Home ଜିଲ୍ଲା ପରିକ୍ରମା ୨ ମାସ ହେବ ନିଖୋଜ ଛାତ୍ର ଜିତେନ୍ଦ୍ରର ପତ୍ତା ପାଉନାହାଁନ୍ତି ପରିବାର, ଥାନାକୁ ଦୌଡି ଦୌଡି...

୨ ମାସ ହେବ ନିଖୋଜ ଛାତ୍ର ଜିତେନ୍ଦ୍ରର ପତ୍ତା ପାଉନାହାଁନ୍ତି ପରିବାର, ଥାନାକୁ ଦୌଡି ଦୌଡି ଶେଷରେ ନିରାଶ ପିତା ଏସ୍‌ପିଙ୍କ ଦ୍ୱାରସ୍ତ

9

ଭଦ୍ରକ, ୨୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ସ୍ଥିତ ଆଦର୍ଶ ବିଦ୍ୟାଳୟରେ ପଢୁଥିବା ଜଣେ ଛାତ୍ର ଭଦ୍ରକର ଜଗନ୍ନାଥପୁରରେ ପିତାମାତାଙ୍କ ସହ ଭଡାଘରେ ରହିଆସୁଥିବାବେଳେ ପ୍ରାୟ ୨ ମାସରୁ ଉର୍ଦ୍ଧ୍ୱ ହେବ ନିଖୋଜ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ତେବେ ନିଖୋଜ ଛାତ୍ରଟିର ପିତା ଭଦ୍ରକ ସହରାଞ୍ଚଳ ଥାନାରେ ଗତ ଅଗଷ୍ଟ ୨୪ ତାରିଖରୁ କେଶ୍ ନଂ ୫୫/୨୩ ମୂଳେ ଏକ ନିଖୋଜ ମାମଲା ରୁଜୁ କରିଥିଲେ ମଧ୍ୟ ପୁଲିସ୍ ଏ ଦିଗରେ କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଫଳରେ ରୋଗିଣା ମା’ଟିର ଅବସ୍ଥା ପୁତ୍ର ବିନା ଶୋଚନୀୟ ହୋଇପଡିଛି । ଏ ସଂପର୍କରେ ମିଳିଥିବା ତଥ୍ୟ ମୂଳେ ଏହି ଜିଲାର ତିହିଡି ବ୍ଲକ୍ ମଙ୍ଗଳପୁର ପଞ୍ଚାୟତ କମାରିଆ ଗ୍ରାମର ରବିନ୍ଦ୍ର ସାହୁଙ୍କ ପୁତ୍ର ଜିତେନ୍ଦ୍ର (୧୮) ଭଦ୍ରକ ସହରାଞ୍ଚଳର ଜଗନ୍ନାଥପୁରରେ ଭଡାଘରେ ରହିଆସୁଥିବାବେଳେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଏକ ଠେଲାଗାଡିରେ ଜଳଖିଆ ବିକ୍ରି କରି ନିଜର ପରିବାର ପ୍ରତିପୋଷଣ ସହ ପଢାଖର୍ଚ୍ଚ ଉଠାଉଥିଲା । ଭଦ୍ରକର ବାଗୁରାଇ ହାଇସ୍କୁଲରୁ ୧୦ମ ପାସ୍ କରି ସେ ବନ୍ତସ୍ଥିତ ଆଦର୍ଶ ବିଦ୍ୟାଳୟରେ ଏବେ ଅଧ୍ୟୟନରତ ଥିଲା । ତେବେ ଗତ ପ୍ରାୟ ଦୁଇମାସ ତଳେ ସେ ନିଜ ଘରୁ ଏକ ସାଇକେଲ୍ ଯୋଗେ ବଜାରକୁ ଆସି ନିଖୋଜ ହୋଇଯାଇଥିଲା ।

ପରିବାର ଲୋକେ ବିଭିନ୍ନ ସଂପର୍କୀୟ ଓ ବସ୍‌ଷ୍ଟାଣ୍ଡ ଠାରୁ ଆରମ୍ଭ କରି ରେଳଷ୍ଟେସନ ପର୍ଯ୍ୟନ୍ତ ଖୋଜାଖୋଜି କରିଥିଲେ ମଧ୍ୟ ସେଠାରେ ତାର କୌଣସି ସନ୍ଧାନ ପାଇନଥିଲେ । ନିଖୋଜର ୩ ଦିନ ପରେ ଜିତେନ୍ଦ୍ରର ସାଇକେଲ୍‌ଟି ଚରମ୍ପାସ୍ଥିତ ଭଦ୍ରକ ରେଲ ଷ୍ଟେସନରେ ଦେଖିବାକୁ ମିଳିଥିଲା । ଏ ସଂପର୍କରେ ପିତା ରବିନ୍ଦ୍ର ସହରାଞ୍ଚଳ ଥାନାରେ ଅବଗତ କରାଇ ସମସ୍ତ ତଥ୍ୟ ଦେଇଥିବାବେଳେ ହଠାତ୍ କିଛିଦିନ ତଳେ ଏକ ଅଜଣା ନମ୍ବରରୁ ତାଙ୍କ ପତ୍ନୀଙ୍କ ନିକଟକୁ ଏକ ଫୋନ୍ ଆସିଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ତାହା କଟିଯାଇଥିଲା । ଘରୁ ଯିବା ସମୟରେ ଜିତେନ୍ଦ୍ର ନିଜର ମୋବାଇଲ୍‌ଟିକୁ ଚାର୍ଜରେ ବସାଇ କୌଣସି ଜିନିଷପତ୍ର କିମ୍ବା ଟଙ୍କା ସାଙ୍ଗରେ ନେଇନଥିବାରୁ ତାର ନିଖୋଜକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଜିତେନ୍ଦ୍ର ନିଜ ପିତାଙ୍କର ଦୁଇପୁତ୍ରଙ୍କ ମଧ୍ୟରୁ ସାନ ହୋଇଥିବାବେଳେ ତାର ଏଭଳି ନିଖୋଜ ଘଟଣାରେ ଉଭୟ ପିତା-ମାତା ମର୍ମାହତ ହୋଇ ଏବେ ମାନସିକ ଭାବେ ଭାଙ୍ଗିପଡିଛନ୍ତି । ଥାନାକୁ ପିତା ରବିନ୍ଦ୍ର ବାରମ୍ବାର ଯାଇ ବିଫଳ ହୋଇ ଫେରିଆସୁଥିବାବେଳେ ମା’ ଧୀରେ ଧୀରେ ଶଯ୍ୟାଶାୟୀ ହୋଇ ଗୁରୁତର ହୋଇପଡିଲେଣି । ଏଣୁ ଜିଲା ଆରକ୍ଷୀ ଅଧୀକ୍ଷକ ଏ ଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରିବାର ଲୋକେ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.