Home କେନ୍ଦୁଝର ହାଟଡିହି ବ୍ଲକରେ ଆବାସ ଯୋଜନା ଦୁର୍ନୀତିର ପେଡି ଲମ୍ବୁଛି ଜଣକ ନାମରେ କାର୍ଯ୍ୟାଦେଶ ପାଇଲା ଆଉ...

ହାଟଡିହି ବ୍ଲକରେ ଆବାସ ଯୋଜନା ଦୁର୍ନୀତିର ପେଡି ଲମ୍ବୁଛି ଜଣକ ନାମରେ କାର୍ଯ୍ୟାଦେଶ ପାଇଲା ଆଉ ଜଣେ

67

ହାଟଡିହି-୪/୮:(ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକରେ ଆବାସ ଯୋଜନା କେଳଙ୍କାରୀର ପେଡି ଧିରେ ଧିରେ ଖୋଲିବାରେ ଲାଗିଛି । ଶାଳଣିଆଁ ପଞ୍ଚାୟତରେ ଦୁଇଜଣ ଅଯୋଗ୍ୟ ଥିଲାବାଲାଙ୍କୁ ବାସଗୃହ ଯୋଜନାରେ ସାମିଲ କରାଇ ଘର ଯୋଗାଇଦେଇଥିବା ଭଳି ଗୁରୁତର ଅଭିଯୋଗ ଆସିଥିବାବେଳେ ଆଜି ପର୍ଯ୍ୟନ୍ତ ତାହାର ତଦନ୍ତ ବି ଆରମ୍ଭ ହେଲାନି । ଏବେ ପୁଣି ପଞ୍ଚୁଗୋଛିଆ ପଞ୍ଚାୟତରେ ହୋଇଥିବା ଆବାସ ଯୋଜନା ଦୁର୍ନୀତିର ଅଭିଯୋଗ ଆସିଛି । ଜଣକ ନାମରେ କାର୍ଯ୍ୟାଦେଶ ଆସିଥିବାବେଳେ ଚଞ୍ଚକତା କରି ମୋଟା ଅଙ୍କର ଉତ୍କୋଚ ନେଇ ଅନ୍ୟ ଜଣେ ବ୍ୟକ୍ତିଙ୍କ ଏକାଉଣ୍ଟକୁ ଟଙ୍କା ଦିଆଯାଇ ଲକ୍ଷାଧିକ ଟଙ୍କା ବାଟମାରଣା କରାଯାଇଛି । ଅଭିଯୋଗରୁ ଜଣାଯାଇଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ପଞ୍ଚଗୋଛିଆ ପଞ୍ଚାୟତରେ । ପଞ୍ଚୁଗୋଛିଆ ପଞ୍ଚାୟତର ବଳଭଦ୍ରପୁର ଗ୍ରାମର କାଠିଆ ଯେନା ପିତା ହଗୁରୁ ଯେନା, ମା ନାରୁ ଯେନାଙ୍କ ନାମ ଏସ.ଇ.ସି.ସି ତାଲିକାରେ ଥିବାବେଳେ ତାଙ୍କ ପି.ଏମ.ଏ.ୱାଇ ଆଇଡି ନମ୍ବର ଓଆର୨୧୦୧୧୧୫ରେ ୨୦୧୬/୧୭ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦିଆଯାଇଥିଲା । କିନ୍ତୁ ରେକଡପତ୍ରରେ ତାହା କାଠିଆଙ୍କ ନାମରେ ଦିଆଯାଇଥିବାବେଳେ କାଠିଆ ଯେନା କିମ୍ବା ତାଙ୍କ ପରିବାର ଲୋକେ ଏହା ଜାଣି ପାରିନଥିଲେ । ସେତବେଳର ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ପଞ୍ଚାୟତର କର୍ମକର୍ତ୍ତା ଏହାକୁ ଚଞ୍ଚକତା କରି ମୋଟା ଅଙ୍କର ଉତ୍କୋଚ ନେଇ କାଠିଆ ଯେନାଙ୍କ ଅନୁଦାନ ଅର୍ଥକୁ ବସନ୍ତ ଯେନାଙ୍କ ଏକାଉଣ୍ଟକୁ ଦେଇ ଦେଇଥିଲେ । ୨୦୧୭ରେ ୨୦ହଜାର, ୨୦୧୮ରେ ୩୫ହଜାର ଓ ୪୫ହଜାର ତିନଟି କିସ୍ତିରେ ଏହି ଟଙ୍କା ଦେଇଦେଲେ । ଅନ୍ୟପଟେ କାଠିଆ ଯେନାଙ୍କ ପରିବାର ଲୋକେ ଭଙ୍ଗା ଚାଳଘରେ ବସବାସ କରୁଥିବାବେଳେ ଘର ଖଣ୍ଡିଏ ପାଇବାଲାଗି ବାରମ୍ବାର ପଞ୍ଚାୟତ ଓ ବ୍ଲକକୁ ଦୌଡୁଥିବାବେଳେ ଘର ଆସିଲେ ଦିଆଯିବ କହି ତାଙ୍କୁ ଫେରାଇ ଦେଉଥିଲେ । ଗତ କିଛିଦିନ ତଳେ ସେ ତାଙ୍କ ଘରକୁ ଆଉ ଜଣେ ନେଇଯାଇଥିବା ଜାଣିବାପରେ ସେ ଅନଲାଇନରୁ ତାଙ୍କୁ ଘର ମିଳିଥିବା ମଧ୍ୟ ଦେଖିଥିଲେ । ତାଙ୍କ ଆଇଡିରେ ଅନ୍ୟଜଣଙ୍କ ଫଟୋ ଲଗାଯାଇ ଏହାକୁ ଚଞ୍ଚକତା କରି ଉଠାଯାଇଥିବା ଜାଣିବାପରେ କାଠିଆଙ୍କ ପତ୍ନୀ ଟୁନି ଜେନା ବିଡିଓଙ୍କ ନିକଟରେ ଏନେଇ ଅଭିଯୋଗ କରିବା ସହିତ ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ନିବେଦନ କରିଛନ୍ତି । ସେ ଜଣେ ଅତ୍ୟନ୍ତ ଗରିବ ଲୋକ ହୋଇଥିବା ବେଳେ ଭଙ୍ଗାଚାଳଘରେ ବାସ କରୁଥିବାରୁ ତାଙ୍କୁ ବାସଗୃହ ଖଣ୍ଡିଏ ଯୋଗାଇଦେବାପାଇଁ ସେ ନିବେଦନ କରିଛନ୍ତି । ଏ ସମ୍ପର୍କରେ ପଞ୍ଚାୟତର ଜଣେ କର୍ମକର୍ତ୍ତାଙ୍କୁ ପଚାରିବାରେ ସେ ତତ୍‌କାଳୀନ ପିଇଓ ଗୃହ ଦେଇଥିବା ବ୍ୟକ୍ତିଙ୍କ ଠାରୁ ଏକ ସତ୍ୟପାଠ ରଖି ଘର ଦେଇଥିବା ସୁଚନା ଦେଇଛନ୍ତି । କିନ୍ତୁ ଘର ପାଇଥିବା କାଠିଆ ଜେନାଙ୍କ ବାପା ଓ ମାଙ୍କ ନାମ ଅଲଗା ହୋଇଥିବାବେଳେ ଘର ହାତେଇଥିବା ବ୍ୟକ୍ତିଙ୍କ ବାପା ଓ ମାଙ୍କ ନାମ ଅଲଗା, ତେଣୁ ପଞ୍ଚାୟତ ନିର୍ବାହୀ ଅଧିକାରୀ କିପରି ସତ୍ୟପାଠ ରଖି ଚଞ୍ଚକତା କରି ଜଣକ ଘରକୁ ଅନ୍ୟ ଜଣଙ୍କୁ ଟେକିଦେଲେ ତାହା ତଦନ୍ତ ହେଲେ ଜଣାପଡିବ । ବ୍ଲକରେ ଏହିପରି ଅନେକ ଦୁର୍ନୀତି ହୋଇଥିବା ଶୁଣିବାକୁ ମିଳୁଛି । ବାସ୍ତବପକ୍ଷେ ଏହାର ତଦନ୍ତ କରାଯାଇ ଦୋଷୀଙ୍କ ବିରାୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଏପରି ଘଟଣା ଦିନକୁ ଦିନ ବୃଦ୍ଧି ପାଇବ ବୋଲି ବୁଦ୍ଧିଜିବୀ ମହଲରେ ଆଲୋଚନା ହେଉଛି । କେନ୍ଦୁଝର ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.