Home ଜିଲ୍ଲା ପରିକ୍ରମା ୧୧ ବର୍ଷ ପରେବି ନିର୍ମିତ ହୋଇପାରିଲାନି ଅଙ୍ଗନୱାଡି ନିଜସ୍ୱ ଗୃହ

୧୧ ବର୍ଷ ପରେବି ନିର୍ମିତ ହୋଇପାରିଲାନି ଅଙ୍ଗନୱାଡି ନିଜସ୍ୱ ଗୃହ

35

ଭଦ୍ରକ, ୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାରଙ୍କ ଦୂର ଦୃଷ୍ଟିର ଅଭାବ ଯୋଗୁଁ ବିଭିନ୍ନ ପ୍ରକଳ୍ପ ପାଇଁ ଗୃହ ନିର୍ମାଣ ହେଉଛି ସତ କିନ୍ତୁ ଏହା ସଠିକ କାର୍ଯ୍ୟରେ ବିନିଯୋଗ ହୋଇପାରୁନାହିଁ । ଯଦ୍ୱାରା ଉକ୍ତ ପ୍ରକଳ୍ପର ସଫଳ ରୂପାୟନ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ କାଦବରାଙ୍ଗ ପଂଚାୟତରେ । ଅଙ୍ଗନୱାଡ଼ି କେନ୍ଦ୍ର ହେଉଛି ଶିଶୁର ଶିକ୍ଷାକ୍ଷେତ୍ରର ମୂଳଦୁଆ ପଡ଼ିବାର ପ୍ରଥମ ସୋପାନ । ଏହିଠାରୁ ହିଁ ତାର ଶିକ୍ଷା ଆରମ୍ଭ ହୋଇଥାଏ । କୋମଳମତୀ ଶିଶୁଙ୍କୁ ଶିକ୍ଷାମନସ୍କ କରିବା ପାଇଁ ସରକାରୀ ସ୍ତରରେ ଯୋଜନାମାନ ପ୍ରଣୟନ କରାଯାଇ ଏ ବାବଦକୁ ବାର୍ଷିକ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଛି । ମାତ୍ର ଏହାର ସଫଳ ରୂପାୟନ ହୋଇପାରୁ ନାହିଁ । କେବଳ ଅର୍ଥଶ୍ରାଦ୍ଧ ହେବାସାର ହେଉଛି । ଖାଲି ଯୋଜନା ପ୍ରସ୍ତୁତ କରିଦେଲେ ହେବ ନାହିଁ । ଏଥିପାଇଁ ପ୍ରଶାସନିକ ସ୍ତରରେ ତତ୍ପରତା ଲୋଡ଼ା ବୋଲି ଶିକ୍ଷାବିତ୍ ମାନେ ମତ ପ୍ରକାଶ କରୁଛନ୍ତି । ଉକ୍ତ ପଂଚାୟତର କାଦବରାଙ୍ଗରେ ଥିବା ୨ଗୋଟି ଅଙ୍ଗନୱାଡ଼ି କେନ୍ଦ୍ର ମଧ୍ୟରୁ ଗୋଟିଏ କେନ୍ଦ୍ରର ନିଜସ୍ୱ ଗୃହ ଥିବା ବେଳେ ୨୦୧୦ ମସିହା ଜାନୁଆରୀ ମାସରେ ପ୍ରତିଷ୍ଠିତ ଅନ୍ୟ ଅଙ୍ଗନୱାଡି କେନ୍ଦ୍ରର ନିଜସ୍ୱ ଗୃହ ଆଜି ପର୍ଯ୍ୟନ୍ତ ନିର୍ମିତ ହୋଇପାରିନାହିଁ ।

ପ୍ରତିଷ୍ଠା ହେବାକୁ ଇତି ମଧ୍ୟରେ ୧୧ବର୍ଷ ଅତିକ୍ରାନ୍ତ କରିଯାଇଥିଲେ ସୁଦ୍ଧା କେନ୍ଦ୍ରଟିର ନିଜସ୍ୱ ଗୃହ ନଥିବାରୁ ଏହା ବର୍ତ୍ତମାନ ମିଶନଶକ୍ତି ଗୃହରେ ଚାଲିଛି । ପ୍ରଥମେ ପଂଚାୟତଗୃହରେ ଏହା ଚାଲୁଥିଲା । କିନ୍ତୁ ୨୦୧୭ ମସିହାରେ ଗୃହକୁ ନେଇ ବିଭିନ୍ନ ସମସ୍ୟା ଦେଖା ଦେବାରୁ ଏହା ଗତ ଫେବୃଆରୀ ମାସ ପର୍ଯ୍ୟନ୍ତ କର୍ମୀଙ୍କ ନିଜସ୍ୱ ଗୃହରେ ଚାଲୁଥିଲା । କିନ୍ତୁ ସରକାରଙ୍କ ପ୍ରଦତ୍ତ ନିୟମ ଅନୁସାରେ ପିଲାଙ୍କ ସୁରକ୍ଷା ଦୃଷ୍ଟିରୁ ଅଙ୍ଗନୱାଡ଼ି କେନ୍ଦ୍ର ପକ୍କାଘରେ ଚାଲିବାର ଥିବାରୁ (ମିଶନଶକ୍ତି ଯେହେତୁ ଆଇସିଡ଼ିଏସ ଅଧିନରେ) ସିଡ଼ିପିଓଙ୍କ ଅନୁମତିରେ ଏହା ଗତ ଫେବୃଆରୀ ମାସରୁ ମିଶନଶକ୍ତି ଗୃହରେ ଚାଲୁଥିବାର ଜଣାପଡ଼ିଛି । ମିଶନଶକ୍ତିର ଗୋଟିଏ ଗୃହ ଥିବାରୁ କେନ୍ଦ୍ରଟିର ରୋଷେଇ କାର୍ଯ୍ୟରେ ନାନା ଅସୁବିଧା ହେଉଥିବାର ଦେଖିବାକୁ ମିଳୁଛି । କେନ୍ଦ୍ରଟିର ନିଜସ୍ୱ ଗୃହ ନଥିବାରୁ ଏହାର ଅନ୍ୟ କାର୍ଯ୍ୟକ୍ରମମାନ ମଧ୍ୟ ଏଠାରେ ସଂପାଦିତ ହେଉଛି । ନିଜସ୍ୱ ଗୃହ ନିର୍ମାଣ ପାଇଁ ରାଜସ୍ୱ ବିଭାଗ ପକ୍ଷରୁ ଆବଶ୍ୟକୀୟ କାଗଜ ଆଦି ମିଳିବାପରେ ଗୃହ ନିର୍ମାଣ କାର୍ଯ୍ୟ ହେବ ବୋଲି ସହକାରୀ ଯନ୍ତ୍ରୀ ପ୍ରକାଶ କରିଛନ୍ତି । ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟିଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.