Home ଓଡ଼ିଶା ହରିଦାସପୁର-ପାରଦୀପ ରେଳ ପ୍ରକଳ୍ପ : ୨ ବର୍ଷ ପରେବି ଚାଲିପାରିଲାନି ପ୍ୟାସେଞ୍ଜର ଟ୍ରେନ୍‌, ନରମି ଗଲାଣି...

ହରିଦାସପୁର-ପାରଦୀପ ରେଳ ପ୍ରକଳ୍ପ : ୨ ବର୍ଷ ପରେବି ଚାଲିପାରିଲାନି ପ୍ୟାସେଞ୍ଜର ଟ୍ରେନ୍‌, ନରମି ଗଲାଣି ରାଜନେତାଙ୍କ ସ୍ୱର

61

କେନ୍ଦ୍ରାପଡ଼ା, ୬ା୮(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ବହୁ ପ୍ରତିକ୍ଷିତ ହରିଦାସପୁର-ପାରଦୀପ ରେଳ ପ୍ରକଳ୍ପ ସଂପୂର୍ଣ୍ଣ ହେବାର ୨ବର୍ଷ ବିତିଯାଇଥିଲେ ମଧ୍ୟ ସେହି ରେଳପଥରେ ପ୍ୟାସଞ୍ଜର ଟ୍ରେନ୍ ଚାଲିପାରିଲା ନାହିଁ। ଏ ସମ୍ପର୍କରେ ରାଜନେତାଙ୍କ ସ୍ୱର ଧିରେ ଧିରେ ମଉଳି ଗଲାଣି। ଓଡିଶା ବିଧାନସଭାରେ ଜିଲ୍ଲାର ବିଧାୟକମାନେ ହରିଦାସପୁର-ପାରଦୀପ ରେଳପଥରେ ପ୍ୟାସେଞ୍ଜର ଟ୍ରେନ୍ ଚାଲିବାକୁ ସ୍ୱର ଉତ୍ତୋଳନ କରୁଛନ୍ତି ନା ଲୋକସଭାରେ ଓଡିଶାର ସାଂସଦ ମାନେ ଏ ସମ୍ପର୍କରେ କେନ୍ଦ୍ର ନିକଟରେ ଦାବି ଉପସ୍ଥାପନ କରୁଛନ୍ତି। କେନ୍ଦ୍ରାପଡା ପ୍ରତି ଏହା ଏକ ବୈମାତୃକ ମନୋଭାବ ବୋଲି ଜିଲ୍ଲାବାସୀ ଧରି ନେଲେଣି। ଓଡିଶାର ପ୍ରମୁଖ ବନ୍ଦର ଥିବା ସହରକୁ ସଂଯୋଗ କରୁଥିବା ପାରାଦୀପ-ହରିଦାସପୁର ରେଳପଥ ଦୀର୍ଘବର୍ଷର ଦାବି ପରେ ସମ୍ଭବ ହୋଇପାରିଛି। ଗତ୨୦୨୦ ମସିହା ଜୁଲାଇ ମାସ ୩୦ ତାରିଖରେ ଏହି ରେଳପଥରେ ପ୍ରଥମ କରି ମାଲବାହୀ ଟ୍ରେନ୍ ଚଳାଚଳ ଆରମ୍ଭ କରିଥିଲା। ସେହି ସମୟରେ ଏହି ରେଳପଥରେ ଖୁବ୍ ଶୀଘ୍ର ପ୍ୟାସେଞ୍ଜର ଟ୍ରେନ୍ ଚଳାଚଳ କରିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ପ୍ରତିଶୃତି ଦିଆଯାଇଥିଲା। ଦୀର୍ଘ ୮୨ କି.ମି ବିଶିଷ୍ଟ ଏହି ରେଳପଥରେ ବିଭିନ୍ନ ସ୍ଥାନରେ ହୋଇଥିବା ରେଳଷ୍ଟେସନର ଉନ୍ନତିକରଣ କରାଯିବା ପରେ ପ୍ୟାସେଞ୍ଜର ଟ୍ରେନ୍ ଚାଲିବ ବୋଲି ପୂର୍ବରୁ ରେଳପଥ ପକ୍ଷରୁ କୁହାଯାଇଥିଲା। ୧୯୯୭ ମସିହାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ହରିଦାସପୁର-ପାରାଦୀପ ରେଳପଥ ଘୋଷଣା କରାଯାଇ ଜମି ଅଧିଗ୍ରହଣ କାମ ଆରମ୍ଭ ହୋଇଥିଲା। ଏହି କାର୍ଯ୍ୟ ୨ଠଠ୭ରେ ଶେଷ ହେବାର ଥିବାବେଳେ ଜମି ଅଧିଗ୍ରହଣ ସମସ୍ୟା ଯୋଗୁଁ ବିଳମ୍ବ ଘଟିଥିଲା। ୨ଠ୨ଠ ଜୁନ୍‌ରେ ପ୍ରକଳ୍ପ କାର୍ଯ୍ୟ ଶେଷ କରାଯାଇ ପରୀକ୍ଷାମୂଳକ ଭାବେ ମାଲବାହୀ ଟ୍ରେନ୍ ଚାଲିବା ଆରମ୍ଭ ହୋଇଥିଲା। ଏହି ରେଳପଥ ମଧ୍ୟରେ ୯ଗୋଟି ଷ୍ଟେସନ ରହିଛି। ସେଥିମଧ୍ୟରୁ ଯାଜପୁର ଜିଲ୍ଲାର ହରିଦାସପୁର, ଚଣ୍ଡିଖୋଲ, ରତ୍ନଗିରି ରୋଡ୍‌, ଲଳିତଗିରି, ବାଜିପଡା ଥିବାବେଳେ କେନ୍ଦ୍ରାପଡା ଜିଲ୍ଲାର କେନ୍ଦ୍ରାପଡା, ମାର୍ଶାଘାଇ, କଳାଗଡ, ନୂଆଗାଁ ଓ ସିଜୁ ଷ୍ଟେସନ ରହିଛି। ଏହି ସବୁ ଷ୍ଟେସନ ଗୁଡିକକର ଉନ୍ନତିକରଣ କାର୍ଯ୍ୟ ରେଳ ବିକାଶ ନିଗମ ପକ୍ଷରୁ ହାତକୁ ନିଆଯାଇଛି। ତେବେ କାର୍ଯ୍ୟ ମନ୍ଥର ଗତିରେ ଚାଲୁଥିବା ହେତୁ ବିକାଶ ପ୍ରକ୍ରିୟାରେ ବାଧା ସୃଷ୍ଟି ହେବା ସହିତ ପ୍ୟାସେଞ୍ଜର ଟ୍ରେନ୍ ଚଳାଚଳରେ ଅନିଶ୍ଚିତତା ଦେଖାଦେଇଛି। ୨ଠ୨୧ କେନ୍ଦ୍ର ବଜେଟରେ ଏହି ରେଳପଥ ପାଇଁ ଏକଶହ କୋଟି ଟଙ୍କା କେନ୍ଦ୍ର ସରକାରଙ୍କ ପକ୍ଷରୁ ମଞ୍ଜୁର କରାଯାଇଥିଲା। ଏହି ଅର୍ଥରେ ୨ ଜିଲ୍ଲାରେ ଥିବା ରେଳଷ୍ଟେସନର ଉନ୍ନତିକରଣ କରାଯିବା ସହ ଷ୍ଟେସନ ଗୁଡିକରେ ଯାତ୍ରୀ ବିଶ୍ରାମାଗର, ଶୈାଚାଳୟ, ଅପେକ୍ଷାଗାର ପ୍ରଭୃତିି ନିର୍ମାଣ ପାଇଁ ପ୍ରସ୍ତାବ ରହିଥିଲା। କିନ୍ତୁ ସେହି ଅର୍ଥକୁ ରେଳଷ୍ଟେସନ କାର୍ଯ୍ୟରେ ନିୟୋଜିତ କରାଯାଇନଥିବା ଅଭିଯୋଗ ହୋଇଛି। ଏହି ରେଳ ପ୍ରକଳ୍ପ ବିଷୟରେ ପୂର୍ବତଟ ଲୋକସମ୍ପର୍କ ଅଧିକାରୀ ନିରାକାର ଦାସଙ୍କ ସହ ଯୋଗାଯୋଗ କରିବାରୁ ଆସନ୍ତା ଡିସେମ୍ବର ସୁଦ୍ଧା ଏହି ପ୍ରକଳ୍ପରେ ପ୍ୟାସେଞ୍ଜର ଟ୍ରେନ୍ ଚଳାଚଳ କରିବ ବୋଲି ସେ କହିଛନ୍ତି। ଏହି ରେଳ ପ୍ରକଳ୍ପରେ ପ୍ୟାସେଞ୍ଜର ଟ୍ରେନ୍ ଚାଲିଲେ ଜଗତସିଂହପୁର, ପାରାଦୀପ ସହିତ କେନ୍ଦ୍ରାପଡା, ଯାଜପୁର ପ୍ରଭୃତି ଜିଲ୍ଲାର ଲକ୍ଷାଧିକ ଲୋକ ଉପକୃତ ହୋଇପାରିବେ। ବରିଷ୍ଠ ଆଇନଜୀବୀ ତଥା ସମାଜସେବୀ ବିଧୁଭୂଷଣ ମହାପାତ୍ରଙ୍କ କହିବା ଅନୁଯାୟୀ ଏହି ରେଳ ପ୍ରକଳ୍ପ ଯୋଗୁଁ କେନ୍ଦ୍ରାପଡା ଜିଲ୍ଲାବାସୀ ଜମି ଏବଂ ଭୂମି ହରାଇ ବହୁ କଷ୍ଟ ସ୍ୱୀକାର ସହିଛନ୍ତି। ଏଥିସହିତ ଏହି ରେଳ ପ୍ରକଳ୍ପ ପାଇଁ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଯେଉଁ ମାଟି ଯୋଗାଣ ହୋଇଛି, ତାହା ଆସନ୍ତା ଏକଶହ ବର୍ଷ ପର୍ଯ୍ୟନ୍ତ ପୁରଣ ହୋଇପାରିବ ନାହିଁ। ଏଥିସହିତ ଏହି ରେଳ ପ୍ରକଳ୍ପ ଯୋଗୁଁ ଜଳ ନିଷ୍କାସନ ଏକ ମୁଖ୍ୟ ସମସ୍ୟା ପାଲଟିଛି। ଦୂରଦୃଷ୍ଟିର ଅଭାବ ଯୋଗୁଁ ଉଦବୃତ୍ତ ବର୍ଷା ଏବଂ ବନ୍ୟା ଜଳ ନିଷ୍କାସନ ନିମନ୍ତେ ରେଳ ପ୍ରକଳ୍ପ କତ୍ତୃପକ୍ଷଙ୍କ ଅପାରଗତା ଯୋଗୁଁ ରେଳଧାରଣାର ଉଭୟ ପାଶ୍ୱର୍ରେ ଜଳ ଜମି ରହିବାରୁ ଏହା ଏକ ଜୋର ଭଳି ଭ୍ରମ ସୃଷ୍ଟି କରିବା ସହିତ ହଜାର ହଜାର ଏକର ଜମିରେ ଜଳ ନିଷ୍କାସନ ହୋଇ ନପାରିବାରୁ ଫସଲ ହାନି ଘଟୁଛି। ତେଣୁ ତୁରନ୍ତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହି ରେଳ ପ୍ରକଳ୍ପରେ ପ୍ୟାସେଞ୍ଜର ଟ୍ରେନ୍ ଚଳାଚଳ କରିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାବାସୀଙ୍କ ପକ୍ଷରୁ ଦାବି କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.