Home ଜିଲ୍ଲା ପରିକ୍ରମା ୬ନଂ ୱାର୍ଡ ମଠସାହିରେ ଡ୍ରେନ ପାଲଟିଛି ମରଣଯନ୍ତା; ଠିକାଦାର ପ୍ରେମରେ ପୂର୍ତ୍ତ ବିଭାଗ

୬ନଂ ୱାର୍ଡ ମଠସାହିରେ ଡ୍ରେନ ପାଲଟିଛି ମରଣଯନ୍ତା; ଠିକାଦାର ପ୍ରେମରେ ପୂର୍ତ୍ତ ବିଭାଗ

37

ଭଦ୍ରକ, ୧୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରର କେନ୍ଦ୍ରସ୍ଥଳରେ ମଠସାହି ୬ନଂ ୱାର୍ଡ଼ର ଅବସ୍ଥିତି । ମଠସାହିର ମୁଖ୍ୟ ରାସ୍ତା ସହରର ରାଜଘାଟଛକ ଠାରୁ ଆରମ୍ଭ୍ ହୋଇ ୧୬ ନମ୍ବର ଜାତୀୟ ରାଜପଥକୁ ମୋଟେଲ ଛକ ଠାରେ ସଂଯୋଗ କରୁଛି । ମୋଟେଲ ଛକର ଗଳାପୋଲଟି କାର୍ଯ୍ୟକ୍ଷମ ହେବା ପରେ ମଠସାହି ରାସ୍ତାଟି ପୂର୍ବାପେକ୍ଷା ଅଧିକ ବ୍ୟସ୍ତ ବହୁଳ ହୋଇପଡିଛି । ସହସ୍ରାଧିକ ସହରବାସୀଙ୍କର ଦୈନନ୍ଦିନ ଯାତାୟତର ମାଧ୍ୟମ ପାଲଟିଛି ଏହି ରାସ୍ତା । ରାସ୍ତାଟି ସଂପ୍ରତି ପୂର୍ତ୍ତ ବିଭାଗର ଅଧୀନରେ ରହିଛି । ଏହି ରାସ୍ତା ପାଶ୍ୱର୍ରେ ମୋହନ ପ୍ଲାଜା ଠାରୁ ଲକ୍ଷ୍ମୀ ମନ୍ଦିର ପର୍ଯ୍ୟନ୍ତ ଡ୍ରେନଟି ୨୦୦୫ ମସିହାରେ ପୌରପାଳିକା ଦ୍ୱାରା ନିର୍ମାଣ କରାଯାଇଥିଲା । ଡ୍ରେନରୁ ସାଳନ୍ଦୀ ନଦୀକୁ ଜଳ ନିଷ୍କାସନର ବ୍ୟବସ୍ଥା ହୋଇଥିଲା । ପରବର୍ତ୍ତୀ ସମୟରେ ରାସ୍ତାଟିକୁ ପୂର୍ତ୍ତ ବିଭାଗ ପିଚୁ ବଦଳରେ କଂକ୍ରିଟ ରାସ୍ତାରେ ପରିଣତ କଲା । ଏହା ପରଠାରୁ ଉକ୍ତ ରାସ୍ତା ଠିକାଦାରଙ୍କ ଲାଗି ନେଉଟିଆ କିଆରୀ ସାଜିଛି । ରାସ୍ତା ଉପରେ ରାସ୍ତା ନିର୍ମାଣ/ମରାମତି ବର୍ଷକୁ ବର୍ଷ ଚାଲିଛି । ଇତିମଧ୍ୟରେ ରାସ୍ତାର ଉଚ୍ଚତା ସଂଲଗ୍ନ ଡ୍ରେନ ଠାରୁ ଅଧିକ ହୋଇଯାଇଛି । କିନ୍ତୁ ଡ୍ରେନ ଉପରେ ସ୍ଲାବ/ଘୋଡଣି ନଥିବାରୁ ରାସ୍ତାଟି ଏବେ ମରଣଯନ୍ତାରେ ପରିଣତ ହୋଇଛି । ବିଭିନ୍ନ ସମୟରେ ଗ୍ରାମବାସୀ ମାନଙ୍କ ଦ୍ୱାରା ପୌରପାଳିକା ଏବଂ ପୂର୍ତ୍ତ ବିଭାଗର ଦୃଷ୍ଟି ଆକର୍ଷଣ କରାଯାଇଥିବା ସତ୍ତ୍ୱେ ଡ୍ରେନ ଉପରେ ସ୍ଲାବ ପଡ଼ିବା ସମ୍ଭବ ହୋଇନାହିଁ । ଗତ ମାର୍ଚ୍ଚ ମାସରେ ରାଜଘାଟ ଛକ ଠାରୁ ଲକ୍ଷ୍ମୀ ମନ୍ଦିର ରାସ୍ତା ମରାମତି ବେଳେ ଗ୍ରାମବାସୀ ମାନେ ଠିକାଦାର ଓ ବିଭାଗୀୟ ଯନ୍ତ୍ରୀଙ୍କୁ ଏଥିନେଇ ଅବଗତ କରାଇଥିଲେ ।

ବିଭାଗ ପକ୍ଷରୁ ରାସ୍ତା ମରାମତି ସରିବା ପରେ ଡ୍ରେନ ଉପରେ ସ୍ଲାବ ପଡିବ ବୋଲି କୁହାଗଲା । କିନ୍ତୁ ତାହା ଏବେ ମିଛ ବୋଲି ଜଣାପଡିଛି । କିନ୍ତୁ ଠିକାଦାରଙ୍କ ବିଲ ପ୍ରସ୍ତୁତିରେ ବିଭାଗ ଅବହେଳା କରୁନଥିବା ବେଳେ ସ୍ଲାବଟିଏ ପଡିବା କେମିତି ଅସମ୍ଭବ ହୋଇଗଲାଣି ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି । ଅପରପକ୍ଷେ ମାର୍ଚ୍ଚମାସରେ ଯେଉଁ ରାସ୍ତା ମରାମତି ହୋଇଥିଲା ସେହି ରାସ୍ତାର କଂକ୍ରିଟ ଉପରୁ ଏବେ ଗୋଡି ଉଠିବା ଆରମ୍ଭ କଲାଣି । ଅର୍ଥାତ ତିନିମାସ ତଳେ ମରାମତି ହୋଇଥିବା ରାସ୍ତା ଏବେ ପୁଣି ମରାମତି ଆବଶ୍ୟକ କଲାଣି । ଏଥିରୁ ପୂର୍ତ ବିଭାଗର ଠିକାଦାର ପ୍ରେମ ବୁଝିହେଉଛି ବୋଲି ଗ୍ରାମବାସୀଙ୍କ ମଧ୍ୟରେ ଆଲୋଚନା ହେଉଛି । ପୂର୍ବରୁ ଉକ୍ତ ଡ୍ରେନରେ ଜଣେ ବୟସ୍କା ମହିଳା ବର୍ଷା ସମୟରେ ଅନ୍ଧାରରେ ଗଳିପଡ଼ିଥିବା ବେଳେ, ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଜଣେ ସାଇକେଲ ଚାଳକ ସେମିତି ବର୍ଷା ସମୟରେ ନାଳରେ ଗଳିପଡ଼ିଥିବା ବେଳେ ତାଙ୍କୁ ଉଦ୍ଧାର କରାଯାଇଥିଲା । ବ୍ୟସ୍ତବହୁଳ ରାସ୍ତା ହୋଇଥିôବାରୁ ଦୁଇଟି ଗାଡ଼ି ପରସ୍ପରକୁ ଅତିକ୍ରମ କଲାବେଳେ ବହୁ ସମୟରେ ଗାଡ଼ିର ଚକା ନାଳରେ ପଡ଼ି ଲୋକ ଆହତ ହେଉଛନ୍ତି । ଶନିବାର ଦିନ ଏଠାକାର ଏକ କ୍ଲିନିକକୁ ଆସିଥିବା ଏକ କାରର ଚକ ଲକ୍ଷ୍ମୀ ମନ୍ଦିର ନିକଟ ଡ୍ରେନରେ ଗଳିପଡ଼ିଥିଲା । ପରେ ଗ୍ରାମବାସୀମାନେ ବହୁ ପରିଶ୍ରମ କରି ଗାଡ଼ି ଚକାଟିକୁ ନାଳରୁ ବାହାର କରିଥିଲେ । ବଡ ଆଶ୍ଚର୍ଯ୍ୟର କଥା; ଦୀର୍ଘ ୧୬ ବର୍ଷ ଧରି ବିପଦସଙ୍କୁଳ ଅବସ୍ଥାରେ ଥିବା ଏହି ଡ୍ରେନ ଉପରେ ବିଭାଗର ଦୃଷ୍ଟି ପଡୁନାହିଁ । ଏହା ହିଁ ସହରର ଅସଲ ବିକାଶର ଏକ ନମୂନା ବୋଲି ଲୋକେ କହୁଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.