Home କେନ୍ଦୁଝର ହାଟଡିହି ଡାକ୍ତରଖାନାକୁ ଅପଗ୍ରେଡେଡ କରିବାକୁ ଦାବି

ହାଟଡିହି ଡାକ୍ତରଖାନାକୁ ଅପଗ୍ରେଡେଡ କରିବାକୁ ଦାବି

34

ହାଟଡିହି, ୪ / ୩ : (ଓଡିଆପୁଅ / ବିକାଶ ବିଶ୍ୱାଳ)ହାଟଡିହି ବ୍ଲକର ହାଟଡିହି ଏରିଆ ହସପିଟାଲକୁ ଅପଗ୍ରେଡଡ କରିବାକୁ ଦାବି ଜୋର ଧରିଛି । ଏହି ଡାକ୍ତରଖାନାଟି ଉପରେ ହାଟଡିହି ବ୍ଲକର ହାଟଡିହି, ଶାସଙ୍ଗ, ପନ୍ଦାଡୋ, ବଞ୍ଚୋ, ଅକରୁଆ, ମରୈଗାଁ, ଓରାଳି, ସଢ଼ା, ଇଞ୍ଚୋଳ ଆଦି ପଞ୍ଚାୟତା ୫୦ହଜାରରୁ ଉର୍ଦ୍ଧ ଲୋକ ନିର୍ଭର କରିଥାନ୍ତି । ଏହି ଡାକ୍ତରଖାନାଟି ଆନନ୍ଦପୁର-ଭଦ୍ରକ ରାଜ୍ୟ ରାଜପଥ କଡରେ ଅବସ୍ଥିତ ହୋଇଥିବାରୁ ଅନେକ ସମୟରେ ଦୁର୍ଘଟଣାର ଶୀକାର ହୋଇ ରୋଗୀମାନେ ଚିକିତ୍ସା ପାଇଁ ଧାଇଁ ଆସିଥାନ୍ତି । କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ ଏଠାରେ ଦୀର୍ଘବର୍ଷ ହେବ ଡାକ୍ତର ଅଭାବ ଯୋଗୁଁ ଚିକିତ୍ସା ସୁବିଧା ନପାଇ ରୋଗୀମାନେ ନିରାଶ ହୋଇ ଅନ୍ୟ ଡାକ୍ତରଖାନାକୁ ଯାଇଥାନ୍ତି । ପୁର୍ବରୁ ଏହି ଡାକ୍ତରଖାନାରେ ନିୟମିତ ଦୁଇଶହରୁ ଉର୍ଦ୍ଧ ରୋଗୀଙ୍କ ଲମ୍ବା ଲାଇନ ଲାଗିଥିବାବେଳେ ଜଣେ ମାତ୍ର ଡାକ୍ତର ସମସ୍ତ ରୋଗୀଙ୍କ ଚିକିତ୍ସା କରୁଥିଲେ । କିନ୍ତୁ ଡାକ୍ତର ବିହୀନ ଡାକ୍ତରଖାନା ହୋଇପଡିବା ଦିନଠାରୁ ଏଠାରେ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇଯାଇଛି । ସେହିପରି ରାତିରେ ଅନେକ ଦୁର୍ଘଟଣାର ଶୀକାର ହୋଇ ଅନେକ ରୋଗୀ ଆସୁଥିଲେବି ଡାକ୍ତର ନଥିବାରୁ ଉପଖଣ୍ଡ ଚିକିତ୍ସାଳୟକୁ ଯିବାକୁ ବାଧ୍ୟ ହେଉଛନ୍ତି । ଗତ କିଛିମାସ ହେବ ଡିଏମଏଫ ଫଣ୍ଡରୁ ଜଣେ ଅବସରପ୍ରାପ୍ତ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇ ଥିଲେବି ଡାକ୍ତରଙ୍କ ବ୍ୟବହାର ଯୋଗୁଁ ରୋଗୀମାନେ ଏହି ଡାକ୍ତରଖାନାକୁ ଆସିବାକୁ ରାଜି ହେଉନାହାନ୍ତି । ଫଳରେ ସାଧାରଣ ରୋଗୀମାନେ ଥଣ୍ଡା, ଜ୍ୱରରେ ପିଡିତ ହୋଇଥିଲେବି ବାଧ୍ୟହୋଇ ବାହାର ଡାକ୍ତରଖାନାକୁ ଯିବାକୁ ବାଧ୍ୟ ହେଉଛନ୍ତି । ଏହି ଡାକ୍ତରଖାନାଟି ବ୍ଲକର କେନ୍ଦ୍ରସ୍ଥଳରେ ଥିବାବେଳେ ଏଠାକୁ ସମସ୍ତ ଅଞ୍ଚଳରୁ ଗମନାଗମନର ସୁବିଧା ଅଛି । ନିକଟରେ ବ୍ଲକ, ତହସିଲ, ବ୍ୟାଙ୍କ ପ୍ରଭୃତି କାର୍ଯ୍ୟାଳୟ ଥିବାବେଳେ ଏହାର ଅପଗ୍ରେଡଡ କରିବାପାଇଁ ଆବଶ୍ୟକ ଭିତ୍ତିଭୁମୀ ମଧ୍ୟ ରହିଛି । ଅପଗ୍ରେଡଡ କରିବା ପାଇଁ ଗତ ୧୦ବର୍ଷ ହେଲା ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇ ଆସୁଥିଲେ ମଧ୍ୟ ବିଭାଗୀୟ କର୍ତ୍ତୁପକ୍ଷଙ୍କ ଉଦାସୀନତା ଯୋଗୁଁ ତାହା ଫାଇଲ ତଳେ ଚାପିହୋଇ ରହିଯାଇଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତୁରନ୍ତ ଏହି ଡାକ୍ତରଖାନାକୁ ଅପଗ୍ରେଡଡ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଆଞ୍ଚଳିକ ବିକାଶ ମଞ୍ଚ ତରଫରୁ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.