Home କେନ୍ଦ୍ରାପଡ଼ା ହରଘର ତ୍ରିରଙ୍ଗା ଅଭିଯାନ: ଏକଲକ୍ଷ ମାଗଣା ତ୍ରିରଙ୍ଗା ଲୋକଙ୍କ ପାଖରେ ପହଞ୍ଚି ନଥିବା ଅଭିଯୋଗ

ହରଘର ତ୍ରିରଙ୍ଗା ଅଭିଯାନ: ଏକଲକ୍ଷ ମାଗଣା ତ୍ରିରଙ୍ଗା ଲୋକଙ୍କ ପାଖରେ ପହଞ୍ଚି ନଥିବା ଅଭିଯୋଗ

82

କେନ୍ଦ୍ରାପଡ଼ା, ୨୪ା୮ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ହରଘର ତ୍ରିରଙ୍ଗା ଅଭିଯାନରେ କେନ୍ଦ୍ରାପଡା ଜିଲ୍ଲାରେ ଏକଲକ୍ଷ ମାଗଣା ତ୍ରିରଙ୍ଗା ୨ଟି ପୈାରାଞ୍ଚଳ ଏବଂ ୯ଟି ବ୍ଲକର ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବାକୁ ସରକାରଙ୍କ ଯୋଜନା ଥିଲା। କିନ୍ତୁ ସେହି ମାଗଣା ତ୍ରିରଙ୍ଗା ପତାକା ସବୁ ଲୋକଙ୍କ ପାଖରେ ପହଞ୍ଚି ନଥିବା ବେଳେ ଅନେକ ସ୍ଥାନରେ ସେହି ପତକାକୁ ବିକ୍ରୀ କରାଯାଇଥିବା ନେଇ ଅଭିଯୋଗ ମଧ୍ୟ ଉଠିଛି। ଦେଶର ୭୫ତମ ସ୍ୱାଧୀନତା ଦିବସକୁ ସ୍ମରଣୀୟ କରିବା ଉଦେଶ୍ୟରେ ପ୍ରଧାନମନ୍ତ୍ରୀ ‘ହରଘର ତ୍ରିରଙ୍ଗା’ ଅଭିଯାନ ଶୁଭାରମ୍ଭ କରିବା ପରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ୩୦ଲକ୍ଷ ତ୍ରିରଙ୍ଗା ପତାକା ମାଗଣାରେ ବଣ୍ଟ କରାଯିବାକୁ ଘୋଷଣା କରିଥିଲେ। ସେହି ଅନୁଯାୟୀ କେନ୍ଦ୍ରାପଡା ଜିଲ୍ଲାର ଏକଲକ୍ଷ ଜାତୀୟ ପତାକା(ତ୍ରିରଙ୍ଗା)କୁ ଜିଲ୍ଲା ମିଶନଶକ୍ତି ବିଭାଗ ପକ୍ଷରୁ ୨ଟି ପୈାରସଂସ୍ଥାର ନିର୍ବାହୀ ଅଧିକାରୀ ଏବଂ ୯ଟି ବ୍ଲକର ବିଡିଓମାନଙ୍କୁ ସାଧାରଣ ଲୋକମାନଙ୍କୁ ମାଗଣାରେ ବଣ୍ଟନ କରିବା ପାଇଁ ପ୍ରଦାନ କରାଯାଇଥିଲା। କିନ୍ତୁ ଏହି ଏକଲକ୍ଷ ଜାତୀୟ ପତାକା କେନ୍ଦ୍ରାପଡା ଜିଲ୍ଲାର ସମସ୍ତ ବ୍ଲକ ଏବଂ ପୈାରାଞ୍ଚଳର ସାଧାରଣ ଲୋକମାନଙ୍କ ପାଖରେ ମାଗଣାରେ ପହଞ୍ଚି ନଥିବା ନେଇ ଗୁରୁତ୍ତର ଅଭିଯୋଗ ହୋଇଛି। କେତେକ ସ୍ଥାନରେ ଏହି ପତକାକୁ ବିକ୍ରୀ କରାଯାଇଥିବା ନେଇ ଅଭିଯୋଗ ଆସୁଥିବା ବେଳେ ଆଉ କେତେକ ସ୍ଥାନରେ ଏହି ପତାକା ଲୋକଙ୍କ ପାଖରେ ପହଞ୍ଚି ନଥିବା ମଧ୍ୟ ଅଭିଯୋଗ ହୋଇଛି। କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ ଗୋଲରହାଟ ଉତ୍କଳ ଗ୍ରାମୀଣ ପ୍ରଡ୍ୟୁସର ଗ୍ରୁପ ୨୯ହଜାର ୫ଶହ ତ୍ରିରଙ୍ଗା ପ୍ରସ୍ତୁତ କରି ଜିଲ୍ଲା ମିଶନଶକ୍ତି ବିଭାଗକୁ ପ୍ରଦାନ କରିଥିବା ବେଳେ ତିଲଙ୍ଗ ମା’ ମଙ୍ଗଳା ପିଜି ୧୦ହଜାର ୪ଶହ, କେନ୍ଦ୍ରାପଡା ବିଏଲଏଫ ୟୁନିଟ ୪୦ହଜାର ଏକଶହ, ଅନ୍ଧାର ଘରଣୀ ଏସଏଚଜି ୫ହଜାର ୪ଶହ, ମହାକାଳପଡାର ମା’ ତାରିଣୀ ପିଜି ୧୫ହଜାର ତ୍ରିରଙ୍ଗା ପ୍ରସ୍ତୁତ କରି ପ୍ରଦାନ କରିଥିବା ଜିଲ୍ଲା ମିଶନଶକ୍ତି ପ୍ରକଳ୍ପ ସଂଯୋଜକ କୈଳାସ ଚନ୍ଦ୍ର ସେନାପତି ସୂଚନା ଦେଇଛନ୍ତି। ପ୍ରତ୍ୟେକ ତ୍ରିରଙ୍ଗା ପତାକାର ପ୍ରସ୍ତୁତି ପାଇଁ ପ୍ରଡ୍ୟୁସର ଗ୍ରୁପ ବା ଏସଏଚଜି ଗୁଡିକ ୨୫ଟଙ୍କା ଲେଖାଏଁ ମିଶନଶକ୍ତି ବିଭାଗ ପ୍ରଦାନ କରିବାକୁ ସରକାରଙ୍କ ନିର୍ଦେଶ ରହିଛି। ଏହି ଏକଲକ୍ଷ ତ୍ରିରଙ୍ଗା ମଧ୍ୟରୁ ଆଳି ବ୍ଲକକୁ ୧୨ହଜାର ୫ଶହ, ଡେରାବିଶ ବ୍ଲକକୁ ୯ହଜାର ୫ଶହ, ଗରଦପୁର ବ୍ଲକକୁ ୬ହଜାର ୫ଶହ, କେନ୍ଦ୍ରାପଡା ବ୍ଲକକୁ ୯ହଜାର ୫ଶହ, ମହାକାଳପଡା ବ୍ଲକକୁ ୧୧ହଜାର ୫ଶହ, ମାର୍ଶାଘାଇ ବ୍ଲକକୁ ୮ହଜାର ୫ଶହ, ପଟ୍ଟାମୁଣ୍ଡାଇ ବ୍ଲକକୁ ୧୧ହଜାର, ରାଜନଗର ବ୍ଲକକୁ ୧୦ହଜାର ୫ଶହ ଓ ରାଜକନିକା ବ୍ଲକକୁ ୧୦ହଜାର ୫ଶହ ତ୍ରିରଙ୍ଗା ପ୍ରଦାନ କରାଯାଇଥିବା ବେଳେ କେନ୍ଦ୍ରାପଡା ପୈାର ପରିଷଦକୁ ୫ହଜାର ଏବଂ ପଟ୍ଟାମୁଣ୍ଡାଇ ପୈାର ପରିଷଦକୁ ୫ହଜାର ତ୍ରିରଙ୍ଗା ଯୋଗାଇ ଦିଆଯାଇଥିବା ଜିଲ୍ଲା ମିଶନଶକ୍ତି ପ୍ରକଳ୍ପ ସଂଯୋଜକ ଶ୍ରୀ ସେନାପତି କହିଛନ୍ତି। ଏହି ତ୍ରିରଙ୍ଗା ପତକାକୁ ପ୍ରତ୍ୟେକ ପଞ୍ଚାୟତର ପ୍ରତ୍ୟେକ ଗ୍ରାମ ରାସ୍ତାପାର୍ଶ୍ୱ ଏବଂ ପୈାରାଞ୍ଚଳର ରାସ୍ତା ପାର୍ଶ୍ୱ ଗୃହ ଗୁଡିକ ଉପରେ ଲଗାଇବାକୁ ଲୋକମାନଙ୍କୁ ମାଗଣାରେ ବଣ୍ଟନ କରାଯିବାକୁ ସରକାରୀ ନିର୍ଦେଶ ରହିଥିଲା। କିନ୍ତୁ ଏହି ସରକାରୀ ନିର୍ଦେଶ ସଠିକ ଭାବେ କାର୍ଯ୍ୟକାରୀ ହୋଇନଥିବା ନେଇ ଅଭିଯୋଗ ହୋଇଛି। ତେଣୁ ଏଭଳି ଘଟଣାର ତଦନ୍ତ କରାଯାଇ ତୁରନ୍ତ ଆବଶ୍ୟକ ଆଇନଗତ ପଦକ୍ଷେପ ଗ୍ରହଣ କରାଯିବାକୁ ବରିଷ୍ଠ ଆଇନଜୀବୀ ବିଧୁଭୂଷଣ ମହାପାତ୍ର ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.