Home ଜିଲ୍ଲା ପରିକ୍ରମା ୧୯୪୨ ଭଣ୍ଡାରିପୋଖରୀ ‘ଥାନାପୋଡି’ର ବାନର ସୈନିକ ସଂଗ୍ରାମୀ ଶଶିଭୂଷଣ ଦାସଙ୍କ ପରଲୋକ

୧୯୪୨ ଭଣ୍ଡାରିପୋଖରୀ ‘ଥାନାପୋଡି’ର ବାନର ସୈନିକ ସଂଗ୍ରାମୀ ଶଶିଭୂଷଣ ଦାସଙ୍କ ପରଲୋକ

113

ଭଦ୍ରକ, ୨୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଐତୀହାସିକ ୧୯୪୨ ମସିହା ‘ଭଣ୍ଡାରିପୋଖରୀ ଥାନାପୋଡି’ର ବାନର ସୈନିକ ସ୍ୱାଧିନତା ସଂଗ୍ରାମୀ ଶଶିଭୂଷଣ ଦାସଙ୍କ ଆଜି ଅପରାହ୍ନ ୪.୫ମି. ସମୟରେ ସରସଦା ପଞ୍ଚାୟତ ଅନ୍ତର୍ଗତ ପିରିପୁର ଗ୍ରାମ ପୈତୃକ ବାସଭବନରେ ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୯୩ ବର୍ଷ ବୟସ ହୋଇଥିଲା। ସ୍ୱର୍ଗତ ଦାସ ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ହୋଇ ଶଯ୍ୟାସାୟୀ ଥିଲେ। ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ପୁତ୍ର ତଥା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ହୃଷିକେଶ, ସାନପୁଅ ପ୍ରଶାନ୍ତ, ଝିଅ, ଜ୍ୱାଇଁ, ନାତି ତଥା ସ୍ଥାନୀୟ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସତ୍ୟବ୍ରତ ଦାସ, ନାତୁଣୀ, ଗ୍ରାମବାସୀ, ଶୁଭେଚ୍ଛୁ ଉପସ୍ଥିତ ଥିଲେ। ତାଙ୍କ ମରଶରୀରକୁ ଶୋଭାଯାତ୍ରାରେ ନିଆଯାଇ ବାସଭବନ ହତା ନିକଟରେ ଅନ୍ତିମ ସଂସ୍କାର କରାଯାଇଥିଲା। ପୁତ୍ର ହୃଷିକେଶ ମୁଖାଗ୍ନି ଦେଇଥିଲେ। ସ୍ୱର୍ଗତ ଦାସ ‘ଭାରତଛାଡ’ ଆନ୍ଦୋଳନ ସମୟରେ ସଂଘଟିତ ‘ଭଣ୍ଡାରିପୋଖରୀ ଥାନାପୋଡି’ରେ ଶିଶୁ ସଂଗ୍ରାମୀ ଭାବେ ସକ୍ରିୟ ଅଂଶଗ୍ରହଣ କରିଥିଲେ।

ପ୍ରଖ୍ୟାତ ସ୍ୱାଧିନତା ସଂଗ୍ରାମୀ ବୈଷ୍ଣବ ନାୟକ, ମୁରଲିଧର ପଣ୍ଡା, ଅର୍ଜ୍ଜୁନ ଚନ୍ଦ, ଅତଙ୍ଗ ସାହୁ, କୁଶ ପଣ୍ଡା, ଶ୍ରୀକୃଷ୍ଣ ମହାପାତ୍ର, ଧନେଶ୍ୱର ଦାସ, ଜଗନ୍ନାଥ ନାୟକ ପ୍ରମୁଖଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସ୍ୱର୍ଗତ ଦାସ ବାଲ୍ୟଶିକ୍ଷାକୁ ତୁଚ୍ଛ କରି ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ। ମାତ୍ର ଶିଶୁ ହୋଇଥିବାରୁ ଗିରଫଦାରୀକୁ ବର୍ତ୍ତିଯାଇଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ଅଣବନ୍ଦୀ ସଂଗ୍ରାମୀ ଭାବେ ତାଙ୍କୁ ମାନ୍ୟତା ପ୍ରଦାନ କରାଯାଇଥିଲା। ସ୍ୱାଧିନତା ପରେ ସମାଜସେବାରେ ମନୋନିବେଶ କରି ସ୍ଥାନୀୟ ଅଞ୍ଚଳର ଶିକ୍ଷା, ଗମନାଗମନ ଓ ସମବାୟ ଭଳି କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟକରିଥିଲେ। ଜଣେ ସରଳ ଓ ଅମାୟିକ ବ୍ୟକ୍ତିଭାବେ ସ୍ଥାନୀୟ ଅଞ୍ଚଳରେ ସର୍ବାଦୃତ ଥିଲେ। କହରାପୋଖରୀ ‘ଶହୀଦସ୍ମୃତିସ୍ତମ୍ଭ’ ଓ ଭଣ୍ଡାରିପୋଖରୀ ଥାନା ପରିସରରେ ‘ଥାନାପୋଡି ସ୍ମାରକୀ’ ନିର୍ମାଣରେ ତାଙ୍କର ଅଗ୍ରଣୀ ଭୂମିକା ରହିଥିଲା। ସୂଚନା ପାଇ ସମାଜସେବୀ ବଦ୍ରୀନାରାୟଣ ଧଳ, ଡମ୍ବରୁଧର ବେହେରା, ରାମଚନ୍ଦ୍ର ସେନାପତି ପ୍ରମୁଖ ଅନ୍ତିମ ଦର୍ଶନ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ସ୍ୱର୍ଗତ ଦାସଙ୍କ ବିୟୋଗରେ ସ୍ଥାନୀୟ ବିଧାୟକ ପ୍ରଫୁଲ୍ଲ ସାମଲ, ସମାଜସେବୀ ସୁବ୍ରତ ଦାସ, ନାଟ୍ୟକାର ସୁଧାକର ନନ୍ଦ, ବିଶିଷ୍ଟ କବି ଅଚ୍ୟୁତାନନ୍ଦ ସାମଲ ପ୍ରମୁଖ ଶୋକବ୍ୟକ୍ତ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.