Home ଜିଲ୍ଲା ପରିକ୍ରମା ୫୧ବର୍ଷର ଆଗରପଡ଼ା ମା’ଦକ୍ଷିଣାକାଳୀ ପୂଜା

୫୧ବର୍ଷର ଆଗରପଡ଼ା ମା’ଦକ୍ଷିଣାକାଳୀ ପୂଜା

25

ଭଦ୍ରକ, ୧୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କଳା ଓ ସଂସ୍କୃତିର ମାଟି ଆଗରପଡ଼ାର କାଳିପୂଜା ଅତି ପୁରାତନ । ଏଠାରେ ପ୍ରଥମେ ମହତାବଙ୍କ ପୂର୍ବଜମାନେ ୧୦୦ ବର୍ଷରୁ ଉର୍ଦ୍ଧ୍ୱ ହେବ କାଳୀପୂଜା ଆରମ୍ଭ କରିଥିଲେ । ଆଗରପଡ଼ା ବଜାର ସଂପ୍ରସାରଣ ସହିତ ୧୯୭୨ ମସିହାରେ ମୁଖ୍ୟଛକ କଲେଛକ ଠାରେ ସେତେବେଳେ କେତେକ ଉଦୟମାନ ଯୁବକଙ୍କ ପ୍ରଚେଷ୍ଟାରେ ଦକ୍ଷିଣାକାଳୀ ପୂଜାର ଆରମ୍ଭ କରାଯାଇଥିଲା । ମୁଖ୍ୟତଃ ସାଧକ ୰ ଭାବଗ୍ରାହୀ ପଣ୍ଡା, ୰ ପରିକ୍ଷିତ ଦାସ, ୰ ଗୋବିନ୍ଦ ଦାଶ, ୰ ତାରାଚାନ୍ଦ ଗୁପ୍ତା, ସୁରେଶ ଗୁପ୍ତା, ୰ ଚୈତନ୍ୟ ଦାସ, ୰ ବାସୁଦେବ ପତି, ୰ ବେଣୁ ପରୀକ୍ଷା, ୰ ମେହଶ୍ୱର ନନ୍ଦ, ୰ ପ୍ରଭାକର ବେହେରାଙ୍କ ପ୍ରଚେଷ୍ଟା ଉଲ୍ଲେଖନୀୟ ଅଟେ । ତ୍‌ତକାଳୀନ ଅବସ୍ଥାକୁ ଲକ୍ଷ୍ୟରଖି ଦୀର୍ଘ ୫୧ ବର୍ଷ ଧରି ବହୁ ଘାତ ପ୍ରତିଘାତ ମଧ୍ୟରେ ଏହି ପୂଜା ପାଳିତ ହୋଇ ଆସୁଛି । ସ୍ଥାନୀୟ ବ୍ୟବସାୟୀ ଭାଇମାନେ ଏହି ପୂଜାର ମୁଖ୍ୟ କାର୍ପଟଦାର ଅଟନ୍ତି । ମାରୱାଡ଼ୀ ସଂପ୍ରଦାୟର ସହଯୋଗରେ ଏହା ସରସ ସୁନ୍ଦର ହୋଇ ପାରିଛି । ଏଠାରେ ପ୍ରଥମେ ନୂଆ ଗାଁର ବାଇଧର ପାଣିଗ୍ରାହୀ ପୂଜକ ଥିବା ବେଳେ ପରେ ୰ ବାସୁଦେବ ପତି ଜୀବିତ ଥିବା ପର୍ଯ୍ୟନ୍ତ ପୂଜାକାର୍ଯ୍ୟ ତୁଲାଇ ଆସୁଥିଲେ ।

ସେତେବେଳ ଏକ ନୁଆଣିଆ ଚାଳଘରେ ଏହି ପୂଜା ହୋଇଥିବା ବେଳେ କାଳକ୍ରମେ ପକ୍କା ମଣ୍ଡପ କରାଯାଇ ଦକ୍ଷିଣାକାଳୀ ପୂଜା ପାଇ ଆସୁଛି । ତେବେ ୨୦୧୨ ମସିହାରେ ବଜାର ରାସ୍ତା ସଂପ୍ରସାରଣ ସମୟରେ ଉକ୍ତ କାଳୀ ମଣ୍ଡପଟି ଆଂଶିକ ଭାଙ୍ଗି ଦିଆଯାଇଛି । ଅଦ୍ୟାବଧି ସେହି ଭଙ୍ଗା ମଣ୍ଡପରେ ଦକ୍ଷୀଣାକାଳୀ ପୂଜା ପାଉଛନ୍ତି,ଯାହାକି ଏଠାକୁ ଦର୍ଶନ କରିବାକୁ ଆସୁଥିବା ଶ୍ରଦ୍ଧାଳୁ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଉଛି । ଏଠାରେ ଏହି ପୂଜା ୭ଦିନ ଧରି ପାଳିତ ହେବ । ପ୍ରତ୍ୟେହ ସନ୍ଧ୍ୟାରେ ସଭା, ପ୍ରତିଭା ସମ୍ବର୍ଦ୍ଧନା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଚଳିତ ବର୍ଷ ମୂର୍ତ୍ତି କାରିଗର କନ୍ଦଡ଼ା ଗ୍ରାମର କ୍ଷୀରୋଦ ବେହେରା, ମଧୁସୂଦନ ବେହେରା, ପଦ୍ମଲୋଚନ ବେହେରା ମା ଙ୍କର ମୃଣ୍ମୟ ମୂର୍ତ୍ତି ତିଆରି କରିଥିବା ବେଳେ ଶିବ,ପାର୍ବତୀ ଓ ଇସ୍ରୋ ବୈଜ୍ଞାନିକଙ୍କ ଦ୍ୱାରା ମହାକାଶ ଯାନ ଆଗନ୍ତୁକ ଙ୍କୁ ଆକୃଷ୍ଟ କରୁଛି । ପୂଜା ପାଇଁ ଆଗରପଡ଼ା ମୁଖ୍ୟ ବଜାର କଲେଜ ଛକ କୁ ଆକର୍ଷଣୀୟ ତୋରଣ ଓ ବିଭିନ୍ନ ଆଲୋକମାଳାରେ ସଜା ଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.