Home ଅପରାଧ ହାଇସ୍କୁଲରେ ଭୂଗୋଳ ପଢା ବନ୍ଦକୁ ନେଇ ବିଦ୍ୟାଳୟରେ ତାଲା ପକାଇଲେ ଛାତ୍ରଛାତ୍ରୀ

ହାଇସ୍କୁଲରେ ଭୂଗୋଳ ପଢା ବନ୍ଦକୁ ନେଇ ବିଦ୍ୟାଳୟରେ ତାଲା ପକାଇଲେ ଛାତ୍ରଛାତ୍ରୀ

84

ଭୁବନେଶ୍ୱର/ଯାଜପୁର୨୯ା୧୦(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ଯାଜପୁର ଜିଲ୍ଲା କୋରାଇ ବ୍ଳକ ଖମଣ ପଞ୍ଚାୟତ ଶଙ୍ଖଚିଲା ର ସର୍ବ ପୁରାତନ ସରକାରୀ ବିଦ୍ୟାଳୟ ହିଙ୍ଗୁଳା ଉଚ୍ଚ ବିଦ୍ୟାଳୟରେ ଆଜି ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଥିଲା । ବିଦ୍ୟାଳୟରେ ଭୂଗୋଳ ପାଠ ପଢାଯାଉନଥିବା ପ୍ରତିବାଦରେ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଆଜି ବିଦ୍ୟାଳୟ ଫାଟକରେ ତାଲା ପକାଇବା ସହ ଗେଟ୍ ସମ୍ମୁଖରେ ଧାରଣାରେ ବସିଥିଲେ । ପରେ ଶତାଧିକ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଘଣ୍‌ଟା ଘଣ୍ଟା ଧରି ଫାଟକ ସାମ୍ନାରେ ବସି ରହିବା ପରେ ଫୋନ୍ ମାଧ୍ୟମରେ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବିଦ୍ୟାଳୟ କର୍ତୁପକ୍ଷଙ୍କ ଅନୁରୋଧ କ୍ରମେ ପିଲାମାନେ ଧାରଣାରୁ ଉଠିଥିଲେ ।ଘଟଣାରୁ ପ୍ରକାଶ ହିଙ୍ଗୁଳା ଉଚ୍ଚ ବିଦ୍ୟାୟରେ ଦଶମ ଶ୍ରେଣୀରେ ଚଳିତ ବର୍ଷ ୩ଟି ସେକ୍‌ସନ୍‌ରେ ମୋଟ ୧୫୨ ଜଣ ପିଲା ଅଛନ୍ତି । ହେଲେ ଆଉ ମାତ୍ର ମାସକ ପରେ ଦଶମ ଶ୍ରେଣୀ ପିଲାଙ୍କ ଟେଷ୍ଟ ପରୀକ୍ଷା ହେବାର ସମୟ ହୋଇଯାଇଥିବା ବେଳେ ବର୍ଷ ତମାମ ପିଲାଙ୍କୁ ଭୂଗୋଳ ପାଠ ଆଦୌ ପଢାଯାଇନାହିଁ । ଭୂଗୋଳ ପଢାଇବାକୁ ଥିବା ଶିକ୍ଷୟତ୍ରୀ ସଂଯୁକ୍ତା ମହାପାତ୍ର ଶିକ୍ଷାବର୍ଷ ଆରମ୍ଭରୁ ଗୋଟିଏ ଦିନ ବି ଭୂଗୋଳ ପଢାଉନଥିବା ସହ ବିଭିନ୍ନ ଆଳ ଦେଖାଇ ପାଠ ପଢାଉନଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି । ପରୀକ୍ଷାକୁ ଆଉ ଦିନ କେଇଟା ବାକି ଥିବାବେଳେ ଛାତ୍ରଛାତ୍ରୀଙ୍କ ପକ୍ଷରୁ ବାରମ୍ବାର ଏନେଇ ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନଶିକ୍ଷକ ଅଭିମନ୍ୟୁ ସାହୁଙ୍କୁ ଅନୁରୋଧ କରିଥିଲେ ହେଲେ ପ୍ରଧାନଶିକ୍ଷକ ମଧ୍ୟ କୌଣସି ପଦକ୍ଷେପ ନନେଇ କେବଳ ପ୍ରତିଶ୍ରୁତି ଦେଇଥିଲେ । ଫଳରେ ବାଧ୍ୟ ହୋଇ ଛାତ୍ରଛାତ୍ରୀମାନେ ଆଜି ସ୍କୁଲ ଫାଟକରେ ତାଲା ପକାଇଥିବା ଅଭିଭାବକମାନେ କହିଛନ୍ତି । ତେବେ ଏନେଇ ପ୍ରଧାନଶିକ୍ଷକ ଶ୍ରୀ ସାହୁ ପଚାରିବାରୁ ସେ କହିଥିଲେ ଯେ ଶିକ୍ଷୟତ୍ରୀ ଶ୍ରୀମତୀ ମହାପାତ୍ରଙ୍କୁ ଭୂଗୋଳ ପଢାଇବା ପାଇଁ ରୁଟିନ୍ ଚାର୍ଟ ଦିଆଯିବା ସହିତ ବାରମ୍ବାର ତାଗିତ ସତ୍ୱେ ମଧ୍ୟ ସେ ପିଲାଙ୍କୁ ପାଠ ପଢାଉନାହାଁନ୍ତି । ଏପରିକି ଏନେଇ ଶ୍ରୀମତୀଙ୍କୁ ବିଦ୍ୟାଳୟ ପକ୍ଷରୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରାଯାଇଥିଲା । ତେବେ ଏ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଶିକ୍ଷୟତ୍ରୀ ଶ୍ରୀମତୀ ମହାପାତ୍ର । ବିଦ୍ୟାଳୟରେ ବହୁ ଅନିୟମିତତା ଚାଲିଥିବା ସହିତ ପିଲାଙ୍କୁ ପାଠ ପଢାଇବାକୁ ଆବଶ୍ୟକିୟ ଭିତିଭୂମି ଓ ପରିବେଶ ନଥିବାରୁ ପାଠ ପଢାଇବା ସମ୍ଭବ ହେଉନଥିବା ଶ୍ରୀମତୀ ମହାପାତ୍ର କହିଛନ୍ତି । ଭୂଗୋଳ ପଢାଇବା ପାଇଁ ମାନଚିତ୍ରର ନିତ୍ୟାନ୍ତ ଆବଶ୍ୟକ ଥିବାବେଳେ ପ୍ରଧାନଶିକ୍ଷକଙ୍କୁ ବାରମ୍ବାର ଅନୁରୋଧ ପରେ ମଧ୍ୟ ମାନଚିତ୍ରଟିଏ ଯୋଗୋଇବାରେ ଅସମର୍ଥ ହୋଇଛନ୍ତି । ବିଦ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା କାରଣ ଦର୍ଶାଅ ନୋଟିସର ସେ ଜବାବ ଦେବା ସହିତ ବିଦ୍ୟାୟରେ ପିଲାଙ୍କ ବୃତି ଟଙ୍କାକୁ ପ୍ରଧାନଶିକ୍ଷକ ନଦେବା ସହିତ ଆହୁରି ବହୁ ଅନିୟମିତତାରେ ଲିପ୍ତ ଥିବା ଶ୍ରୀମତୀ ମହାପାତ୍ର କରିଛନ୍ତି । ଏସମସ୍ତ ଘଟଣା ସମ୍ପର୍କରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ସେ କୌଣସି ପଦକ୍ଷେପ ନନେଇ ନିରବଦ୍ରଷ୍ଟା ସାଜିଥିବା ଶ୍ରୀମତୀ ମହାପାତ୍ର ପାଲଟା ଅଭିଯୋଗ କରିଛନ୍ତି । ତେବେ ଆଜିର ଘଟଣାରେ ଜିଲ୍ଲା ଶିକ୍ଷା ଅଧିକାରୀ କୃଷ୍ନଚନ୍ଦ୍ର ନାୟକ ହସ୍ତକ୍ଷେପ କରିବା ପରେ ଆସନ୍ତା ୧ ତାରିଖ ସୁଦ୍ଧା ଭୂଗୋଳ ପଢା ଆରମ୍ଭ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଛାତ୍ରଛାତ୍ରୀମାନେ ଧାରଣାରୁ ଉଠିଥିଲେ । ଏହା ସହିତ ଶ୍ରୀ ନାୟକ କହିଛନ୍ତ ଯେ କୌଣସି କାରଣରୁ ପିଲାଙ୍କୁ ପାଠ ପଢିବାରୁ ବଂଚିତ କରିବା ଉଚିତ୍ ନୁହେଁ । ଘଟଣାର ତଦନ୍ତ କରାଯିବା ପରେ ଦୋଷିଙ୍କ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ ବହୁଦିନ ଧରି ବିଦ୍ୟଳୟରେ ଶିକ୍ଷକ ମାନଙ୍କ ମଧ୍ୟରେ ଗୋଷ୍ଠୀକନ୍ଦଳ ଲାଗିରହିବା ଏବଂ ପରିଚାଳନା କମିଟି ଗଠନ କରାନଯିବା ଫଳରେ ବିଦ୍ୟାଳୟରେ ଏଭଳି କନ୍ଦଳ ଜାରି ରହିଥିବା ସାଧାରଣରେ ଚର୍ଚ୍ଚାର ବିଷୟ ପାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.