Home ଜିଲ୍ଲା ପରିକ୍ରମା ସ୍ୱାମୀଙ୍କ ମୃତ୍ୟୁପରେ ପରକଲା ପୁଅ! , ରାସ୍ତା କଡ଼ରେ କଟୁଛି ମାନସିକ ବିକାରଗ୍ରସ୍ତ ମହିଳାଙ୍କ ଜୀବନ

ସ୍ୱାମୀଙ୍କ ମୃତ୍ୟୁପରେ ପରକଲା ପୁଅ! , ରାସ୍ତା କଡ଼ରେ କଟୁଛି ମାନସିକ ବିକାରଗ୍ରସ୍ତ ମହିଳାଙ୍କ ଜୀବନ

13

ଭଦ୍ରକ, ୬ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦିନ ଥିଲା ହସଖୁସିରେ ସଂସାର ଚାଲିଥିଲା । ସ୍ୱାମୀ ଓ ଗୋଟିଏ ପୁଅ ସହ ଦିନ କଟୁଥିଲା । ହେଲେ ଏମିତି ଦିନ ଆସିଲା ସମୟ ଯେମିତି ବଦଳିଗଲା । ହସଖୁସିର ସଂସାରରେ ଯେମିତି ଲାଗିଲା କାହାର କୋପଦୃଷ୍ଟି । ଉଜୁଡ଼ିଗଲା ସେହି ସୁନାର ସଂସାର । ସ୍ୱାମୀଙ୍କ ଦେହାନ୍ତ ହୋଇଗଲା । ଆଉ ତା’ପରେ ସ୍ତ୍ରୀ ହୋଇଗଲେ ମାନସିକ ବିକାରଗ୍ରସ୍ତ । ଘୁରିବୁଲିଲେ ରାସ୍ତା କଡ଼ରେ । ଏବେ ତାଙ୍କ ଆଶ୍ରୟ ସ୍ଥଳ ପାଲୋଟିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗେଲପୁର ପଞ୍ଚାୟତର ସାମରାଇପୁର ଆରଡ଼ିଛକ । ଦୁଇଟି ବ୍ୟାଗ ଏବେ ତାଙ୍କ ସଂସାର । ନିଜକୁ ସଠିକ୍ ଭାବେ ଜାଣିପାରୁନଥିବା ଏହି ମହିଳା ଜଣକ ତାଙ୍କ ନାମ ସରୋଜିନୀ ପଣ୍ଡା ବୋଲି କହୁଛନ୍ତି । ଏବଂ ତାଙ୍କ ଘର କୋରକୋରା ପଣ୍ଡା ସାହିରେ ବୋଲି କୁହନ୍ତି । ହେଲେ ସେ ଏଠାରେ ଏମିତି କାହିଁକି ଏବଂ କେଉଁ ପରିସ୍ଥିତିରେ ବୁଲୁଛନ୍ତି ପଚାରିଲେ ମୋତେ ଗୁଣି କରାଯାଇଛି ବୋଲି କହୁଛନ୍ତି । ନିଜକୁ ସରୋଜିନୀ ବୋଲି କହୁଥିବା ଏହି ମାନସିକ ବିକାରଗ୍ରସ୍ତ ମହିଳା ଜଣକ ଦୀର୍ଘ ୪ବର୍ଷ ହେବ ଏହି ଛକରେ ଦିନ ରାତି କାଟୁଛନ୍ତି । ରାସ୍ତା କଡ଼ରେ ଶୋଉଛନ୍ତି । ଆଉ ଦୟା ପାଇ ଯିଏ ଯାହା ଦେଲା ଖାଇ ପଡ଼ିରହୁଛନ୍ତି । ଆରଡ଼ିଛକରୁ ସେ କହୁଥିବା ଘର ମାତ୍ର ୪କି.ମି ବାଟ ହୋଇଥିଲେ ମଧ୍ୟ ନଯାଇ ରାସ୍ତା କଡ଼ରେ ପଡ଼ିରହୁଛନ୍ତି । ଏଠାରେ ଥିବା ଜଳଖିଆ ଦୋକାନି ମାନେ ମଧ୍ୟ ଅଧିକାଂଶ ସମୟରେ ତାଙ୍କୁ ଖାଦ୍ୟ ଦେଉଛନ୍ତି ।

ଅତ୍ୟଧିକ ଭୋକଲାଗିଲେ ବାଟଗଲା ଲୋକଙ୍କୁ ମାଗଣ କରି ଖାଆନ୍ତି । ତାଙ୍କୁ ପଚାରିବାରୁ ସେ କହୁଥିଲେ ମୋ ସ୍ୱାମୀଙ୍କୁ ମାରିଦିଆଯାଇଛି, ମୋ ଭାଉଜକୁ ମାରିଦେଇଛନ୍ତି ଆଉ ମୋତେବି ମାରିଦେବେ । ତାଙ୍କ ଘରେ ଆଉ କିଏ ଅଛନ୍ତି ବୋଲି ପଚାରିବାରୁ ତାଙ୍କର ଗୋଟିଏ ପୁଅଥିବା କହିଛନ୍ତି । ସିଏ ବହୁ ସହ କେଉଁଠି ରହୁଛି ମୁଁ ଜାଣିନାହିଁ । ଏପରି ଏକ ହୃଦୟ ବିଦାରକ ଦୃଶ୍ୟ ସମସ୍ତେ ଦେଖୁଥିଲେ ମଧ୍ୟ ନଦେଖିବା ପରି ଚାଲିଯାଉଛନ୍ତି । ଲୋକପ୍ରତିନିଧି କିମ୍ଭା ପ୍ରଶାସନ, କାହାରି ନଜରକୁ ଏହି ଅସହାୟ ମହିଳା ଜଣକ ଆସିନାହାନ୍ତି । ଖାଲି ଏହି ମହିଳା ନୁହଁନ୍ତି, ଭଦ୍ରକରେ ସହରଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଏପରି ଅନେକ ମାନସିକ ବିକାରଗ୍ରସ୍ତ ମଣିଷ ଓପାସ ଭୋକରେ ବୁଲୁଛନ୍ତି । ଖରା, ବର୍ଷା, ଶୀତରେ ଏମାନେ ରାସ୍ତା କଡ଼, ଗଛମୁଳ କିମ୍ଭା ପୋଲ ତଳେ ଏମାନେ ଦିନ ରାତି କଟାନ୍ତି । ନିଜକୁ ଜାଣିପାରୁନଥିବା ଏହି ମଣିଷ ମାନେ ଅଧିକାଂଶ ସମୟରେ ନାନାଦି ସମସ୍ୟାରେ ପଡ଼ୁଥିଲା ବେଳେ ଅନ୍ୟମାନଙ୍କୁ ଅସୁବିଧାରେ ପକାଉଛନ୍ତି । ଏମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଥିଲେ ମଧ୍ୟ ସବୁ ଯୋଜନା ଯେମିତି ଭଦ୍ରକରେ ଏକ ପ୍ରକାର ଫେଲ ମାରିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ମାନସିକ ବିକାରଗ୍ରସ୍ତଙ୍କ ପାଇଁ ଆଶ୍ରାଯୋଜନା ରହିଛି । ମାତ୍ର ଭଦ୍ରକ ବୁଲୁଥିବା ଏହି ଅସହାୟ ମାନସିକ ବିକାରଗ୍ରସ୍ତଙ୍କୁ ଦେଖିଲେ ଏହି ଯୋଜନା କାହାପାଇଁ ବୋଲି ପ୍ରଶ୍ନ ଉଠୁଛି । କେବଳ ଆରଡ଼ିଛକ ନୁହେଁ, ଭଦ୍ରକ ସହରରେ ବିଭିନ୍ନ ଛକ ମାନଙ୍କରେ ଏମାନଙ୍କୁ ଦେଖିବାକୁ ମିଳୁଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏମାନଙ୍କୁ ସୁରକ୍ଷା ଦେବା ସହ ଏମାନଙ୍କୁ ଚିହ୍ନଟ କରି ସାହାଯ୍ୟର ହାତ ବଢ଼ାଇବା ପାଇଁ ସାଧାରଣରେ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.