Home ଅନୁଗୁଳ ହିଙ୍ଗୁଳା ଲୋକ ମହୋତ୍ସବର ୪ର୍ଥ ସନ୍ଧ୍ୟା; ପାରମ୍ପରିକ ଲୋକନୃତ୍ୟରେ ଝୁମିଲେ ଦର୍ଶକ

ହିଙ୍ଗୁଳା ଲୋକ ମହୋତ୍ସବର ୪ର୍ଥ ସନ୍ଧ୍ୟା; ପାରମ୍ପରିକ ଲୋକନୃତ୍ୟରେ ଝୁମିଲେ ଦର୍ଶକ

72

ତାଳଚେର, ୧୯/୪ (ଓଡ଼ିଆ ପୁଅ/ଅଜିତ ବେହେରା) : ତାଳଚେର ଗୋପାଳ ପ୍ରସାଦ ସ୍ଥିତ ମା’ ହିଙ୍ଗୁଳା ପୀଠରେ ଚାଲିଥିବା ୧୮ତମ ଲୋକ ମହୋତ୍ସବର ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବରେ ଉତ୍ତର କେନ୍ଦ୍ରାଚଂଳ ପୋଲିସ ଡିଆଜି ଡ.ସାର୍ଥକ ଷଡଙ୍ଗୀ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ତାଳଚେର ଉପଜିଲ୍ଲାପାଳ ତଥା ମା ହିଙ୍ଗୁଳା ଠାକୁରାଣୀ ଟ୍ରଷ୍ଟ ବୋର୍ଡର ମ୍ୟାନେଜିଂ ଟ୍ରଷ୍ଟି ବିଶ୍ୱରଞ୍ଜନ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବରେ ତାଳଚେର ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ସ୍ୱାତୀ ଏସ୍‌.କୁମାର ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଡ.ଷଡଙ୍ଗୀ ନିଜ ଅଭିଭାଷଣରେ ଆମ ଓଡିଶାରେ ଥିବା ସାତୋଟି ଶକ୍ତିପୀଠ ମଧ୍ୟରୁ ମା’ ହିଙ୍ଗୁଳାଙ୍କ ପୀଠ ଅନ୍ୟତମ ଅଟେ ବୋଲି ପ୍ରକାଶ କରିବାସହ ମା’ ହିଙ୍ଗୁଳାଙ୍କ ପୀଠରେ ପରମ୍ପରା ଓ ସଂସ୍କୃତିର ଅଦ୍ଭୁତ ସମ୍ମିଶ୍ରଣ ଦେଖିବାକୁ ମିଳିଥାଏ ବୋଲି ମତବ୍ୟକ୍ତ କରିଥିଲେ। ଦୀର୍ଘ ଦୁଇ ବର୍ଷ ପରେ ଏଠାରେ ମା’ ଙ୍କ ପ୍ରସିଦ୍ଧ ଯାତ୍ରା ସହ ଲୋକ ମହୋତ୍ସବ ଭକ୍ତମାନଙ୍କ ଉପସ୍ଥିତିରେ ଅନୁଷ୍ଠିତ ହେଉଥିବାରୁ ଟ୍ରଷ୍ଟ ବୋର୍ଡକୁ ଧନ୍ୟବାଦ ପ୍ରଦାନ କରିବା ସହ ସମସ୍ତଙ୍କର ଆରୋଗ୍ୟ କାମନା କରିଥିଲେ। ଏହି ଅବସରରେ କଳିଙ୍ଗ କଲୋନୀସ୍ଥିତ ଉତ୍କଳିକା ଡ୍ୟାନ୍ସ ଗ୍ରୁପର କୁନୁକୁନି କଳାକାରମାନେ ଗଣେଶ ବନ୍ଦନା, ଶିବ ତାଣ୍ଡବ ପରିବେଷଣ କରି ଦର୍ଶକମାନଙ୍କୁ ଚମତ୍କୃତ କରିଦେଇଥିଲେ। ସେହିପରି କେନ୍ଦ୍ରାପଡାର ଗଡମେକର ନାଟ୍ୟ ଅନୁଷ୍ଠାନର କଳାକାରମାନଙ୍କ ଦ୍ୱାରା ଦଶବତାର, କୃଷ୍ଣ ଲୀଳା ଆଦି ଚିତାକର୍ଷକ ନୃତ୍ୟ ପରିବେଷଣ କରାଯାଇଥିବାବେଳେ ତାଳଚେର ଗୋଡିବନ୍ଧର ଡ୍ୟାନ୍ସ ଏକାଡେମୀର କଳାକାରମାନେ ଆକର୍ଷଣୀୟ ନୃତ୍ୟ ପରିବେଷଣ କରିଥିଲେ। ଏହାସହିତ ବଲାଙ୍ଗୀରର କୋଶଳ ଲୋକନୃତ୍ୟ ଦଳ ଧୁଡୁକି ନୃତ୍ୟ ସହ ଗଞ୍ଜାମର ଯୋଡିଶଙ୍ଖ ଦଳ ଡାଲଖାଇ, ଯୋଡିଶଙ୍ଖ, ରଣପା ଆଦି ପାରମ୍ପରିକ ଲୋକନୃତ୍ୟ ପରିବେଷଣ କରି ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ। କାର୍ଯ୍ୟକ୍ରମକୁ ସଞ୍ଜୀବ ପଟ୍ଟନାୟକ ଓ ଲକ୍ଷ୍ମୀପ୍ରିୟା ସେନାପତି ପରିଚାଳନା କରିଥିଲେ। ଟ୍ରଷ୍ଟ ବୋର୍ଡର ସଦସ୍ୟ ମୂରଲୀଧର ସାହୁ, ରାଜେନ୍ଦ୍ର ସିଂହ, ସଞ୍ଜୟ କୁମାର ସାହୁ, ସନ୍ତୋଷ କୁମାର ପ୍ରଧାନ, ଗଗନ ବିହାରୀ ସାହୁଙ୍କ ସମେତ ଧୂଳେଶ୍ୱର ବେହେରା ପ୍ରମୁଖ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ସମସ୍ତ କଳାକାରମାନଙ୍କୁ ଟ୍ରଷ୍ଟବୋର୍ଡ ପକ୍ଷରୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.