Home ଜିଲ୍ଲା ପରିକ୍ରମା ଶ୍ରୀହୀନ ହୋଇ ପଡ଼ିଛି ଭଦ୍ରକରେ ପ୍ରଥମ ଅମୃତ ପାର୍କ , ବିପଦଜନକ ଅବସ୍ଥାରେ ଚାଲିଛି ବୋଟିଂ,...

ଶ୍ରୀହୀନ ହୋଇ ପଡ଼ିଛି ଭଦ୍ରକରେ ପ୍ରଥମ ଅମୃତ ପାର୍କ , ବିପଦଜନକ ଅବସ୍ଥାରେ ଚାଲିଛି ବୋଟିଂ, ଜଳୁନି ଆଲୋକ, ବୋଟିଂ କ୍ଳବ ଦଳ ଗଡ଼ିଆରେ ଭର୍ତ୍ତି, ପୌର କର୍ତ୍ତୃପକ୍ଷ ଉଦାସୀନ

172

ଭଦ୍ରକ, ୬ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୌରାଞ୍ଚଳର ୨ନମ୍ବର ୱାର୍ଡ଼ର ଚରମ୍ପା ରହଣିଆ ଠାରେ ଅମୃତ ଯୋଜନାରେ ନିର୍ମିତ ପାର୍କ ଏବେ ପରିତ୍ୟକ୍ତ ଅବସ୍ଥାରେ । ବହୁ ଲକ୍ଷ ଟଙ୍କା ବ୍ୟୟରେ ପାର୍କରେ ଲାଗିଥିବା ଅଧିକାଂଶ ଲାଇଟ ଜଳୁ ନାହିଁ । ପାର୍କରେ ଥିବା ପାଣି ଝର ଆରମ୍ଭରୁ ଅଚଳ । ପାର୍କ ପରିସରରେ ଥିବା ପାନୀୟ ଜଳ ପଏଣ୍ଟ ଭାଙ୍ଗିରୁଜି ଗଲାଣି । ବିଭିନ୍ନ ଶୋଭା ବର୍ଦ୍ଧକ ଗଛ ସବୁ ମରିବାକୁ ବସିଛି । କୋଭିଡ କଟକଣା ଉଠିବା ପରେ ପାର୍କ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହିବାକୁ ସ୍ଥିର ହୋଇଥିଲେ ମଧ୍ୟ, ସଂଧ୍ୟା ପରେ ପାର୍କର ସବୁ ଫାଟକ ବନ୍ଦ ରହୁଛି । ଫଳରେ ସେଠାରେ ବିରାଜମାନ କରୁଝି ଅଖଣ୍ଡ ନିରବତା । ଅନୁରୂପ ପାର୍କ ନିକଟରେ ଥିବା ବୋଟିଂ କ୍ଳବ ଏବେ ବିଲାତି ଦଳରେ ଭର୍ତ୍ତୀ । ଉକ୍ତ ପାର୍କର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ପୌର କର୍ତ୍ତୃପକ୍ଷ ବିଶେଷକରି ବିଭାଗୀୟ କନିଷ୍ଠ ଯନ୍ତ୍ରୀ ବୈଜୟନ୍ତ ପାଢ଼ୀ ସମ୍ପୂର୍ଣ୍ଣ ଉଦାସୀନ ରହିଛନ୍ତି । ତାଙ୍କର ମେବାଇଲ(୯୯୩୭୯୫୩୭୮୦) ସବୁବେଳେ ବନ୍ଦ ରହୁଥିବାରୁ, ଏସମ୍ପର୍କରେ ତାଙ୍କ ପ୍ରତିକ୍ରିୟା ନେବା ସମ୍ଭବ ହୋଇ ପାରୁ ନାହିଁ । ସୂଚନାଯୋଗ୍ୟ ୩ବର୍ଷ ପୂର୍ବେ ପୌରପାଳିକାର ଚରମ୍ପା ୨ନମ୍ବର ୱାର୍ଡ଼ ରହଣିଆ ଠାରେ ଲୋକାର୍ପିତ ହୋଇଥିଲା ଅମୃତ ସହର ଭଦକର ପ୍ରଥମ ଅମୃତ ପାର୍କ । କେବଳ ପାର୍କ ନୁହେଁ ଏକ ବୋଟିଂ କ୍ଳବର ସ୍ୱପ୍ନ ଦେଖିଥିବା ତତ୍କାଳୀନ ବିଧାୟକ ଓ ପୌରାଧ୍ୟକ୍ଷ ମାନସ ମହାନ୍ତିଙ୍କ ଆଶା ମଧ୍ୟ ବାସ୍ତବ ରୂପ ନେଇଥିଲା । ତତ୍କାଳୀନ ବିଧାୟକ ଯୁଗଳ କିଶୋର ପଟ୍ଟନାୟକ ଏହି ପାର୍କକୁ ଜିଲ୍ଲାପାଳଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ, ପାରିଷଦଙ୍କ ଉପସ୍ଥିତିରେ ଉଦଘାଟନ କରି ସହରବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଥିଲେ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଭାଗିତାରେ ଏହି ପାର୍କ ଓ ବୋଟିଂ କ୍ଳବ ପାଇଁ ଏକ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇଥିଲା । କିନ୍ତୁ ଇତିମଧ୍ୟରେ ଏହି ପାର୍କ ଏବେ ପରିତ୍ୟକ୍ତ ଅବସ୍ଥାକୁ ଆସି ଯାଇଛି । କୋଭିଡ କଟକଣା ସମୟରେ କର୍ମ ନିଯୁକ୍ତି ସୃଷ୍ଟି କରିବା ଉଦ୍ଦେଶ୍ୟରେ, ରାଜ୍ୟ ସରକାରଙ୍କ ୟୁଡ଼ବ୍ଲ୍ୟୁଇଆଇ ସ୍କିମରେ ରହଣିଆ ପାର୍କର ବୋଟିଂ କ୍ଳବର ପୁନରୁଦ୍ଧାର ପାଇଁ ୬ଲକ୍ଷ ୨୫ ହଜାର ଟଙ୍କା ବ୍ୟୟବରାଦ କରିଥିଲେ । ବଜରଙ୍ଗବାଲୀ ନାମକ ଏକ ସ୍ୱୟଂ ସହାୟିକ ଗୋଷ୍ଠିଙ୍କୁ ଉକ୍ତ ପୁଷ୍କରିଣୀର ପୁନରୁଦ୍ଧାର କାର୍ଯ୍ୟ ପାଇଁ କାର୍ଯ୍ୟାଦେଶ ଦିଆଯାଇଥିଲା । ୪୬୫ଜଣ ପୁରୁଷ ଓ ସମସଂଖ୍ୟକ ମହିଳାଙ୍କୁ ମିଶାଇ ମୋଟ ୯୩୦ ଜଣଙ୍କ ପାଇଁ କର୍ମ ନିଯୁକ୍ତି ସୃଷ୍ଟିର ଉଦ୍ୟମ କରାଯାଇଥିଲା ବୋଲି ବିଭାଗୀୟ ରିପୋର୍ଟରୁ ଜଣାପଡ଼ିଛି । କିନ୍ତୁ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାର ୬ମାସ ମଧ୍ୟରେ ପାର୍କ ସନ୍ନିକଟ ଏହି ବୋଟିଂ କ୍ଲବ ପାଇଁ ଉଦ୍ଦିଷ୍ଟ ପୁଷ୍କରିଣୀ ପୁଣି ଦଳ ଗଡ଼ିଆରେ ପରିଣତ ହୋଇ ସାରିଛି । ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଠିକ ଭାବରେ ଏହି ବହୁ ଲକ୍ଷ ଟଙ୍କାର କାର୍ଯ୍ୟକୁ ତଦାରଖ କରିନଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ଅନୁରୂପ ବୋର୍ଟିଂ ସମୟରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଲାଇଫ ସେଫଟି ଜାକେଟ ଦିଆଯିବାର ବ୍ୟବସ୍ଥା ଥିବାବେଳେ, ଏବେ ଏହା ଦେଖିବାକୁ ମିଳୁ ନାହିଁ । ଏଥିପ୍ରତି ମଧ୍ୟ ପୌର କର୍ତ୍ତୃପକ୍ଷ ଉଦାସୀନ । ଅପରପକ୍ଷେ ପୌର ନିର୍ବାହୀ ଅଧିକାରୀ ବିଚିତ୍ରାନନ୍ଦ ନାୟକ କହିଛନ୍ତିଯେ ପାର୍କର ପୁଷ୍କରିଣୀର ଦଳ ସଫା ପାଇଁ କୌଣସି ଅର୍ଥ ବରାଦ ନଥିଲା । ଉକ୍ତ ବୋଟିଂ କ୍ଳବ ପାଇଁ ଉଦ୍ଦିଷ୍ଟ ପୋଖରୀର ନିକଟସ୍ଥ ପୋଖରୀ ପାଇଁ ଏହି ଅର୍ଥ ଉଦ୍ଦିଷ୍ଟ ଥିଲା । ତେବେ ମୁଁ ଆସନ୍ତା ଗୁରୁବାର ଯାଇ ଏସମ୍ପର୍କରେ ସମସ୍ତ ଅଭିଯୋଗ ସମ୍ପର୍କରେ ଯାଞ୍ଚ କରିବି ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.