Home Top News ୨୦୨୪ ପାଇଁ ଅଘୋଷିତ ଗଠବନ୍ଧନ

୨୦୨୪ ପାଇଁ ଅଘୋଷିତ ଗଠବନ୍ଧନ

25

ଗତ ମାସରେ ଓଡ଼ିଶା ବିଜପିର ସମସ୍ତ ବିଧାୟକ, ସାଂସଦ ଓ ବରିଷ୍ଠ ନେତାମାନେ ଦିଲ୍ଲୀ ଯାଇଥିଲେ। ଦିଲ୍ଲୀରେ କେନ୍ଦ୍ରୀୟ ନେତାମାନଙ୍କୁ ଭେଟି ଆସନ୍ତା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବେ। ଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେ. ପି. ନଡ୍ଡାଙ୍କୁ ଭେଟିଲେ। ଗୃହମନ୍ତ୍ରୀ ଅମିତ ସାହାଙ୍କୁ ଭେଟିଲେ। ଶେଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ। ସୂତ୍ରରୁ ଜଣା ପଡ଼ିଥିଲା ଯେ ସମସ୍ତଙ୍କ ମୁହଁରେ ଗୋଟିଏ କଥା ‘ ନବୀନ ଜୀ ଓଡ଼ିଶାରେ ଭଲ କାମ କରୁଛନ୍ତି’। ଏଥିରୁ ଓଡ଼ିଶା ବିଜେପି ନେତାମାନେ ଭଲ ଭାବରେ ବୁଝିଗଲେ ଯେ ଉପରେ ଖେଳ ସରିଛି। ଆମର ଆଉ କିଛି କରିବାର ନାହିଁ। କେମିତି ଟିକଟ ଖଣ୍ଡେ ପାଇ ନିଜସ୍ୱ ଚେଷ୍ଟାରେ ଜିତିକି ଆସିଲେ ବଡ଼ କଥା।

ଗତ ୨୦୧୯ ସାଧାରଣ ନିର୍ବାଚନରେ ମଧ୍ୟ ସମାନ ବୁଝାମଣାରେ ବିଜେପି ଓ ବିଜେଡ଼ି ଓଡ଼ିଶାରେ ନିର୍ବାଚନ ଲଢ଼ିଥିଲେ। ଏଥର ମଧ୍ୟ ସେଇଆ ହେବ ବୋଲି ବିଶ୍ୱସ୍ତ ସୂତ୍ରରୁ ଖବର ହସ୍ତଗତ ହେଇଛି। ଡ଼ିସେମ୍ବର ୩ ଚାରୋଟି ରାଜ୍ୟର ଫଳାଫଳ ପରେ ବିଜେପି ଟିକେ ଅଧିକା ଡ଼ିମାଣ୍ଡରେ ରହିଛି। ଓଡ଼ିଶାରେ ୨୧ରୁ ୧୫ ଲୋକସଭା ଆସନ ଦରକାର। ବିଜେଡ଼ି କିନ୍ତୁ ୧୨ସିଟରେ ଅଟକିଛି। ପ୍ରତିବଦଳରେ ବିଜେଡ଼ି ଓଡ଼ିଶାରେ ୧୨୫ ବିଧାନସଭା ଆସନରେ ଜିତିବ ବୋଲି ବିଜେପି ସହିତ ସନ୍ଧି କରିଛି। ୟା ଭିତରେ ଏ ସମସ୍ତ ବୁଝାମଣା ଚୂଡାନ୍ତ ହେଇଯିବ ବୋଲି ସୂତ୍ର କହୁଛି। ଆଉ କିଛି ଡ଼ିମାଣ୍ଡ ଭି ବିଜପିର ରହିଛି। ଯଥା କେନ୍ଦ୍ରାପଡ଼ା ଲୋକସଭା ଆସନରୁ ବୈଜନ୍ତ ପଣ୍ଡା ବିଜେପି ଟିକଟରୁ ଜିତିବାର ଅଛି। ସମ୍ବଲପୁର ଆସନରୁ ଧର୍ମେନ୍ଦ୍ର ପ୍ରଧାନ ଜିତିବାର ଅଛି। କଟକରୁ ଭର୍ତ୍ତୃହରି ମହତାବ ବିଜେପିରେ ଯୋଗଦେଇ ସେଠାରୁ ଲୋକସଭା ଜିତିବାର ଅଛି। ବାଲେଶ୍ୱର ଓ ଭୁବନେଶ୍ୱର ଆସନ ବିଜେପିକୁ ଦରକାର। ଏସବୁ ଛଡା ପଶ୍ଚିମାଞ୍ଚଳର ଅଧିକାଂଶ ଲୋକସଭା ଆସନ ବିଜେପି ଖାତାକୁ ଯିବାର ବନ୍ଦୋବସ୍ତ ଶାସକ ବିଜେଡ଼ି କରିବ। ପ୍ରତିବଦଳରେ ବିଜେପି ଓଡ଼ିଶାରେ ପୁଣି ଥରେ ବିଜେଡ଼ି ସରକାର ଗଢିବାରେ ସହାୟତା କରିବ।

ରାଉଲକେଲାରେ ବିଜପିର ଚିନ୍ତନ ବୈଠକ ସରିଛି। ରଣନୀତି ପ୍ରସ୍ତୁତ ହେଇଛି। ବିଜେପି ନେତାମାନେ ଦୃଢ ଆଶା ଦେଉଛନ୍ତି କର୍ମୀମାନଙ୍କୁ ଆମେ ୨୦୨୪ରେ ସରକାର ଗଡ଼ିବା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କିଛିଦିନ ତଳେ ଗୋଟିଏ ଜାତୀୟ ଗଣମାଧ୍ୟମରେ କହିଥିଲେ ଓଡ଼ିଶାରେ ଏଥର ବିଜେପି ୨୧ରୁ ୧୫ ଲୋକସଭା ଆସନରେ ଜିତିବ। ଓଡ଼ିଶାରେ ବିଜେପି ନେତାମାନେ ଶାସକ ବିଜେଡ଼ି ଉପରେ ବର୍ଷୁଛନ୍ତି। ବିଜେଡ଼ି ମଧ୍ୟ ବିଜେପି ନେତା ତଥା କେନ୍ଦ୍ର ସରକାରକୁ ସମାଲୋଚନା କରିବାକୁ ପଛାଉ ନାହିଁ। ରାଜ୍ୟର ଜଣେ ବରିଷ୍ଠ ସାମ୍ବାଦିକଙ୍କ ମତରେ ଓଡ଼ିଶାରେ ଆଗଧାଡ଼ିର ବିଜେପି ଓ ବିଜେଡ଼ି ନେତାମାନେ ଅଭିନୟରେ ବଲିଉଡ ଅଭିନେତାଙ୍କଠୁ ଭି ବଳିଯିବେ। ୨୦୧୯ ମସିହା ଠାରୁ ଏହି ଦୁଇ ଦଳ ଓଡ଼ିଶାବାସୀଙ୍କୁ ଭକୁଆ ବନାଉଛନ୍ତି। ତେଣୁ ୨୦୨୪ ମସିହାରେ ହେବାକୁ ଥିବା ନିର୍ବାଚନ ଏକ ପ୍ରକାର ନିର୍ଣ୍ଣାୟକ ମୋଡରେ ପହଂଚି ସରିଛି। କେବଳ ନାମକୁ ମାତ୍ର ନିର୍ବାଚନ ଓ ଫଳାଫଳ।

ପ୍ରିୟ ରଞ୍ଜନ ସାହୁ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.