି ମାନବ ଇତିହାସର ସର୍ବବୃହତ ଟିକାଦାନ ଅଭିଯାନ ଆମେ ଭାରତରେ ଆରମ୍ଭ କରିଛୁ। ଟିକା ପ୍ରଦାନ କ୍ଷେତ୍ରରେ ଗତ ମାସରେ ଆମେ ୨୦୦ କୋଟି ସଂଖ୍ୟା ଅତିକ୍ରମ କରିଛୁ। ମହାମାରୀ ମୁକାବିଲାରେ ଆମର ସଫଳତା ଅନେକ ବିକଶିତ ଦେଶଙ୍କଠାରୁ ଅଧିକ ଭଲ। ଏହି ସଫଳତା ପାଇଁ ଆମେ ଆମର ବୈଜ୍ଞାନିକ, ଡାକ୍ତର, ସେବିକା, ପାରାମେଡିକ୍ସ ତଥା ଟିକାଦାନରେ ସଂପୃକ୍ତ କର୍ମଚାରୀମାନଙ୍କ ନିକଟରେ କୃତଜ୍ଞ।

ମହାମାରୀ ସମଗ୍ର ବିଶ୍ୱର ଜନଜୀବନ ଓ ଅର୍ଥନୀତିକୁ ଉଜାଡି ଦେଇଛି। ଏବେ ସମଗ୍ର ବିଶ୍ୱ ବିଗିଡି ଯାଇଥିବା ଅର୍ଥନୀତିକୁ ସୁଧାରିବା ପାଇଁ ସଂଗ୍ରାମ କରୁଥିବା ବେଳେ ଭାରତ ବିଭିନ୍ନ ପଦକ୍ଷେପ ଗ୍ରହଣ କରି ଆପଣାର ଅର୍ଥନୀତିକୁ ଠିକଣାବାଟକୁ ଆଣି ଅଭିବୃଦ୍ଧି ପଥେ ଆଗେଇ ଚାଲିଛି। ଭାରତ ଏବେ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ଅର୍ଥନୀତି ମଧ୍ୟରେ ଅନ୍ୟତମ। ଭାରତର ଷ୍ଟାର୍ଟଅପ ପରିତନ୍ତ୍ରର ସ୍ଥିତି ବିଶ୍ୱରେ ବହୁ ଉପରେ। ଆମ ଦେଶରେ ଷ୍ଟାର୍ଟଅପ ଗୁଡିକର ସଫଳତା ବିଶେଷ କରି ୟୁନିକର୍ଣ୍ଣର ସଂଖ୍ୟା ବୃଦ୍ଧି ଭାରତର ଶିଳ୍ପ ପ୍ରଗତିର ଜ୍ୱଳନ୍ତ ଉଦାହରଣ। ବୈଶ୍ୱିକ ଧାରାକୁ ଭାଙ୍ଗି ଭାରତର ଅର୍ଥନୀତିକ ଅଭିବୃଦ୍ଧିକୁ ବଢ଼ାଇବାର ଶ୍ରେୟ ଆମ ସରକାର ଏବଂ ନୀତି-ନିର୍ମାତା ପାଇବାକୁ ହକଦାର। ଗତ କେଇ ବର୍ଷ ମଧ୍ୟରେ ଦେଶରେ ଭୌତିକ ଓ ଡିଜିଟାଲ ଭିତ୍ତିଭୂମି ନିର୍ମାଣରେ ଅଭୂତପୂର୍ବ ବିକାଶ ଘଟିଛି। ପ୍ରଧାନମନ୍ତ୍ରୀ ଗତିଶକ୍ତି ଯୋଜନା ମାଧ୍ୟମରେ ଜଳ, ସ୍ଥଳ ଓ ଆକାଶ ପଥରେ ସମଗ୍ର ଦେଶ ଯୋଡି ହୋଇଯାଇଛି। ଏହା ଫଳରେ ସମଗ୍ର ଦେଶରେ ପରିବହନ ସୁବିଧା ଉଲ୍ଲେଖନୀୟ ଭାବେ ବଢ଼ିଛି। ଆମ ଅଭିବୃଦ୍ଧି ସଫଳତାର ପଛରେ ରହିଛନ୍ତି ଦେଶର ଶ୍ରମିକ, କୃଷକ ଓ ଉଦ୍ୟୋଗୀମାନେ। କୃଷକ ଶ୍ରମିକଙ୍କ କଠୋର ଶ୍ରମ ଏବଂ ଉଦ୍ୟୋଗୀୀମାନଙ୍କ ବ୍ୟାବସାୟିକ ବିଚକ୍ଷଣତା ଦେଶ ପାଇଁ ଧନ ସମ୍ପଦ ସୃଷ୍ଟି କରୁଛି। ଆହୁରି ଆନନ୍ଦର ବିଷୟ ହେଲା ଅଭିବୃଦ୍ଧି ସମାବେଶୀ ହୋଇଛି ଏବଂ ଆଞ୍ଚଳିକ ବୈଷମ୍ୟ ହ୍ରାସ ପାଉଛି।

ଏହା କେବଳ ଆରମ୍ଭ ମାତ୍ର। ଦୀର୍ଘମିଆଦି ଅଭିବୃଦ୍ଧି ହାସଲ ଓ ଆର୍ଥିକ ପ୍ରଗତି ପାଇଁ ଅନେକ ଅର୍ଥନୀତିକ ସଂସ୍କାର ଓ ସରକାରୀ ନୀତି କାର୍ଯ୍ୟକାରୀ ହେଉଛି। ଉଦାହରଣ ସ୍ୱରୂପ ଡିଜିଟାଲ ଇଣ୍ଡିଆ, ଜ୍ଞାନ ଅର୍ଥନୀତିର ଆଧାରଶୀଳା ତିଆରି କରୁଛି। ‘ଜାତୀୟ ଶିକ୍ଷା ନୀତି’ ପରବର୍ତ୍ତୀ ପିଢ଼ିର ଶିଳ୍ପ ବିପ୍ଳବ ପାଇଁ ନୂଆ ଲୋକଶକ୍ତି ତିଆରି କରିବାକୁ ଉଦ୍ଦିଷ୍ଟ। ଏହି ଶିକ୍ଷାନୀତି ଯେଉଁ ନୂଆ ଶିକ୍ଷିତ ପିଢ଼ି ସୃଷ୍ଟି କରିବ ସେମାନେ ବିକାଶ ସହିତ ଆମ ଐତିହ୍ୟକୁ ପୁନଃ ସଂଯୋଜିତ କରିବେ।

ଅର୍ଥନୀତିକ ସଫଳତା ମଧ୍ୟ ଜୀବନକୁ ସହଜ ଓ ସୁଗମ କରିବାର ବାଟ ଦେଖାଉଛି। ଅର୍ଥନୀତିକ ସଂସ୍କାର ସହିତ ନିର୍ଭୁଲ ଭାବେ ଅଭିନବ କଲ୍ୟାଣକାରୀ ଯୋଜନା ଓ କାର୍ଯ୍ୟକ୍ରମକୁ ସଂଶ୍ଳିଷ୍ଟ କରାଯାଇଛି। ନିଜର ଘର ଖଣ୍ଡିଏ ପାଇବା ଗରିବଙ୍କର ଆଉ ସ୍ୱପ୍ନ ହୋଇ ରହିନାହିଁ। ଅଧିକରୁ ଅଧିକ ବାସହୀନଙ୍କ ପାଇଁ ଏହା ଏକ ବାସ୍ତବତାରେ ପରିଣତ ହୋଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସଫଳତା ଏହି ପରିପ୍ରେକ୍ଷୀରେ ପ୍ରଶଂସନୀୟ। ସେହିଭଳି ‘ଜଳ ଜୀବନ ମିଶନ’ ମାଧ୍ୟମରେ ‘ହରଘର ଜଲ୍’ ଯୋଜନାରେ ସବୁ ଘରକୁ ଟ୍ୟାପ ପାଣି ଯୋଗାଇ ଦିଆଯାଉଛି।

ଏହିସବୁ ଯୋଜନା ଓ ଅନ୍ୟାନ୍ୟ ଅନୁରୂପ କାର୍ଯ୍ୟକ୍ରମ ମାଧ୍ୟମରେ ନିର୍ଦ୍ଦିଷ୍ଟ ଭାବେ ଗରିବଙ୍କ ସହିତ ସମସ୍ତଙ୍କୁ ମୌଳିକ ସୁବିଧାସୁଯୋଗ ଯୋଗାଇ ଦେବାକୁ ଲକ୍ଷ୍ୟ ରଖି ସରକାର କାମ କରୁଛନ୍ତି। ଦରିଦ୍ର, ବଞ୍ଚିତ, ଅବହେଳିତ ଓ ଅଭାବୀ ଲୋକଙ୍କ ପ୍ରତି ଏବେ ଅଧିକ ସହାନୁଭୂତି ଓ ଗୁରୁତ୍ୱ ପ୍ରଦାନ କରାଯାଉଛି। ଆମର କେତେକ ଜାତୀୟ ମୂଲ୍ୟବୋଧକୁ ସମ୍ବିଧାନରେ ସ୍ଥାନିତ କରାଯାଇ ତାହାକୁ ନାଗରିକଙ୍କ ମୌଳିକ କର୍ତ୍ତବ୍ୟ ବର୍ଗରେ ଅନ୍ତର୍ଭୁକ୍ତ କରାଯାଇଛି। ମୁଁ ସବୁ ନାଗରିକଙ୍କୁ ଅନୁରୋଧ କରୁଛି ସେମାନେ ନିଜର ମୌଳିକ କର୍ତ୍ତବ୍ୟ ବିଷୟରେ ଅବଗତ ହୋଇ ତାହାକୁ ଅକ୍ଷରେ ଅକ୍ଷରେ ପାଳନ କରନ୍ତୁ। ଏହା ଦ୍ୱାରା ଆମ ଦେଶ ନୂଆ ଶିଖର ଛୁଇଁପାରିବ।

ପ୍ରିୟ ଦେଶବାସୀ,

ଆମେ ସ୍ୱାସ୍ଥ୍ୟସେବା, ଶିକ୍ଷା, ଅର୍ଥନୀତି ସହିତ ଆହୁରି ଅନେକ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଦେଖୁଛୁ। ଏହି ପରିବର୍ତ୍ତନ ପ୍ରକ୍ରିୟାର ମୂଳରେ ରହିଛି ସୁଶାସନର ଲକ୍ଷ୍ୟ। ଯେତେବେଳେ ‘ଦେଶ ଆଗ’ ବିଚାରରେ କାମ ହେଉଛି, ତାହାର ପ୍ରଭାବ ନିଶ୍ଚିତ ଭାବେ ପ୍ରତ୍ୟେକ ନିଷ୍ପତ୍ତି ଓ ପ୍ରତ୍ୟେକ କ୍ଷେତ୍ରରେ ପଡିବା ସ୍ୱଭାବିକ। ଏହା ମଧ୍ୟ ବିଶ୍ୱରେ ଭାରତର ସ୍ଥିତି ଉପରେ ପ୍ରଭାବ ପକାଉଛି।

ଭାରତ ଏବେ ଯେଉଁ ନୂଆ ଆତ୍ମବିଶ୍ୱାସ ପାଉଛି ତାହା ଆସୁଛି ତାହାର ଯୁବଶକ୍ତି, ଚାଷୀକୁଳ ଓ ମହିଳାବର୍ଗଙ୍କଠାରୁ। ସେମାନଙ୍କର ଉତ୍ସାହ ଓ ଶକ୍ତି ଭାରତକୁ ବେଗଗାମୀ କରାଉଛି। ଲିଙ୍ଗଗତ ଅସମାନତା ହ୍ରାସ ପାଉଛି ଏବଂ ମହିଳାମାନେ ଅନେକ ପ୍ରତିବନ୍ଧକ ଅତିକ୍ରମ କରି ଆଗକୁ ବଢ଼ୁଛନ୍ତି। ସାମାଜିକ ଓ ରାଜନୀତିକ ପ୍ରକ୍ରିୟାରେ ସେମାନଙ୍କ କ୍ରମବର୍ଦ୍ଧିଷ୍ଣୁ ଅଂଶଗ୍ରହଣ ନିର୍ଣ୍ଣାୟକ ସାବ୍ୟସ୍ତ ହେବ। ତୃଣମୂଳ ସ୍ତରରେ ପଞ୍ଚାୟତିରାଜ ଅନୁଷ୍ଠାନରେ ଏବେ ଆମ ଦେଶରେ ୧୪ ଲକ୍ଷରୁ ଅଧିକ ନିର୍ବାଚିତ ମହିଳା ପ୍ରତିନିଧି ରହିଛନ୍ତି।

ଆମ ଝିଅମାନେ ଦେଶର ସବୁଠୁ ବଡ ଆଶା। ସେମାନଙ୍କ ମଧ୍ୟରୁ କେତେକ ନିକଟରେ ଶେଷ ହୋଇଥିବା ରାଜ୍ୟଗୋଷ୍ଠୀ କ୍ରୀଡାରେ ପଦକ ଜିଣି ଦେଶ ପାଇଁ ଗୌରବ ଆଣିଛନ୍ତି। ଏହା ଅବଶ୍ୟ ସତ୍ୟ ଯେ ଭାରତର କ୍ରୀଡାବିତମାନେ ବିଭିନ୍ନ ଆନ୍ତର୍ଜାତିକ କ୍ରୀଡା ପ୍ରତିଯୋଗିତାରେ ଉତ୍ତମ ପ୍ରଦର୍ଶନ କରି ଦେଶକୁ ଗର୍ବିତ କରୁଛନ୍ତି ଏହି ସବୁ ପଦକ ବିଜୟୀ କ୍ରୀଡାବିତମାନଙ୍କ ମଧ୍ୟରୁ ଏକ ବଡ ଭାଗ ସମାଜର ସୁବିଧାସୁଯୋଗରୁ ବଞ୍ଚିତ ଶ୍ରେଣୀ ଓ ବର୍ଗରୁ ଆସିଛନ୍ତି। ଲଢ଼ୁଆ ଯୁଦ୍ଧ ବିମାନର ବୈମାନିକ ହେବାଠାରୁ ମହାକାଶ ବିଜ୍ଞାନୀ ହେବା ପର୍ଯ୍ୟନ୍ତ ଆମ ଝିଅମାନେ ସଫଳତାର ନୂଆ ଉଚ୍ଚତା ଛୁଇଁଛନ୍ତି।

ପ୍ରିୟ ନାଗରିକ,

ସ୍ୱାଧୀନତା ଦିବସ ପାଳନ ସହିତ ଆମେ ଆମର ଭାରତୀୟତାକୁ ମଧ୍ୟ ପାଳନ କରୁଛୁ। ଆମ ଦେଶ ବିବିଧତାରେ ପରିପୂର୍ଣ୍ଣ। ଏହା ସତ୍ତ୍ୱେ ଆମ ଭିତରେ କିଛି ସାଧାରଣ କଥା ଓ ସମାନତା ରହିଛି। ଏହି ସାଧାରଣ ସୂତ୍ର ଆମକୁ ଏକତା ସୂତ୍ରରେ ବାନ୍ଧିରଖି ଏକ ଭାରତ, ଶ୍ରେଷ୍ଠ ଭାରତ, ଚେତନାରେ କାମ କରିବାକୁ ଅନୁପ୍ରେରିତ କରୁଛି।

ଭାରତ ଏବେ ଅତ୍ୟନ୍ତ ମନୋରମ ଦେଶ। ଏହାର ପର୍ବତମାଳା, ନଦନଦୀ, ହ୍ରଦ, ଜଙ୍ଗଲ, ପଶୁପକ୍ଷୀ ଏହାକୁ ଦର୍ଶନୀୟ କରିଛନ୍ତି। ଅତଏବ ପରିବେଶ ପ୍ରତି ଯେତେବେଳେ ବିପଦ ଆସୁଛି ସେତେବେଳେ ଆମକୁ ତାହାର ମୁକାବିଲା କରି ଭାରତର ସୌନ୍ଦର୍ଯ୍ୟ ରକ୍ଷା କରିବାକୁ ଅଙ୍ଗୀକୃତ ହେବାକୁ ପଡିବ। ଜଳ, ମୃତ୍ତିକା ଓ ଜୈବ ବିବିଧତାର ସଂରକ୍ଷଣ ଆମ ପିଲାମାନଙ୍କ ପାଇଁ ଆମର ଏକ ଦାୟୀତ୍ୱ। ପ୍ରକୃତିମାତାର ଯତ୍ନ ଓ ସୁରକ୍ଷା ଭାରତୀୟ ସଂସ୍କୃତିର ଅଂଶ ବିଶେଷ। ଆମେ ଆମର ପାରମ୍ପରିକ ଜୀବନଶୈଳୀ ମାଧ୍ୟମରେ ଅବଶିଷ୍ଟ ବିଶ୍ୱକୁ ବାଟ ଦେଖାଇପାରିବା। ଯୋଗ ଓ ଆୟୁର୍ବେଦ ବିଶ୍ୱକୁ ଭାରତର ଅମୂଲ୍ୟ ଉପହାର। ଉଭୟର ଲୋକପ୍ରିୟତା ବିଶ୍ୱବ୍ୟାପୀ ବୃଦ୍ଧି ପାଉଛି।

ପ୍ରିୟ ଦେଶବାସୀ,

ଆମେ ଆମ ଜୀବନରେ ଯାହା ସବୁ ପାଇଛୁ, ତାହା ଆମକୁ ଆମର ପ୍ରିୟ ଦେଶ ଯୋଗାଇଛି। ଅତଏବ ଦେଶର ନିରାପତ୍ତା, ପ୍ରଗତି ଓ ସମୃଦ୍ଧି ପାଇଁ ଆମେ ପ୍ରତିଦାନରେ ସବୁକିଛି ଦେବାପାଇଁ ଶପଥ ନେବା ଉଚିତ। ଏକ ଗୌରବୋଜ୍ୱଳ ଭାରତ ନିର୍ମାଣ ଦ୍ୱାରା ଆମ ସ୍ଥିତି ଅର୍ଥପୂର୍ଣ୍ଣ ଓ ଯଥାର୍ଥ ହେବ। କନ୍ନଡ ଭାଷା ମାଧ୍ୟମରେ ଭାରତୀୟ ସାହିତ୍ୟକୁ ସମୃଦ୍ଧି କରିଥିବା ପ୍ରଖ୍ୟାତ ଜାତୀୟ କବି କୁବେମ୍ପୁ ଲେଖିଥିଲେ-

“ନାନୁ ଅଲିୱେ, ନିନୁ ଅଲିୱେ

ନମ୍ମ ଏଲୁବୁଗାଲ ମେଲେ

ମୁଦୁବୁଡୁ- ମୁଦୁବୁଡୁ

ନବଭାରତଡ ଲିଲେ”

ଅର୍ଥାତ – ‘ମୁଁ ଚାଲିଯିବି, ତୁମେ ମଧ୍ୟ

ମାତ୍ର, ଆମ ଅସ୍ଥି ଉପରେ ନବ ଭାରତର ମହାନ ଗାଥା ଲେଖାଯିବ’

ମାତୃଭୂମି ଏବଂ ଏହାର ନାଗରିକମାନଙ୍କ ପାଇଁ ପ୍ରାଣୋତ୍ସର୍ଗ କରିବାକୁ ଏହା ଥିଲା ଏହି ମହାନ ଜାତୀୟ କବିଙ୍କର ଦେଶବାସୀଙ୍କୁ ଆହ୍ୱାନ। ୨୦୪୭ର ନୂଆ ଭାରତର ନିର୍ମାଣ କରିବାକୁ ଯାଉଥିବା ଦେଶର ଯୁବସମାଜକୁ ମୋର ବିଶେଷ ଅନୁରୋଧ ସେମାନେ ଏହି ଆଦର୍ଶକୁ ଅନୁସରଣ କରନ୍ତୁ।

ଉଦବୋଧନ ଶେଷ କରିବା ପୂର୍ବରୁ ମୁଁ ଦେଶର ସଶସ୍ତ୍ରବାହିନୀ, ବିଭିନ୍ନ ଦେଶରେ ଥିବା ଦୂତାବାସର ଅଧିକାରୀ ଓ କର୍ମଚାରୀ ଏବଂ ବିଦେଶରେ ରହି ନିଜର ମାତୃଭୂମିକୁ ଗୌରବାନ୍ୱିତ କରିବାକୁ ଚେଷ୍ଟିତ ପ୍ରବାସୀ ଭାରତୀୟମାନଙ୍କୁ ସ୍ୱାଧୀନତା ଦିବସର ଅଭିନନ୍ଦନ ଜଣାଉଛି। ଆପଣମାନଙ୍କୁ ମୋର ଶୁଭେଚ୍ଛା ଓ ଶୁଭକାମନା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.