Home ଜିଲ୍ଲା ପରିକ୍ରମା ୨ ଦିନିଆ ନିଯୁକ୍ତି ମେଳା, ଆଶା ଆଶଙ୍କାରେ ଚାକିରୀ ଆଶାୟୀ

୨ ଦିନିଆ ନିଯୁକ୍ତି ମେଳା, ଆଶା ଆଶଙ୍କାରେ ଚାକିରୀ ଆଶାୟୀ

53

ଭଦ୍ରକ, ୧୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ସରକାରଙ୍କ ପ୍ରାୟୋଜିତ ତଥା ରାଜ୍ୟ ଦକ୍ଷତା ବିକାଶ ପ୍ରାଧିକରଣ ଏବଂ ଭଦ୍ରକ ଜିଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଆସନ୍ତାକାଲି ସୋମବାର ଓ ମଙ୍ଗଳବାର ଦୁଇଦିନ ଧରି ନିଯୁକ୍ତି ମେଳା ଅନୁଷ୍ଠିତ ହେବ । ଆସନ୍ତାକାଲି ବରପଦା ଇଂଜିନିୟରିଂ ସ୍କୁଲ ଅଫ୍ ଟେକ୍ନୋଲୋଜି ଠାରେ ଓ ୨୧ ତାରିଖ ମଙ୍ଗଳବାର ଅସୁରାଳି ସ୍ଥିତ ଭଦ୍ରକ ଇଂଜିନିୟରିଂ ସ୍କୁଲଠାରେ ଏହି ମେଳା ଅନୁଷ୍ଠିତ ହେବ । ଏହା ପୂର୍ବାହ୍ନ ୯.୩୦ ରୁ ଆରମ୍ଭ ହୋଇ ୨ଟା ପର୍ଯ୍ୟନ୍ତ ଚାଲିବ । ୫ମ ଶ୍ରେଣୀ ପାସ୍ ଠାରୁ ଆରମ୍ଭ କରି ଆଇଟିଆଇ, ଡିପ୍ଲୋମା, ନର୍ସିଂ କୋର୍ସ କରିଥିବା ଯୁବକ ଯୁବତୀ ଏଥିରେ ଭାଗ ନେଇପାରିବେ । ଏହି ମେଳାରେ ରାଜ୍ୟ ତଥା ଜାତୀୟସ୍ତରର ବହୁ ଖ୍ୟାତି ସଂପନ୍ନ ନିଯୁକ୍ତିଦାତା ଯୋଗଦେଇ ପ୍ରାର୍ଥୀ ଚୟନ କରିବେ । ଆଶାୟୀ ପ୍ରାର୍ଥୀମାନେ ନିଜର ବାସିନ୍ଦା ପ୍ରମାଣପତ୍ର ସହ ସମସ୍ତ ଶିକ୍ଷାଗତ ଯୋଗ୍ୟତାର ମୂଳ ଓ ଅବିକଳ ନକଲ ନେଇ ସିଧାସଳଖ ମେଳା ସ୍ଥଳରେ ପହଞ୍ôଚ ନିଜ ନାମ ପଂଜିକରଣ କରିପାରିବେ । କୌଣସି ସରକାରୀ ଚାକିରୀ ପାଇଁ ଏହି ମେଳାରେ ବ୍ୟବସ୍ଥା ନଥିବା ଜିଲା ନିୟୋଜନ ଅଧିକାରୀ ସ୍ପଷ୍ଟ କହିଛନ୍ତି । ତେବେ ଭିନ୍ନକ୍ଷମ ଓ ଗର୍ଭବତୀ ମହିଳାମାନଙ୍କ ପାଇଁ ବନ୍ତଛକରୁ ଯାତାୟତ ପାଇଁ ବ୍ୟବସ୍ଥା କରାଯାଇଛି ବୋଲି ସୂଚନା ପ୍ରଦାନ କରାଯାଇଛି । ଗତବର୍ଷ କୋଭିଡ୍ କଟକଣା ପାଇଁ ନିଯୁକ୍ତି ମେଳା ବନ୍ଦ ରହିଥିବାବେଳେ ବିଗତ ବର୍ଷମାନଙ୍କରେ ଅନୁଷ୍ଠିତ ହୋଇ ଆସିଥିବା ନିଯୁକ୍ତି ମେଳାଗୁଡିକ ଏକ ପ୍ରକାର ପ୍ରହସନରେ ପରିଣତ ହୋଇଥିବା ଦେଖିବାକୁ ମିଳିଛି ।

ପ୍ରଶାସନ ପକ୍ଷରୁ ବହୁ ଷ୍ଟଲ ନିର୍ମାଣ କରାଯାଇଥିଲେ ମଧ୍ୟ ଏଗୁଡିକ ମଧ୍ୟରୁ ଅଧିକାଂଶ ଫାଙ୍କା ପଡିଥାଏ । କୌଣସି ମେଳାରେ ଗୋଟିଏ ହେଲେ ନାମୀଦାମୀ କଂପାନୀକୁ ଦେଖିବାକୁ ମିଳିନଥାଏ । କେବଳ କେତେକ ଘରୋଇ ସିକ୍ୟୁରିଟି କଂପାନୀ, ବୀମା କଂପାନୀ ସମେତ କିଛି ଅନାମଧେୟ କଂପାନୀ ପହଞ୍ôଚଥାନ୍ତି । ଜିଲା ପ୍ରଶାସନ ଦ୍ୱାରା ଏହି ମେଳା ଆୟୋଜିତ ହେଉଥିଲେ ମଧ୍ୟ ଜିଲାର ଦୁଇ ପ୍ରମୁଖ ଶିଳ୍ପ ସଂସ୍ଥା ଧାମରା ବନ୍ଦର କିମ୍ବା ବେଦାନ୍ତ ଫେକର ଭଳି ସଂସ୍ଥାଙ୍କୁ ଆଜିପର୍ଯ୍ୟନ୍ତ କୌଣସି ନିଯୁକ୍ତି ମେଳାରେ ଯୋଗନଦେବା ପ୍ରଶାସନିକ ବିଫଳତା ବୋଲି ମତ ପ୍ରକାଶ ପାଇଆସୁଛି । ଫଳରେ ନିଯୁକ୍ତି ଆଶାରେ ଆସିଥିବା ହଜାର ହଜାର ଯୁବକ ଯୁବତୀ ନିରାଶ ହୋଇ ଫେରିଥାନ୍ତି । ଚଳିତବର୍ଷ ମଧ୍ୟ ଅନୁରୂପ ଆଶଙ୍କା ଦେଖାଦେଇଛି । ପ୍ରଥମତଃ କେଉଁ ଉଦ୍ଦେଶ୍ୟରେ ଏହି ମେଳାର ସ୍ଥାନ ଭଦ୍ରକ ସହର ମଧ୍ୟରେ କରାନଯାଇ ବରପଦା ଓ ଅସୁରାଳି ପରି ସ୍ଥାନକୁ ଚୟନ କରାଯାଇଛି । ସେ ସଂପର୍କରେ କୌଣସି ସନ୍ତୋଷ ଜନକ ଉତ୍ତର ସଂପୃକ୍ତ କାର୍ଯ୍ୟାଳୟ ପକ୍ଷରୁ ମିଳିପାରିନାହିଁ । ଏହି ଦୁଇଟି ସ୍ଥାନକୁ ଭଲ ଗମନାଗମନର ସୁବିଧା ନାହିଁ । ଅପରପକ୍ଷେ ଏହି ମେଳା ସଂପର୍କରେ ଚାକିରୀ ଆଶାୟୀଙ୍କ ଅବଗତ ନିମନ୍ତେ ମଧ୍ୟ କୌଣସି ପ୍ରକାର ପ୍ରଚାର ପ୍ରସାର କରାଯାଇନାହିଁ । ତେଣୁ ଏହି ନିଯୁକ୍ତିମେଳାର ସଫଳତାକୁ ନେଇ ଆଶାୟୀଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.