Home ଅପରାଧ ହରିଡାଗୋଠ ଗ୍ରାମରେ କଲମୀ କାଜୁ ଚାରା ରୋପଣ ନାମରେ ଲକ୍ଷାଧିକ ଟଙ୍କାର ରାଜସ୍ବ ମାଟିରେ ମିଶିଲା,...

ହରିଡାଗୋଠ ଗ୍ରାମରେ କଲମୀ କାଜୁ ଚାରା ରୋପଣ ନାମରେ ଲକ୍ଷାଧିକ ଟଙ୍କାର ରାଜସ୍ବ ମାଟିରେ ମିଶିଲା, କେବଳ ସୂଚନା ଫଳକ ଅଛି କିନ୍ତୁ ନାହିଁ ଗଛ

82

ହରିଚନ୍ଦନପୁର,ତା ୨୪ ନଭେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ହରିଡାଗୋଠ ଗ୍ରାମରେ ସୂଚନା ଫଳକ ଅନୁଯାୟୀ ସରକାରଙ୍କ ରାଜସ୍ବରୁ ଲକ୍ଷାଧିକ ଟଙ୍କାର ଅନୁଦାନ ରାଶିରେ ହେକ୍ଟର ହେକ୍ଟର ଜମିରେ ରୋପଣ ହୋଇଥିବା କଲମୀ କାଜୁ ଚାରା ଗୁଡ଼ିକ ଗଲା କୁଆଡ଼େ ତାହାକୁ ନେଇ ପ୍ରଶ୍ନବାଚୀ । ସୂଚନା ମୁତାବକ ଗତ ୧୮/୧୯ ମସିହାରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନାରେ ୧୪ ହେକ୍ଟର ଜମିରେ ୧୯ ଲକ୍ଷ ୬୧ ହଜାର ୮୨୦ ଟଙ୍କାରେ କଲମୀ କାଜୁ ଚାରା ରୋପଣ କରାଯାଇଥିଲା । ଏହାର କାର୍ଯ୍ୟକାରୀ ସଂସ୍ଥା କେନ୍ଦୁଝର ଉଦ୍ୟାନ ଉପନିର୍ଦ୍ଦେଶକ ଥିବା ବେଳେ ଗଛ ବଦଳରେ ଯୋଜନା କେବଳ ସୂଚନା ଫଳକରେ ହିଁ ସୀମିତ ରହିଛି । ସେହି ୧୪ ହେକ୍ଟର ଜମିରେ କଲମୀ କାଜୁ ଚାରା ରୋପଣ କରାଯାଇଥିଲା କି ନାହିଁ ? ଯାହାକି ବର୍ତ୍ତମାନ ଉକ୍ତ ଜମିରେ କୌଣସି ଚିହ୍ନବର୍ଣ୍ଣ ଦେଖିବାକୁ ମିଳୁନାହିଁ । ଯଦିଓ ସେଠାରେ ଚାରା ରୋପଣ କରାଯାଇଥାଏ ତେବେ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଓ ଅବହେଳା କାରଣରୁ ତାହାର ଠିକ୍ ଭାବେ ରକ୍ଷଣାବେକ୍ଷଣ କରାଯାଇନାହିଁ । ଯାହାକୁ ନେଇ ଲଗାଯାଇଥିବା ଚାରା ଗୁଡିକୁ ବୁଲା ଗାଈଗୋରୁ ଖାଇ ନଷ୍ଟ କରିଦେଛନ୍ତି, ଯାହାଫଳରେ ସରକାରଙ୍କ ଯୋଜନା ହିଁ ଯୋଜନା ବା ସୂଚନା ଫଳକରେ ରହିଯାଇଛି । ସରକାରଙ୍କ ରାଜସ୍ବରୁ ଲକ୍ଷାଧିକ ଟଙ୍କା ସହ ଶହଶହ ଲୋକଙ୍କ ଝାଳବୁହା ପରିଶ୍ରମ ପାଣିରେ ପଡ଼ିଲା ବା ମାଟିରେ ମିଶିଯାଇଥିବା ଦୃଶ୍ୟମାନ ହେଉଛି । ଲୋକଙ୍କ ସ୍ବାର୍ଥ ବା ଲୋକମାନଙ୍କୁ ୧୦୦ଦିନର ରୋଜଗାର ଯୋଗାଇ ଦେବାକୁ ଆଖି ଆଗରେ ରଖି ସରକାର ମହାତ୍ମା ଗାନ୍ଧୀ କର୍ମ ନିଯୁକ୍ତି ଯୋଜନା ନାମରେ ବାର୍ଷିକ କୋଟି କୋଟି ଟଙ୍କାର ଯୋଜନା ପ୍ରଣୟନ କରିଚାଲିଛନ୍ତି । ସେହି ଯୋଜନା ଗୁଡିକରେ ରାଜସ୍ବର ଅର୍ଥ ଠିକ୍ ଭାବେ ଖର୍ଚ୍ଚ କରାଯାଉଛି କି ନାହିଁ ତାହାର ହିସାବ କେବଳ ସୂଚନା ଫଳକ ବା କାଗଜ କଲମରେ ସୀମିତ ହୋଇରହିଯାଉଥିବା ନେଇ ବୁଦ୍ଧିଜୀବି ମହଲରେ ଏକ ପ୍ରକାର ଚିନ୍ତାର ବିଷୟ । ହରିଚନ୍ଦନପୁର ବ୍ଲକ କାର୍ଯ୍ୟାଳୟ ନିକଟରେ ଯୋଜନା ଗୁଡ଼ିକର ଅବସ୍ଥା ଏହିଭଳି ଅଛି ମାନେ ଅପହଞ୍ଚ ଅଞ୍ଚଳରେ ଯୋଜନା ଗୁଡିକ କ’ଣ ଥିବ ତାହା ଏହି ଜମି ବା ସୂଚନା ଫଳକ ଦେଖିଲେ ଜାଣିହେଉଛି । ତେଣୁ ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଓ ଜିଲ୍ଲାପାଳ ଦୃଷ୍ଟି ଦେଇ ଯଥାଶୀଘ୍ର ଘଟଣାର ସଠିକ୍ ତଦନ୍ତ କରାଇ ଉପଯୁକ୍ତ ପଦକ୍ଷେପ ନେବାକୁ ଜନସାଧାରଣରେ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.