Home ଓଡ଼ିଶା ୪ ଦିନ ହେଲା ବୈତରଣୀ ଓ ସାଳନ୍ଦୀ ନଦୀର ବନ୍ୟା ପରିସ୍ଥିତି ଗମ୍ଭୀର, ୪ ପଞ୍ଚାୟତର...

୪ ଦିନ ହେଲା ବୈତରଣୀ ଓ ସାଳନ୍ଦୀ ନଦୀର ବନ୍ୟା ପରିସ୍ଥିତି ଗମ୍ଭୀର, ୪ ପଞ୍ଚାୟତର ୨୦ ଗାଁ ଜଳବନ୍ଦୀ, ୯ଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ, ବନ୍ୟାଜଳ ସ୍ଥିତି ପରିଖିଲେ ଭଦ୍ରକ ଜିଲାପାଳ

26

ଭଦ୍ରକ, ୧୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଦୀର୍ଘ ୪ ଦିନ ହେବ ଉପର ମୁଣ୍ଡରୁ ଆସୁଥିବା ବନ୍ୟା ପାଣିରେ ତଳମୁଣ୍ଡରେ ବୈତରଣୀ ଓ ସାଳନ୍ଦୀ ନଦୀର ବନ୍ୟାଜଳ ଗମ୍ଭୀର ହେବାରେ ଲାଗିଛି। ଫଳରେ ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ୍‌ର ଆରଡି ସମେତ ଓଳଗ, ନାନ୍ଦପୁର, ସୁନ୍ଦରପୁର ଭଳି ୪ଟି ପଂଚାୟତର ୨୦ଟି ଗାଁ ଜଳଘେରରେ ରହିଛି। ଏଥିସହ ଶୀତଳପୁର, ମୁଆଁ, ବୋଡକ, ଦୋହରାପାଟଣା, ପାରଡିଆ ଭଳି ତଳିଆ ଅଂଚଳରେ ବନ୍ୟାଜଳ ଗାଁ ଦାଣ୍ଡ ସମେତ ଘର ମଧ୍ୟକୁ ପ୍ରବେଶ କରିବାରୁ ବିପନ୍ନମାନେ ବିଭିନ୍ନ ସ୍ଥାନରେ ଆଶ୍ରୟ ନେଇଛନ୍ତି। ବୋଡକ ନିକଟରେ ବୈତରଣୀ କୂଳ ଲଙ୍ଘି ଆଖଣ୍ଡଳମଣି-କୁଆଖିଆ ଜାତୀୟ ରାଜପଥର ୨ ଶହ ମିଟର ରାସ୍ତାକୁ ଧୋଇନେବା ଫଳରେ ରାସ୍ତା ଉପରେ ଏବେ ୩/୪ ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଛି। ଅନୁରୂପ ଆଖଣ୍ଡଳମଣି-ଚାନ୍ଦବାଲି, ଆରଡି-ମତୋ ରାସ୍ତାର ୨ଟି ସ୍ଥାନରେ ୩ ଫୁଟ ଉଚ୍ଚରେ ବନ୍ୟା ପାଣି ପ୍ରବାହିତ ହେଉଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି। ଦୋହରାପାଟଣା ନିକଟରେ ବୈତରଣୀ ନଦୀବନ୍ଧରେ ୧୦ ଫୁଟ୍‌ର ଘଳିଆ ପଡିଥିବାରୁ ବନ୍ୟାଜଳ ଗାଁ ମଧ୍ୟରେ ଲହଡି ମାରୁଛି। ସେହିଭଳି ୯ଟି ଗାଁ ଭୂଇଁପୁର, ପାଲଟପୁର, କୋଇଲିଖା, ସନ୍ତରା, ବାତ୍ତୋଳ, ସାନପଙ୍କି, ସିଙ୍ଗିପୁର ଭଳି ଗାଁ ଏବେବି ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇରହିଛି। ୩ ହଜାରରୁ ଉର୍ଦ୍ଧ୍ୱ ଲୋକ ଏବେ ଜଳବନ୍ଦୀ ହୋଇ ରହିଛନ୍ତି। ଗତ ମଙ୍ଗଳବାର ଅପରାହ୍ନରେ ଭଦ୍ରକ ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ବନ୍ୟାଞ୍ଚଳ ବୁଲି ସ୍ଥିତି ପରଖିବା ସହ ବିପନ୍ନଙ୍କୁ ଯଥାଶୀଘ୍ର ଶୁଖିଲା ଖାଦ୍ୟ ବଣ୍ଟନ ପାଇଁ କହିଥିଲେ ମଧ୍ୟ ଦୁଇଦିନ ହେବ ତାହା ପହଞ୍ôଚ ପାରିନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.