Home ଓଡ଼ିଶା ୧୨ ଦିନର ବିଳମ୍ବ ପରେ ରଥ ଖଳାରେ ରଥ ନିର୍ମାଣ ଆରମ୍ଭ

୧୨ ଦିନର ବିଳମ୍ବ ପରେ ରଥ ଖଳାରେ ରଥ ନିର୍ମାଣ ଆରମ୍ଭ

160

ପୁରୀ, ୮/୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଗତ ୪ ତାରିଖ ଦିନ ପରିଚାଳନା କମିଟି ବୈଠକରେ ରଥ ନିର୍ମାଣ କାର୍ଯ୍ୟ କରାଯିବ ବୋଲି ନିଷ୍ପତି ଗ୍ରହଣ କରିବା ପରେ ରାଜ୍ୟ ସରକାର ଅନୁମତି ପାଇଁ କେନ୍ଦ୍ର ସରକାରନିକଟକୁ ପଠାଇ ଦେଇଥିଲେ। ଗତକାଲି କେନ୍ଦ୍ର ସରକାର ରଥ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କୁ ଅନୁମତି ଦେଇଥିଲେ। ଗତକାଲି ସନ୍ଧ୍ୟାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପରିଚାଳନା କମିଟିର ସଦସ୍ୟବୃନ୍ଦ, ବିଶ୍ୱକର୍ମା ସେବାୟତ, ଭୋଇ ସେବାୟତ ଓ ଅନ୍ୟ ସେବାୟତଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ପରେ ରଥ ନିର୍ମାଣ ପାଇଁ ସମସ୍ତ ସେବାୟତ ସମ୍ମତି ପ୍ରଦାନ କରିଥିଲେ। ସେହି ଅନୁଯାୟୀ ଆଜି ସକାଳ ୮ଟା ସମୟରେ ରଥଖଳାରେ ବିଶ୍ୱକର୍ମା ସେବାୟତ, ଭୋଇ ସେବାୟତ, ରୂପକାର ସେବାୟତ, ଚିତ୍ରକାର ସେବାୟତ ପ୍ରମୁଖ ପହଂଚିଥିଲେ।

ସାମାଜିକ ଦୂରତା ରକ୍ଷାକରିବା ସହ ସମସ୍ତ ପ୍ରକାର ସାନିଟାଇଜେସନର ବ୍ୟବସ୍ଥା ମଧ୍ୟ କରାଯାଇଛି। ରଥଖଳାକୁ ବାହାରପଟୁ ଧଳା କନାରେ ଆବଦ୍ଧ କରାଯାଇଛି। ଯଦ୍ୱାରା କୌଣସି ଧୂଳି ପ୍ରବେଶ କରିପାରିବ ନାହିଁ ଓ ରଥ ନିର୍ମାଣ ପାଖରେ ଲୋକମାନେ ମଧ୍ୟ ଏକତ୍ରି କରଣ ହୋଇପାରିବେ ନାହିଁ। ଅକ୍ଷୟ ତୃତୀୟା ଦିନ ଶ୍ରୀମନ୍ଦିର ପରିସରରେ ତିନୋଟି ରଥକାଠ ଅନୁକୂଳ କରାଯାଇଥିଲା। ଉକ୍ତ ତିନୋଟିଯାକ କାଠକୁ ଭୋଇ ସେବାୟତମାନେ ଶ୍ରୀମନ୍ଦିରରୁ ରଥଖଳାକୁ ଆଣିଥିଲେ।

ଆଜି ପ୍ରଥମ ପ୍ରର୍ଯ୍ୟାୟରେ ବିଧି ଅନୁଯାୟୀ ତୁମ୍ବ ନିର୍ମାଣ ଆରମ୍ଭ ହୋଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ମଧ୍ୟ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଭୋଇ ସେବାୟତ, ବିଶ୍ୱକର୍ମା ସେବାୟତମାନଙ୍କ ସହ ଆଲୋଚନା କରିଥିଲେ। ରଥ ନିର୍ମାଣ କାର୍ଯ୍ୟ କିପରି ସୂଚାରୁରୂପେ କରାଯିବ ସେ ଦିଗରେ ମଧ୍ୟ ସେମାନଙ୍କ ସହ ଆଲୋଚନା କରିଥିଲେ।

ରଥ ନିର୍ମାଣ କାର୍ଯ୍ୟରେ ୧୫୦ଜଣ ସେବାୟତ ନିୟୋଜିତ ହୋଇଛନ୍ତି। ଏମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହିତ ସମସ୍ତ ସୁବିଧା ଯୋଗାଇ ଦିଆଯିବ। ଶ୍ରୀମନ୍ଦିର ପ୍ରଶାସନର ଥିବା ଭକ୍ତ ନିବାସରେ ଏମାନଙ୍କୁ ରହିବା ଓ ଖାଦ୍ୟପେୟର ସୁବିଧା କରାଯିବ। ପ୍ରତ୍ୟେକ ଦିନ ସେମାନଙ୍କୁ ଭକ୍ତ ନିବାସରୁ ବସଯୋଗେ ରଥଖଳାକୁ ଅଣାଯିବ। ସେମାନଙ୍କର ପରିବାର ମଧ୍ୟ ଯେପରି ସୁସ୍ଥ ରହିବେ ସେ ଦିଗରେ ମଧ୍ୟ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯିବ। ରଥଖଳାରେ ଚିତ୍ର ଉତୋଳନ ଓ ସମ୍ବାଦ ସଂଗ୍ରହ ପାଇଁ ଗଣମାଧ୍ୟମ ପ୍ରତିନିଧି ମାନେ ଗହଳି ନକରିବା ପାଇଁ ଅନୁରୋଧ କରାଯାଇଛି। ସେମାନଙ୍କୁ ଜିଲ୍ଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ ପ୍ରତ୍ୟେକ ଦିନର ରଥ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସଂପର୍କରେ ସୂଚନା ଦିଆଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ରଥ କାର୍ଯ୍ୟରେ ବିଳମ୍ବ ହୋଇଥିବାରୁ ରଥକାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇ ଅନ୍ୟାନ୍ୟ ବିଧି ଅନୁଯାୟୀ ଯେପରି ସମସ୍ତ କାର୍ଯ୍ୟ ଶେଷ ହେବ ସେ ଦିଗରେ ଶ୍ରୀମନ୍ଦିର ପ୍ରଶାସନ ବିଶ୍ୱକର୍ମା ସେବାୟତ ଓ ଅନ୍ୟ ସେବାୟତମାନଙ୍କ ସହଯୋଗ କାମନା କରିଛନ୍ତି। ତୃତୀୟ ପ୍ରର୍ଯ୍ୟାୟ ଲକଡାଉନ କାର୍ଯ୍ୟ ୧୭ ତାରିଖରେ ସରିବା ପରେ ରଥଯାତ୍ରାର ଅନ୍ୟାନ୍ୟ ନୀତିଗୁଡିକ ଉପରେ ନିଷ୍ପତି ନିଆଯିବ। ରଥ ନିର୍ମାଣ କାର୍ଯ୍ୟ ଆଜି ଆରମ୍ଭ ହୋଇଥିବାରୁ ରଥଖଳା ଚଳଚଂଚଳ ହେବା ସହ କୋଟି କୋଟି ଶ୍ରଦ୍ଧାଳୁ ଭକ୍ତଙ୍କ ମଧ୍ୟରେ ଆନନ୍ଦର ଲହରି ଖେଳିଯାଇଛି। ସେବାୟତମାନେ ମଧ୍ୟ ରଥ ନିର୍ମାଣ କାର୍ଯ୍ୟକୁ ସ୍ୱାଗତ କରିଛନ୍ତି। ଇଛାମୟ ଠାକୁର ମହାପ୍ରଭୁଙ୍କର ଇଛାନୁଯାୟୀ ଯେପରି ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା ସେହିପରି ସ୍ନାନ ପୂର୍ଣ୍ଣିମା, ଅନବସର ନୀତି ଓ ରଥଟଣା ମଧ୍ୟ ସୁରୁଖୁରୁରେ ହୋଇଯିବ ବୋଲି କୋଟି କୋଟି ଜଗନ୍ନାଥ ପ୍ରେମୀ ଆଶାବ୍ୟକ୍ତ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.