Home ଜିଲ୍ଲା ପରିକ୍ରମା ସାତଭଉଣୀ ବଜାରରେ ଅଗ୍ନିକାଣ୍ଡ ଘଟି ୬ ଟି ଦୋକାନ ଭସ୍ମୀଭୂତ, ପ୍ରାୟ ୧୦ ଲକ୍ଷ ଟଙ୍କାର...

ସାତଭଉଣୀ ବଜାରରେ ଅଗ୍ନିକାଣ୍ଡ ଘଟି ୬ ଟି ଦୋକାନ ଭସ୍ମୀଭୂତ, ପ୍ରାୟ ୧୦ ଲକ୍ଷ ଟଙ୍କାର ସଂପତ୍ତି ପୋଡିଗଲା

20

ଭଦ୍ରକ, ୧୭ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗ୍ୟାସ୍ ପାଇପ୍ ବାହାରି ନିଆଁ ଲାଗିଯିବାରୁ ଆଜି ଭଦ୍ରକ-ଆଖଣ୍ଡଳମଣି ରାଜ୍ୟ ରାଜପଥର ସାତଭଉଣୀ ବଜାରରେ ୬ ଗୋଟି ଦୋକାନ ଜଳି ଯାଇଛି। ଏହି ଆକସ୍ମିକ ଅଗ୍ନିକାଣ୍ଡରେ ଆନୁମାନିକ ୧୦ ଲକ୍ଷ ଟଙ୍କାର କ୍ଷୟକ୍ଷତି ହୋଇଥିବା ଜଣାପଡିଛି। ଆଜି ସକାଳ ପ୍ରାୟ ସାଢେ ପାଞ୍ଚଟା ବେଳକୁ ସାତଭଉଣୀ ବଜାରରେ ଥିବା ସୁଦର୍ଶନ ପରିଡାଙ୍କ ମିଠା ଦୋକାନରେ ଗ୍ୟାସ୍ ଯୋଗେ ଜଳଖିଆ ପ୍ରସ୍ତୁତ ଚାଲିଥିଲା। ଏହି ସମୟରେ ଅସାବଧାନତା ଯୋଗୁଁ ଆଞ୍ଚରୁ ନିଆଁ ବାହାରି ଆସିଥିବାବେଳେ ଗ୍ୟାସ୍ ଟାଙ୍କିକୁ ଜଣେ କର୍ମଚାରୀ ଟାଣି ନେବାରୁ ଏଥିରୁ ପାଇପ୍ ବାହାରି ଯାଇ ନିଆଁ ଆଖି ପିଛୁଳାକେ ଲାଗି ଯାଇଥିଲା। ନିଆଁ ପ୍ରଖର ହୋଇ ସୁଦର୍ଶନଙ୍କ ମିଠା ଦୋକାନକୁ ଗିଳିଦେବା ସହ କେଇ ମିନିଟ୍ ମଧ୍ୟରେ ଦୁଇ ପାଖରେ ଥିବା ଅନ୍ୟ ୫ଟି ଦୋକାନକୁ ଜାଳି ଦେଇଥିଲା। ଜୀବନ ଭୟରେ ମିଠା ଦୋକାନୀ ସମତେ ଅନ୍ୟମାନେ ବାହାରକୁ ପଳାଇ ଆସିଥିବା ସମୟରେ ସକାଳ ହେତୁ ଅନ୍ୟ ଦୋକାନ ଖୋଲା ହୋଇନଥିଲା। ଭଦ୍ରକରୁ ଦମକଳ ଗାଡି ଆସି ନିଆଁ ଲିଭାଇଥିଲେ ମଧ୍ୟ ୬ ଟି ଦୋକାନରୁ କୌଣସି ଗୋଟିଏ ଜିନିଷ ଉଦ୍ଧାର ହୋଇପାରିନଥିଲା। ଅଗ୍ନିକାଣ୍ଡରେ ସୁଦର୍ଶନ ପରିଡାଙ୍କ ମିଠା ଜଳଖିଆ ଦୋକାନ ସମେତ ଶ୍ରୀଧର ପରିଡାଙ୍କ ସାର ଓ ବିଷ ଦୋକାନ, ବସନ୍ତ ଦାସଙ୍କ ବାଇକ୍ ଗ୍ୟାରେଜ୍‌, ସନ୍ତୋଷ ବେହେରାଙ୍କ ପାନ ଦୋକାନ, ଚିତ୍ତରଞ୍ଜନ ରାଉତଙ୍କ ପାନ ଭେରାଇଟ ଷ୍ଟୋର ଏବଂ ରଂଜନ ଜେନାଙ୍କ କୋଇଲା ଦୋକାନ ପୋଡି ଯାଇଛି। ନଗଦ ଟଙ୍କା ସହ ଏକାଧିକ ଫ୍ରିଜ୍‌, ସାର, ତେଲ, କୋଇଲା, ଥଣ୍ଡା ପାନୀୟ ଆଦିକୁ ମିଶାଇ ପ୍ରାୟ ୧୦ ଲକ୍ଷ ଟଙ୍କାର ଜିନିଷପତ୍ର ନଷ୍ଟ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.