Home ଜିଲ୍ଲା ପରିକ୍ରମା ୫୧ତମ ବିଜୟା ମିଳନ, ଉନ୍ନତ ପରମ୍ପରାରୁ ସାହିତ୍ୟ ସଂସ୍କୃତିର ପରିଚୟ ମିଳେ

୫୧ତମ ବିଜୟା ମିଳନ, ଉନ୍ନତ ପରମ୍ପରାରୁ ସାହିତ୍ୟ ସଂସ୍କୃତିର ପରିଚୟ ମିଳେ

99

ଭଦ୍ରକ, ୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସାଂସ୍କୃତିକ ଜୀବନ ସମାଜକୁ ସୁସ୍ଥ ଓ ସୁନ୍ଦର କରିବାରେ ସହାୟକ ହେବା ସହିତ ଦିଗ୍‌ଦର୍ଶନ ଦେଇଥାଏ। ଯେଉଁଠି ସଂସ୍କୃତିର ଅବକ୍ଷୟ ଦେଖାଯାଏ, ସେଠାରେ ସାଂସ୍କୃତିକ ଜୀବନ ଦୁର୍ବଳ ହୋଇପଡେ ବୋଲି ଭଦ୍ରକ ପୂଜ୍ୟପୂଜା ସଂସଦ ଆନୁକୂଲ୍ୟରେ ଆୟୋଜିତ ୫୧ତମ ବିଜୟା ମିଳନ ଉତ୍ସବରେ ମତପ୍ରକାଶ ପାଇଛି। ଭାଗବତ କଲ୍ୟାଣ ମଣ୍ଡପ ପରିସରରେ ଆୟୋଜିତ ଉତ୍ସବକୁ ପଣ୍ଡିତ ଡ. ଅନ୍ତର୍ଯ୍ୟାମୀ ମିଶ୍ର ଉଦ୍‌ଘାଟନ କରି କହିଲେ ଯେ, ଭାଷା ଜ୍ଞାନ ବିଜ୍ଞାନର କଥା କହୁଥିବା ବେଳେ, ସାହିତ୍ୟ ହୃଦୟର କଥା କହିଥାଏ। ମୁଖ୍ୟଅତିଥି ଭାବେ ତିରୁପତି ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ହରେକୃଷ୍ଣ ଶତପଥି ଯୋଗଦେଇ ଓଡ଼ିଶାର ସାହିତ୍ୟ ସଂସ୍କୃତିକୁ ଉଜ୍ଜୀବିତ କରି ରଖିବାରେ ଏପରି ବିଜୟା ମିଳନ ଦୀର୍ଘ ୫୧ବର୍ଷ ଧରି ନିରବଚ୍ଛିନ୍ନ ଭାବେ ଯେପରି ପାଳନ କରିଆସୁଛି ତାହା ନିଶ୍ଚିତ ଭାବେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି କହିଥିଲେ। ମୁଖ୍ୟବକ୍ତା ପ୍ରାଧ୍ୟାପକ ମନୋରଞ୍ଜନ ମହାନ୍ତି କହିଲେ ଯେ, ସମାଜକୁ ଦିଗ୍‌ଦର୍ଶନ ଦେବା ଦିଗରେ ସାହିତ୍ୟିକ ଭୀରୁତା ପ୍ରଦର୍ଶନ କରିବା ଉଚିତ ନୁହେଁ। ସମ୍ମାନିତ ବକ୍ତା ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଶାନ୍ତନୁ ମହାନ୍ତି ଯୋଗଦେଇ ବିଜୟା ମିଳନ ପରି ଉତ୍ସବ ସାମାଜିକ ଜୀବନରେ ବନ୍ଧୁତା ଓ ପ୍ରୀତି ବଜାୟ ରଖେ ବୋଲି କହିଥିଲେ। ପ୍ରାରମ୍ଭରେ ଅନୁଷ୍ଠାନର ପ୍ରାଣ ପ୍ରତିଷ୍ଠାତା ସାହିତ୍ୟରତ୍ନ ସ୍ୱର୍ଗତ ଅପୂର୍ବ ରଂଜନ ରାୟଙ୍କ ଫଟୋଚିତ୍ରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା।

ସମ୍ମାନିତ ଅତିଥି ବିଶିଷ୍ଟ କବୟିତ୍ରୀ ଡ. ମନୋରମା ବିଶ୍ୱାଳ ମହାପାତ୍ର ଏପରି ବିଜୟା ମିଳନ ସାଂସ୍କୃତିକ ଭାବବିନିମୟ ସହିତ ଲେଖକମାନଙ୍କ ସହିତ ସୁସଂପର୍କ ରଖିବାର ଏକ ମାଧ୍ୟମ ବୋଲି କହିଥିଲେ। ଚଳିତବର୍ଷ ମର୍ଯ୍ୟାଦାଜନକ ‘ବିଜୟା ସମ୍ମାନ’ ବିଶିଷ୍ଟ ଲେଖକ, ସ୍ତମ୍ଭକାର ତଥା ଭାଷା ଓ ସଂସ୍କୃତି ଗବେଷକ ପଣ୍ଡିତ ଡ. ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ପ୍ରଦାନ କରାଯାଇଥିଲା। ଅନୁଷ୍ଠାନର ସଭାପତି କରୁଣାକର ବେହୁରିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ‘ବିନୋଦ ବିହାରୀ କଥା ସମ୍ମାନ’ ପ୍ରାଧ୍ୟାପକ ମନୋରଞ୍ଜନ ମହାନ୍ତି, ‘ନିଶାମଣି କବିତା ସମ୍ମାନ’ ଅଧ୍ୟାପିକା ମାଙ୍ଗଳିକା ଦାସ ଏବଂ ‘ସରୋଜ କଳା ସମ୍ମାନ’ ଚିତ୍ରଶିଳ୍ପୀ ଚିନ୍ତାମଣି ବିଶ୍ୱାଳଙ୍କୁ ପ୍ରଦାନ କରାଯାଇଥିଲା। ସୁଶ୍ରୀସ୍ୱାଗତିକା ଦାଶ ମଞ୍ଚ ଆମନ୍ତ୍ରଣ କରିଥିବା ବେଳେ, ଅନୁଷ୍ଠାନର ସହସଂପାଦକ ପ୍ରକୃତିବନ୍ଧୁ ବୈକୁଣ୍ଠ ବିଶ୍ୱାଳ ପ୍ରାକ୍ ସୂଚନା ଓ ପ୍ରାଧ୍ୟାପିକା ଡ. ରାଧାରାଣୀ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ସଂପାଦକ ରୂପକ ବିହାରୀ ରାୟ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଲିପିପୁଷ୍ପା ରାୟ, କବି ବିଜୟୀ ବହଳୀ, ମନୋରମା ରାୟ ଓ ରାଜେନ୍ଦ୍ର ପରିଡ଼ା ପ୍ରମୁଖ ମାନପତ୍ର ପାଠ କରିଥିଲେ। ମାଷ୍ଟର ରୁଦ୍ରମାଧବ ବାରିକଙ୍କ ନିର୍ଦ୍ଦେଶନାରେ ବନ୍ଦନା ପ୍ରଧାନ, ପୂର୍ଣ୍ଣିମା ସାହୁ, ଦେବସ୍ମିତା ସାହୁ, ଅଭିଶେକ ମହାନ୍ତି, ସୁଶ୍ରୀ ମୌସୁମୀ, ସର୍ବେଶ୍ୱର ସାହୁ, ଲଳିତ ମୋହନ ବାରିକ ପ୍ରମୁଖ ଶିଶୁ କଳାକାର ସଙ୍ଗୀତ ପରିବେଷଣ କରିଥିଲେ। ଏହି ଅବସରରେ କବି କରୁଣାକର ବେହୁରିଆଙ୍କ ‘ହେନାର ବାସ୍ନା’, କବି ଗଙ୍ଗାଧର ମହାନ୍ତିଙ୍କ ‘ନଳିନୀ ଗଙ୍ଗା’, କବି ବିଚିତ୍ରାନନ୍ଦ ଜେନାଙ୍କ ‘ମାଟି ମଲାଟ’ ଓ କବି ଭଗବାନ ମହାନ୍ତିଙ୍କ ‘ଶ୍ରୀ ଶ୍ରୀ ଭଜନ’ ଆଦି ପୁସ୍ତକ ଉନ୍ମୋଚିତ ହୋଇଥିଲା।

ନାଟ୍ୟକାର ନିର୍ମଳ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ଦ୍ୱିତୀୟ ଅଧିବେଶନରେ ଅନୁଷ୍ଠିତ କବିତା ପର୍ବରେ କବି ହରମୋହନ କୁଅଁର ସଭାପତିତ୍ୱ କରିଥିବା ବେଳେ, ମୁଖ୍ୟ ଅତିଥି ଭାବେ କବି ହୃଦାନନ୍ଦ ମଲ୍ଲିକ, ମୁଖ୍ୟ ବକ୍ତା ଭାବେ କବି ଅଭୟ କୁମାର ଦାସ ଓ ସମ୍ମାନିତ ବକ୍ତା ଭାବେ ଅଧ୍ୟାପକ ଦତ୍ତାତ୍ରେୟ ଦାସ ପ୍ରମୁଖ ଯୋଗଦେଇ କବିତା ଉପରେ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ। କବି ମୁସ୍ତକ ଗହ୍ୱର, ଦୀପ୍ତିମୟୀ ଦାସ ଓ ମନୋରମା ରାୟ ପ୍ରମୁଖ କବିତା ସଂଯୋଜନା କରିଥିଲେ। ଗୌରାଙ୍ଗଚନ୍ଦ୍ର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଉତ୍ସବରେ ଓଡ଼ିଶାରୁ ବିଭିନ୍ନ ଅଞ୍ଚଳରୁ ଭିନ୍ନ ଭିନ୍ନ ଭାଷାଭାଷୀ କବି ଓ କବୟିତ୍ରୀମାନେ ଅଂଶଗ୍ରହଣ କରି ସ୍ୱରଚିତ କବିତା ପାଠ କରିଥିଲେ। ଦିବସବ୍ୟାପୀ ଏହି କାର୍ଯ୍ୟକ୍ରମକୁ ସାଇସିଦ୍ଧି ଦାସ, ରାଜେଶ ଦାସ, ସଂଗ୍ରାମ ସାହୁ, ମନୋଜ କୁମାର ଦାସ, ରାଜେଶ ରାୟ, ବିଚିତ୍ରାନନ୍ଦ ଜେନା, ଲାଲା, ସତ୍ୟେନ୍ଦୁ ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.