Home ଓଡ଼ିଶା ହତ୍ୟା ଅଭିଯୁକ୍ତ ବିଜେଡ଼ି ରାଜ୍ୟ କାର୍ଯ୍ୟାଳୟରେ: ଯଦି ଦମ ଅଛି, ଓଡ଼ିଶା ପୋଲିସ ବିଜେଡ଼ି ଅଫିସ...

ହତ୍ୟା ଅଭିଯୁକ୍ତ ବିଜେଡ଼ି ରାଜ୍ୟ କାର୍ଯ୍ୟାଳୟରେ: ଯଦି ଦମ ଅଛି, ଓଡ଼ିଶା ପୋଲିସ ବିଜେଡ଼ି ଅଫିସ ଭିତରକୁ ଯାଉ : ମନୋଜ ମହାପାତ୍ର

88

ଭୁବନେଶ୍ୱର ୧୭.୧୨ (ଓଡ଼ିଆ ପୁଅ) – ମମିତା ମେହେରଙ୍କୁ ନ୍ୟାୟ ଦାବିରେ ଆନ୍ଦୋଳନ କରୁଥିବା ଛାତ୍ର କଂଗ୍ରେସ କର୍ମକର୍ତାଙ୍କୁ କଂଗ୍ରେସ ଭବନ ଭିତରେ ପଶି ପୋଲିସ ଆକ୍ରମଣ କରିଛି। ପୁରୀର ଜନୈକ ଯୁବକ ଚିତ ରଞ୍ଜନ ପଲାଇ ହତ୍ୟାକାଣ୍ଡରେ ପରିବାର ପକ୍ଷରୁ ଯାହାଙ୍କ ବିରୋଧରେ ଷଡ଼ଯନ୍ତ୍ର ଅଭିଯୋଗ କରାଯାଇଛି ସେ ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟାଳୟର କାର୍ଯ୍ୟାଳୟ ସଂପାଦକ। ଯଦି ଓଡ଼ିଶା ପୋଲିସର ଦମ ଅଛି, ତାହେଲେ ପୋଲିିସ ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟାଳୟରେ ପଶି ସେହି ଅଭିଯୁକ୍ତଙ୍କୁ ବିଜେଡ଼ି ପାଟି ଅଫିସରୁ ଘୋଷାଡ଼ି ଆଣିବାକୁ ଖୋଲା ଆହ୍ୱାନ ଦେଇଛନ୍ତି ପ୍ରଦେଶ କଂଗ୍ରେସ ମୁଖପାତ୍ର ମନୋଜ ମହାପାତ୍ର।

ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମନୋଜ ମହାପାତ୍ର କହିଲେ ଯେ ଗତ ୧୦ ତାରିଖରେ ଓଡ଼ିଶା ପୋଲିସ କଂଗ୍ରେସ ଭବନ ଭିତରେ ପଶି ବହୁ ଲୋକଙ୍କୁ ଆକ୍ରମଣ କରିଥିଲା ଓ ବ୍ୟାପକ ଭଙ୍ଗାରୁଜା କରିଥିଲା। ଏହି ଘଟଣାରେ ଅଭିଯୁକ୍ତ ପୋଲିସମାନଙ୍କ ବିରୋଧରେ ଏପର୍ଯ୍ୟନ୍ତ ହତ୍ୟା ଉଦ୍ୟମ ଅଭିଯୋଗ ସଂଗୀନ ଦଫାରେ ମାମଲା କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। କିନ୍ତୁ ଅନ୍ୟପଟେ ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟାଳୟର କାର୍ଯ୍ୟାଳୟ ସଂପାଦକ ବିରୋଧରେ ହତ୍ୟା ଷଡ଼ଯନ୍ତ୍ର ଭଳି ଅଭିଯୋଗ ଆସିଥିଲେ ମଧ୍ୟ ଯଦି ଓଡ଼ିଶା ପୋଲିସର ଦମ ଅଛି ତାହାହେଲେ ବିଜେଡ଼ି ପାଟି ଅଫିସରେ ବସିଥିବା ସେହି ଅଭିଯୁକ୍ତଙ୍କୁ ଗିରଫ କରିବାପାଇଁ ବିଜେଡ଼ି ପାଟି ଅଫିସ ଭିତରକୁ ପୋଲିସ କାହିଁକି ଯାଇପାରୁ ନାହିଁ ବୋଲି ଦଳ ପକ୍ଷରୁ କୁହାଯାଇଛି। ପୁନଶ୍ଚ ଅପରାଧ ଓ ବିଜେଡ଼ି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ। କେବଳ ରାଜ୍ୟ କାର୍ଯ୍ୟାଳୟର ସଂପାଦକ ବିରୋଧରେ ଅଭିଯୋଗ ନାହିଁ, ଆଉ ଜଣେ ତଥାକଥିତ କ୍ଷମତାଶାଳୀ ସଂପାଦକଙ୍କ ବିରୋଧରେ ମଧ୍ୟ ଅଭିଯୋଗ ଅଛି। ମମିତା ମେହେର ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ, ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆଇନ ମନ୍ତ୍ରୀ, ଏସିଏଫ ସୌମ୍ୟ ରଞ୍ଜନ ମାମଲାରେ ଜଙ୍ଗଲ ମନ୍ତ୍ରୀ ଓ ପରୀ ହତ୍ୟା ଘଟଣାରେ କୃଷି ମନ୍ତ୍ରୀଙ୍କ ସମ୍ପୃକ୍ତି ଯୋଗୁଁ ଆଜି ବିଜୁ ଜନତା ଦଳ ଓ ତାଙ୍କ ସରକାରରେ ଅନେକ ଅଭିଯୁକ୍ତ ଆଶ୍ରୟ ନେଇଛନ୍ତି। ବସ୍ତୁତଃ ବିଜୁ ଜନତା ଦଳ ଓ ରାଜ୍ୟ ସରକାର ଅପରାଧିଙ୍କ ଚରାଭୂଇଁ ହୋଇଥିଲେ ମଧ୍ୟ ଓଡ଼ିଶା ପୋଲିସ ଓ କ୍ରାଇମବ୍ରାଂଚ ତଦନ୍ତ କରି ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଛି।

ପୁନଶ୍ଚ ଓଡ଼ିଶା ପୋଲିସ ସ୍ପେସାଲ ବ୍ରାଂଚର ଏକ ଚିଠି ସଂପର୍କରେ ଉଲ୍ଲେଖ କରି ଶ୍ରୀ ମହାପାତ୍ର କହିଲେ ଦୀର୍ଘ ୨୧ ବର୍ଷ ଧରି ଆମେ ଅଭିଯୋଗ କରୁଥିଲୁ ଯେ ଓଡ଼ିଶା ପୋଲି ତାର ନିଜର ଦାୟୀତ୍ୱ ସଂପାଦନ କରୁନାହିଁ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜନୈତିକ ପ୍ରତିଦ୍ୱନ୍ଦି, ବିରୋଧି ନେତା ମାନଙ୍କ ବିରୋଧରେ ଗୁଇନ୍ଦାଗିରୀ କାର୍ଯ୍ୟ କରୁଛି। ବସ୍ତୁତଃ ରାଜଧାନୀ ସମେତ ସାରା ରାଜ୍ୟରେ ବିଭିନ୍ନ ବେଆଇନ କାର୍ଯ୍ୟକଳାପ ଚାଲିଥିଲେ ମଧ୍ୟ ତାକୁ ଓଡ଼ିଶା ପୋଲିସ ରୋକି ପାରୁନାହିଁ। ପୋଲିସକୁ ରାଜନୈତିକ କାର୍ଯ୍ୟକ୍ରମରେ ବ୍ୟବହାର କରାଯାଉଛି। ଯାହା ଆଜି ସତ୍ୟ ପ୍ରମାଣିତ ହୋଇଛି କଂଗ୍ରେସ ଭବନ ଆକ୍ରମଣ ଘଟଣା ଉପରେ ସ୍ପେସାଲ ବ୍ରାଂଚରେ ଏହି ଗୁଇନ୍ଦା ରିପୋର୍ଟ ଉପରେ ସ୍ପଷ୍ଟି କରଣ ଦେବାକୁ ଦଳ ପକ୍ଷରୁ ଦାବି କରାଯାଇଛି।

ଉତରପ୍ରଦେଶ ଲଖୀମପୁର ଖେରୀ ଘଟଣାରେ ସୁପ୍ରିମ କୋର୍ଟଙ୍କ ତତ୍ୱାବଧାନରେ ଗଠିତ ଏସଆଇଟି ଯେଭଳି ଭାବେ ଯୋଜନା ବଦ୍ଧ ହତ୍ୟାକାଣ୍ଡର ଷଡ଼ଯନ୍ତ୍ର ସଂପର୍କରେ ପର୍ଦାଫାସ କରିପାରିଲେ ଓଡ଼ିଶାରେ ମଧ୍ୟ ସେଭଳି ହାଇକୋର୍ଟଙ୍କ ତତ୍ୱାବଧାନରେ ଏସଆଇଟି ଗଠନ କରି ଏ ସବୁ ଅପରାଧ ଘଟଣାର ତଦନ୍ତ କରାଯାଏ ତାହାହେଲେ ବିଜୁ ଜନତା ଦଳ ଓ ରାଜ୍ୟ ସରକାରଙ୍କର ମନ୍ତ୍ରୀ ମାନଙ୍କର ଅସଲ ମୁଖା ଖୋଲିବ। ସମସ୍ତ ଘଟଣାରେ ନ୍ୟାୟ ମିଳିବ ଓ ସ୍ୱଚ୍ଛ, ନିର୍ମଳ ଭାବମୂର୍ତିର ମିଥ୍ୟା ଆସଫାଳନ କରୁଥିବା ଓଡ଼ିଶା ମୁଖ୍ୟମନ୍ତ୍ରୀ ଓ ତାଙ୍କ ଶଂଖାଶୁର ମାନେ ଯେତେ ଶଂଖଖୋଳପା ଭିତରେ ଲୁଚି ପାରିବେ ନାହିଁ। ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ମନୋରଞ୍ଜନ ଦାଶ, ଶାନ୍ତନୁ ସାହୁ ଓ ସନ୍ତୋଷ କୁମ୍ଭାର ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.