Home ଓଡ଼ିଶା ହଟିନି କରୋନା କଟକଣା, ପୁଣି ଦାଦନ ଖଟିବାକୁ ବାହାରିଲେ ପ୍ରବାସୀ ଓଡିଆ

ହଟିନି କରୋନା କଟକଣା, ପୁଣି ଦାଦନ ଖଟିବାକୁ ବାହାରିଲେ ପ୍ରବାସୀ ଓଡିଆ

169

କୋଦଳା: ୨୪ ଅଗଷ୍ଟ (ଓଡ଼ିଆ ପୁଅ/ ସୁଶାନ୍ତ କୁମାର ପଟ୍ଟନାୟକ) ଦୀର୍ଘ ୫ ମାସରୁ ଅଧିକ ସମୟ ଧରି କରୋନା କଟକଣାରେ ଲୋକେ ପେଶୀ ହୋଇ ସାରିଲେଣି। ନା ଶାନ୍ତିରେ ବାହାରକୁ ଯାଇ କାମଧନ୍ଦା କରି ହେଉଛି ନା ଘରେ ରହିଲେ ଚୁଲି ଜଳୁଛି। ଯାହା ଫଳରେ ରୋଜଗାର ପାଇଁ ସମସ୍ତେ ବ୍ଯଗ୍ର। କରୋନା କଟକଣା ଯୋଗୁଁ ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକର ହଜାର ହଜାର ପ୍ରବାସୀ ଓଡିଆ ଶ୍ରମିକଙ୍କୁ ଗାଁ କୁ ଫେରାଇ ଆଣିଥିଲା ପ୍ରଶାସନ। ସମସ୍ତେ ସଂଘରୋଧ ଅବଧି ଶେଷ କରିବା ପରେ କର୍ମ ସଂସ୍ଥାନ ଯୋଗାଇ ଦେବାକୁ ସରକାର ପ୍ରତିଶ୍ରୁତି ଦେଇଥିଲେ। ହେଲେ ଏହି ପ୍ରତିଶ୍ରୁତି ଆଜି ପାଣିର ଗାର ପାଲଟିଛି। ଇତି ମଧ୍ୟରେ ସାଢେ ଚାରିମାସ ବିତିଯାଇଥିଲା ବେଳେ ରୋଜଗାର ହରାଇ ପ୍ରବାସୀଙ୍କ ଜୀବନ ଦୁର୍ବିସହ ପାଲଟିଛି।ସେମାନଙ୍କ ପରିବାର ବେସାହାରା ପାଲଟି ଯାଇଛି। ଏଭଳି ପରିସ୍ଥିତିରେ ସେମାନେ ଅନ୍ୟ କୌଣସି ଉପାୟ ନ ପାଇ ପେଟପାଟଣା ଲାଗି ପୁଣି ଭିଟାମାଟିକୁ ଛାଡି ସୁରତ ମୁହାଁ ହୋଇଛନ୍ତି। ଏଭଳି କ୍ରମରେ କୋଦଳା ଏନଏସି ଓ ବେଗୁନିଆପଡ଼ା ବ୍ଳକରୁ ବିଭିନ୍ନ ଗ୍ରାମରୁ ଫେରିଥିବା ପ୍ରବାସୀ ମାନେ ବସ୍ ଯୋଗେ ପୁଣି ସୁରତ ମୁହାଁ ହେଉଥିବା ଦେଖିବାକୁ ମିଳିଛି। କୋଦଳା ନିକଟରୁ ବସ୍ ଯୋଗେ ଏବେ ପୁଣି ଦାଦନ ଖଟିବାକୁ ଯାଉଛନ୍ତି ଅଞ୍ଚଳର ଶହଶହ ପ୍ରବାସୀ ଓଡିଆ ଶ୍ରମିକ। ସୁରତର ବିଭିନ୍ନ ଶିଳ୍ପ ପ୍ରତିଷ୍ଠାନର ମାଲିକ, ଠିକାଦାର ଓ ଦଲାଲ୍ ମାନେ ଅଗ୍ରୀମ ଟଙ୍କା ସହ ଗାଡିଭଡା ଦେଇ ପ୍ରବାସୀଙ୍କୁ ନେଇ ଯାଉଥିବା ଜଣାପଡିଛି। ଅନ୍ୟ ପକ୍ଷରେ ସୁରତ ଯାଉଥିବା ଶ୍ରମିକଙ୍କ ତାଲିକା ସରପଞ୍ଚ ଓ ପ୍ରଶାସନ ପାଖରେ ନାହିଁ। ଫଳରେ ଭବିଷ୍ୟତରେ କୌଣସି ସମସ୍ଯା ହେଲେ ଚିନ୍ତା ବଢିପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି। କିଛି ପ୍ରବାସୀ ଶ୍ରମିକ ଓଡିଶା ସରକାରଙ୍କ ଉପରେ ଅସନ୍ତୋଷ ଜାହିର୍ କରିଛନ୍ତି। ସରକାର କାମ ଯୋଗାଇବାରେ ବିଫଳ ହେଲେ। ଆମେ ଏଠି ରହି ଆଉ କଣ କରିବୁ। ସୁରତ ହିଁ ଆମ ଜୀବନ ଜୀବିକାର କେନ୍ଦ୍ରସ୍ଥଳ ବୋଲି ସେମାନେ କହିଛନ୍ତି। କୋଦଳା ସମେତ ଗଂଜାମ ଜିଲ୍ଲାର ବହୁ ସ୍ଥାନରୁ ପ୍ରବାସୀ ଓଡିଆ ପୁଣି ଥରେ ସୁରତ ମୁହାଁ ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆ ନଯିବା ପରିତାପର ବିଷୟ ବୋଲି ବୁଦ୍ଧିଜୀବି ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଯାହାର ସୁଯୋଗ ନେଇ ସୁରତ ସମେତ ଅନ୍ୟ ରାଜ୍ୟର ବିଭିନ୍ନ କମ୍ପାନୀ ଓ କଳକାରଖାନାର ଦଲାଲ୍ ମାନେ ସକ୍ରିୟ ହୋଇଛନ୍ତି। ସେମାନେ ଗାଁକୁ ଗାଁ ବୁଲି ପ୍ରବାସୀଙ୍କୁ ପ୍ରଭାବିତ କରୁଥିବା ଦେଖିବାକୁ ମିଳିଛି। ତେବେ ଅନ୍ୟ ରାଜ୍ୟରୁ ବସ୍ ଆସୁଛି କେମିତି, ସ୍ଥାନୀୟ ବସ୍ ଅନ୍ୟ ରାଜ୍ୟକୁ ଯାଉଛି କେମିତି ଏନେଇ ସ୍ଥାନୀୟ ପ୍ରଶାସନ ପାଖରେ ଖବର ନାହିଁ। ବସ୍ ଆସି ଛିଡା ହେଉଥିଲେ ମଧ୍ୟ ପ୍ରଶାସନ ଖବର ନେଉନି କି ଯାଞ୍ଚ କରୁନି। ଅର୍ଦ୍ଧାଧିକ ବସ୍ ବିନା ଅନୁମତିରେ ଆସୁଛି ଓ ଯାଉଛି। ଆନ୍ତଃ ଜିଲ୍ଲା ସୀମାକୁ ମଧ୍ୟ ଅନାୟାସରେ ପାର କରି ପ୍ରବାସୀଙ୍କୁ ନେଇ ଯାଉଛି ବସ୍।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.