Home ଜିଲ୍ଲା ପରିକ୍ରମା ୨ ବର୍ଷ ପରେ ଭକ୍ତଙ୍କ ଗହଣରେ ଉଠିଲା ଆଖଣ୍ଡଳମଣିଙ୍କ ଶିବବିବାହ ପାଇଁ ଲଗ୍ନ ଚିଟାଉ ଥାଳ,...

୨ ବର୍ଷ ପରେ ଭକ୍ତଙ୍କ ଗହଣରେ ଉଠିଲା ଆଖଣ୍ଡଳମଣିଙ୍କ ଶିବବିବାହ ପାଇଁ ଲଗ୍ନ ଚିଟାଉ ଥାଳ, ଉତ୍ସବ ମୁଖର ସମଗ୍ର ଆରଡିପୀଠ

15

ଭଦ୍ରକ, ୧୭ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ ୨ ବର୍ଷର କଟକଣା ପରେ ଚଳିତବର୍ଷ ବାବା ଆଖଣ୍ଡଳମଣିଙ୍କ ଶିବ ବିବାହ ଉତ୍ସବ ଆସନ୍ତା ଜୁନ୍ ୪ ରେ ମହା ଆଡମ୍ବର ସହକାରେ ପାଳିତ ହେବ। ଏଥିପାଇଁ ପବିତ୍ର ଚନ୍ଦନପୂର୍ଣ୍ଣିମା ଓ ପରମ୍ପରା ଅନୁଯାୟୀ ଲଗ୍ନ ଚିଟାଉ ଥାଳ ଉଠା ନୀତି ଅନୁଷ୍ଠିତ ହୋଇଯାଇଛି। ସକାଳୁ ମନ୍ଦିର ଦ୍ୱାର ଫିଟା ନୀତି ସରିବା ପରେ ଚାଲିଥିଲା ସ୍ୱତନ୍ତ୍ର ନୀତିକାନ୍ତି। ଚଳିତବର୍ଷ ଦେବଦମ୍ପତିଙ୍କ ବିବାହ ନିମନ୍ତେ ଦୁଷ୍ମନ୍ତ ପାଢୀ ବରପିତା ଭାବେ ଚୟନ ହୋଇଥିବାବେଳେ କନ୍ୟାପିତା ଭାବେ ବ୍ରହ୍ମପୁର ଜିଲା ନିବାସୀ ଚନ୍ଦ୍ରଶେଖର ଦାଶ ସୌଭାଗ୍ୟ ପ୍ରାପ୍ତି ହୋଇଛନ୍ତି। ଗତ ୨ ବର୍ଷ କରୋନା କଟକଣା ଯୋଗୁଁ ବିନା ଭକ୍ତରେ ସୀମିତ ସେବାୟତଙ୍କ ଗହଣରେ ବିବାହ ସଂପନ୍ନ କରାଯାଇଥିଲା। ହେଲେ ଚଳିତବର୍ଷ ଭକ୍ତଙ୍କୁ ଏହି ବିବାହ ଉତ୍ସବରେ ସାମିଲ ହେବା ପାଇଁ ପ୍ରଶାସନ ପକ୍ଷରୁ ଅନୁମତି ମିଳିଥିବାରୁ ଭକ୍ତଙ୍କ ଗହଣରେ ବିବାହ କାର୍ଯ୍ୟ ଅନୁଷ୍ଠିତ ହେବ। ଚଳିତବର୍ଷ ବିବାହ ଶୋଭାଯାତ୍ରାରେ ପାରମ୍ପରିକ ଲୋକବାଦ୍ୟ ପୁଣି ଦୁଲୁକିବି ଆରଡିପୀଠରେ। ଲଗ୍ନ ଚିଟାଉ ଥାଳ ଉଠା ନୀତି ପାଇଁ ବରପିତା ଦୁଷ୍ମନ୍ତ ପାଢୀ ନିଜର ଜ୍ଞାତିକୁଟୁମ୍ବ ସହ ବାଜା ରୋଷଣି ସହ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ କନ୍ୟାପିତା ଚନ୍ଦ୍ରଶେଖର ଦାଶଙ୍କ ପୁରୋହିତ ଚନ୍ଦ୍ରମଣି ପାଢୀଙ୍କ ଘରେ ପହଞ୍ôଚଥିଲେ। ସେଠାରେ ବୈଦିକ ରୀତିନୀତି ଅନୁସାରେ ବ୍ରାହ୍ମଣ ଓ ଜ୍ୟୋତିଷଙ୍କ ଦ୍ୱାରା ଲଗ୍ନ ଚିଟାଉ ତାଳପତ୍ରରେ ଲେଖାହେବା ପଠନ କରାଯାଇଥିଲା। ଏପରିକି ବିବାହ ବେଦୀରେ ଯୌତୁକ ବାବଦକୁ ହରଙ୍କୁ କନ୍ୟା ପିତା ୨ ହଳ ନାଗନାଗୁଣୀ ସହ ୨ ହଳ ବୃଷଭ, ୨ ଏକର ଶ୍ମଶାନ ଜମି ଓ ନଗଦ ୫୦୧ ଟଙ୍କା ଦେବାପାଇଁ ସର୍ବସମ୍ମୁଖରେ ପ୍ରକାଶ କରିଥିଲେ। ପରେ ଲଗ୍ନ ଥାଳ ବରପିତାଙ୍କୁ ଟେକି ଦେଇଥିଲେ। ଏହି ବିବାହ କାର୍ଯ୍ୟ ବୈଦିକ ରୀତିନୀତି ଓ ଲୋକାଚାରରେ ଅନୁଷ୍ଠିତ ହେଉଥିବାରୁ ଦେବଦେବ ମହାଦେବ ମଣିବାବାଙ୍କର ମାନବୀୟ ଭାବେ ଲଗ୍ନ ସରିବା ପରେ ଜୁନ୍ ୪ ରେ ଦେବଦମ୍ପତିଙ୍କ ବିବାହ ନିମନ୍ତେ ମଙ୍ଗୁଳା ଗୁଆ ଓ ନିମନ୍ତ୍ରଣ ପତ୍ର ପୀଠ ସମେତ ଆଖପାଖ ଜିଲାର ଦେବାଦେବୀଙ୍କ ନିମନ୍ତ୍ରଣ ପାଇଁ ସେବାୟତମାନେ ଯିବାର କାର୍ଯ୍ୟକ୍ରମ ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.