Home ଜିଲ୍ଲା ପରିକ୍ରମା ୪ ଦିନ ପରେ ଦୁର୍ଗାପୂଜା, ବ୍ୟବସାୟୀ, ଲୋକଙ୍କ ମନରେ ନାହିଁ ଉତ୍ସାହ

୪ ଦିନ ପରେ ଦୁର୍ଗାପୂଜା, ବ୍ୟବସାୟୀ, ଲୋକଙ୍କ ମନରେ ନାହିଁ ଉତ୍ସାହ

63

ଭଦ୍ରକ, ୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୫ଦିନ ପରେ ଦୁର୍ଗତିନାଶିନୀ ମା’ ଦୁର୍ଗାଙ୍କ ଅଷ୍ଟମୀ ପୂଜା । ପ୍ରଶାସନ ପକ୍ଷରୁ କୋଭିଡ୍ ମହାମାରୀ ଜନିତ କଟକଣା ଜାରି ପାଇଁ ଚଳିତ ବର୍ଷ ମଧ୍ୟ ପୂଜା ମାହୋଲ ଫିକା ପଡିଛି । ଲୋକଙ୍କ ମନରେ ଉତ୍ସାହ ନାହିଁ । ଅନୁରୂପ ବ୍ୟବସାୟୀଙ୍କ ମନରେ ମଧ୍ୟ ସରାଗ ନାହିଁ । ଗତ ଦୁର୍ଗାପୂଜା ପ୍ରସ୍ତୁତି ବୈଠକରେ ପ୍ରଶାସନ ପକ୍ଷରୁ ଜାରି କଟକଣା ସଂପର୍କରେ ସ୍ପଷ୍ଟ କରାଯିବା ସହ ଏହାକୁ ସମସ୍ତ ପୂଜା କମିଟି ମାନିବାକୁ ଅନୁରୋଧ କରାଯାଇଥିଲା । ସମସ୍ତ କମିଟିର କର୍ମକର୍ତ୍ତାମାନେ ମଧ୍ୟ ପ୍ରଶାସନର ନିର୍ଦ୍ଦେଶକୁ ସମ୍ମାନ ଜଣାଇବାକୁ ପ୍ରତିଶ୍ରୁତି ଦେଇଥିଲେ । ସେହି ଅନୁଯାୟୀ ବିଭିନ୍ନ ପୂଜା କମିଟି ପକ୍ଷରୁ ପାରମ୍ପରିକ ଓ ନିରାଡମ୍ବର ପୂଜା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ପ୍ରଶାସନିକ ନିଷ୍ପତ୍ତି ଅନୁଯାୟୀ ପ୍ରତ୍ୟେକ ସ୍ଥାନରେ ୪ ଫୁଟ୍ ଉଚ୍ଚତା ବିଶିଷ୍ଟ ମୂର୍ତ୍ତି ନିର୍ମାଣ ଚାଲିଛି । ସେହିପରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଉପରେ କଟକଣା ଥିବାରୁ ସେଥିନିମିତ୍ତ ବ୍ୟବସ୍ଥା ଗ୍ରହଣ କରିଛନ୍ତି କମିଟିର କର୍ମକର୍ତ୍ତାମାନେ । ସୂଚନା ଅନୁଯାୟୀ ଭଦ୍ରକ ପୌରାଞ୍ଚଳରେ ପୂର୍ବବର୍ଷମାନଙ୍କରେ ୨୨ଟି ସ୍ଥାନରେ ମା’ ଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ହୋଇଥିଲା । ସମଗ୍ର ଜିଲାରେ ଏହି ସଂଖ୍ୟା ୧୧୫ ରୁ ଅଧିକ ଥିଲା । ପୌରାଞ୍ଚଳର ନୂଆ ବଜାର, ଗବସାହି, ବଙ୍କବାସୁଳୀ ମନ୍ଦିର, ଲାହାପଟି, ଶଙ୍କରପୁର, ସନ୍ଥିଆ, ନୀଳକଣ୍ଠପୁର, ବାଇପାସ, ଚରମ୍ପା ବାସନ୍ତୀ ଦୁର୍ଗା କମିଟି, ହାଇସ୍କୁଲ ରୋଡ୍‌, ଜାନୁଗଞ୍ଜ, ରାନ୍ଦିଆ ଠାରେ ମା’ଙ୍କ ପୂଜା ବେଶ୍ ଧୁମ୍‌ଧାମରେ ପାଳିତ ହୋଇଥାଏ ।

ସେହିପରି ଭଦ୍ରକର ଆରାଧ୍ୟ ଦେବୀ ମା’ ଭଦ୍ରକାଳୀଙ୍କ ପୀଠାରେ ମଧ୍ୟ ପରମ୍ପରା ଅନୁଯାୟୀ ରୀତିନୀତି ପାଳନ ହୋଇଥାଏ । ଭଦ୍ରକରେ ତନ୍ତ୍ରବାଦ ସପ୍ତମ ଶତାବ୍ଦୀରେ ବିଶେଷ ଭାବେ ପ୍ରସାର ଲାଭ କରିଥିବା ବିଭିନ୍ନ ଆଧ୍ୟାତ୍ମିକ ଗ୍ରନ୍ଥରୁ ଜଣାପଡିଥାଏ । ତେଣୁ ଜିଲାରେ ଶକ୍ତି ଉପାସନର ଇତିହାସ ବେଶ୍ ପ୍ରାଚୀନ । ରାଜ୍ୟର ପ୍ରମୁଖ ଶକ୍ତିପୀଠ ମଧ୍ୟରୁ ଭଦ୍ରକର ମା’ ଭଦ୍ରକାଳୀଙ୍କ ପୀଠ ବିଶେଷ ଭାବେ ଗୁରୁତ୍ୱ ବହନ କରିଥାଏ । ପ୍ରତିପଦ ଠାରୁ ମା’ ଭଦ୍ରକାଳୀଙ୍କ ପୀଠରେ ୯ଟି କଳସ ସ୍ଥାପନ କରାଯାଇଥାଏ । ମା’ଙ୍କ ଉଭୟ ପାଶ୍ୱର୍ରେ ଥିବା ଜୟା ବିଜୟାଙ୍କୁ ପୂଜା କରାଯାଇଥାଏ । ଯେହେତୁ ଦେବୀ ଭଦ୍ରକାଳୀଙ୍କୁ ଦୁର୍ଗା ଭାବେ ବିଚାର କରାଯାିଥାଏ । ଦୁର୍ଗାପୂଜାର ସନ୍ଧି ପୂଜା ସମୟରେ ଏକାସନରେ ବସି ପୂଜା କରିବାକୁ ପଡିଥାଏ । ସନ୍ଧିପୂଜା ଶେଷରେ ଧ୍ୟାନ ସମୟରେ ପୁରୋହିତ ୧୦୮ ତୁଳସୀ ପତ୍ରରେ ଗୁନ୍ଥା ମାଳ ହାତରେ ଧରି ମନ୍ତ୍ର ଉଚ୍ଚାରଣ କରିଥାନ୍ତି । ଅସୁର ବଧ ସମୟରେ ଚାମୁଣ୍ଡାଙ୍କ ଉଦ୍ଦେଶ୍ୟରେ ଧ୍ୟାନମନ୍ତ୍ର ବୋଲାଯାଏ । ଅସୁର ନିଧନ ପରେ ଦେବୀଙ୍କୁ ଏହି ମାଳ ପିନ୍ଧାଯାଇ ଶାନ୍ତ କରାଯାଇଥାଏ । ଏହା ବ୍ୟତୀତ ସପ୍ତମୀ, ଅଷ୍ଟମୀ ଓ ନବମୀ ତିଥିରେ ଯଜ୍ଞ, ଚଣ୍ଡୀ ପାଠ ଆୟୋଜନ ହୋଇ ଦଶମୀରେ ପୂର୍ଣ୍ଣାହୁତି କାର୍ଯ୍ୟ ସଂପନ୍ନ ହୋଇଥାଏ । ଏହି ଅବସରରେ ନବରାତ୍ର ପୂଜା ଅନୁଷ୍ଠିତ ହୋଇ ମା’ ଦୁର୍ଗାଙ୍କ ଦଶ ମହାବିଦ୍ୟା ରୂପକୁ ପୂଜା କରାଯାଇଥାଏ । ବିଶେଷତଃ ସପ୍ତମୀ, ଅଷ୍ଟମୀ ଓ ନବମୀ ତିଥିରେ ୩ ଦିନ ଧରି ଅଖଣ୍ଡ ଚଣ୍ଡୀ ପାଠ ମଧ୍ୟ କରାଯାଇଥାଏ । ଏହି ପୂଜା କାଳରେ ସଂପୂର୍ଣ୍ଣ ବୈଷ୍ଣବ ପଦ୍ଧତିରେ ଭୋଗ ଲାଗି ହୋଇଥାଏ । ପୂର୍ବରୁ ଏହି ଦିନମାନଙ୍କରେ ଛେଳି, କୁକୁଡା ବଳି ପଡୁଥିଲା । ମାତ୍ର ଭଦ୍ରକ ସଦାବର୍ତ୍ତ ମଠର ମହନ୍ତ ଓ ଡ. ହରେକୃଷ୍ଣ ମହତାବଙ୍କ ଉଦ୍ୟମରେ ଏହି ପ୍ରଥା ୧୯୪୮ ମସିହାରୁ ବନ୍ଦ ହୋଇସାରିଛି । ତେବେ ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ମା’ଙ୍କ ପୀଠରେ ପୂଜାର ମାହୋଲ ଦେଖିବାକୁ ମିଳିବ ନାହିଁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.