Home ଓଡ଼ିଶା ସ୍ମୀତାରାଣି ହତ୍ୟା ଓ ଗଣଦୁର୍ଷ୍କମ ମାମଲାର ସିବିଆଇ ତଦନ୍ତ ହେଲେ ସତ ବାହାରିବ : ପ୍ରଦୀପ୍ତ...

ସ୍ମୀତାରାଣି ହତ୍ୟା ଓ ଗଣଦୁର୍ଷ୍କମ ମାମଲାର ସିବିଆଇ ତଦନ୍ତ ହେଲେ ସତ ବାହାରିବ : ପ୍ରଦୀପ୍ତ ନାଏକ

450

– ୫ଟି ନୁହେଁ ଠକ ସରକାର
– ରାଜ୍ୟ ସରକାର ତୁରନ୍ତ ଯାଜପୁର ଏସପିଙ୍କୁ ଓ ମହିଳା କମିଶନର ଅଧ୍ୟକ୍ଷାଙ୍କୁ ବରଖାସ୍ତ କରନ୍ତୁ
– ଜିଲ୍ଲା ପୋଲିସ ଓ ପ୍ରଶାସନ ସ୍ମୀତାରାଣୀର ହତ୍ୟାର ତଦନ୍ତ ପ୍ରକ୍ରିୟାକୁ ପ୍ରଭାବିତ କରୁଥିବା କାରଣରୁ ତାଙ୍କ ସ୍ୱାମୀ ଓ କୁନି ଝିଅକୁ ନ୍ୟାୟ ମିଳିବା ଅସମ୍ଭବ
– ବିଧାନସଭା ଅଧିବେସନ ଆରମ୍ଭ ହେବା ପୂର୍ବରୁ ଯଦି ସ୍ମୀତାରାଣି ହତ୍ୟା ଓ ଦୁର୍ଷ୍କମ ମାମଲାର ସିବିଆଇ ତଦନ୍ତ ପାଇଁ ସୁପାରିଶ ନହୁଏ ବିରୋଧି ଦଳ ପକ୍ଷରୁ ବିଧାନସଭା ଅଚଳ କରାଯିବ
– ବିଜେପି ବିଧାୟକମାନଙ୍କର ଏକ ପ୍ରତିନିଧି ଦଳ ଦିଲ୍ଲୀ ଯାଇ କେନ୍ଦ୍ର ଗୃହମନ୍ତ୍ରୀ ଓ ରାଷ୍ଟ୍ରୀୟ ମହିଳା ଆୟୋଗଙ୍କୁ ଭେଟି ଘଟଣା ବିଷୟରେ ଅବଗତ କରାଇବେ
– ସ୍ମୀତାରାଣିଙ୍କର ପରିବାର ଏବେ ଭୟଭିତ ହୋଇକି ଅଛନ୍ତି। ତାଙ୍କ ପରିବାରକୁ ୨୪ଘଂଟିଆ କଡା ପୋଲିସ ସୁରକ୍ଷା ଦିଆଯାଉ

ଭୁବନେଶ୍ୱର, ତା.୦୨/୧୧ (ଓଡ଼ିଆ ପୁଅ) : ହରିଦାସପୁରର ରଙ୍ଗଶାଳା କେବଳ ସ୍ମୀତାରାଣୀର ହତ୍ୟାକାଣ୍ଡ ନୁହେଁ ବରଂ ଅନେକ କେଳେଙ୍କାରୀର ହୃତପିଣ୍ଡ, ଅନେକ କାଣ୍ଡ କାରନାମାର ମୁକସାକ୍ଷୀ। ଜିଲ୍ଲା ପୋଲିସ ଓ ପ୍ରଶାସନ ସ୍ମୀତାରାଣୀର ହତ୍ୟାର ତଦନ୍ତ ପ୍ରକ୍ରିୟାକୁ ପ୍ରଭାବିତ କରୁଥିବା କାରଣରୁ ତାଙ୍କ ସ୍ୱାମୀ ଓ କୁନି ଝିଅକୁ ନ୍ୟାୟ ମିଳିବା ଅସମ୍ଭବ। ତେଣୁ ନିରପେକ୍ଷ ତଦନ୍ତ ପାଇଁ ଏହି ଘଟଣାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରାଯାଉ। ବିନା ତଦନ୍ତରେ, ମୃତା ସ୍ମୀତାରାଣିଙ୍କର ସ୍ୱାମୀଙ୍କ ମତକୁ, ସ୍ମୀତାରାଣିଙ୍କର ପରିବାରର କଥାକୁ ଏସପି ତଦନ୍ତ ପରିସର ଭୁକ୍ତ ନକରି କେବଳ ଯିଏ ଅପରାଧୀ ତାହା କଥାରେ କିପରି ସ୍ମୀତାରାଣୀଙ୍କର ଚରିତ୍ରକୁ ଆକ୍ଷେପ କଲେ ତାହା ବଡ ଆଶ୍ଚର୍ଯ୍ୟର କଥା। ମହିଳା କମିଶନ ଘଟଣା ସ୍ଥଳକୁ ଯାଇଥିଲେ ବି ଆଶ୍ଚର୍ଯ୍ୟ ଜନକ ଭାବେ ମୃତା ସ୍ମୀତାରାଣିଙ୍କର ପରିବାର ଲୋକଙ୍କୁ ଭେଟିଲେ ନାହିଁ। ରାଜ୍ୟ ସରକାର ତୁରନ୍ତ ଯାଜପୁର ଏସପିଙ୍କୁ ଓ ମହିଳା କମିଶନର ଅଧ୍ୟକ୍ଷାଙ୍କୁ ତୁରନ୍ତ ବହିଷ୍କାର କରନ୍ତୁ। ବିଧାନସଭା ଅଧିବେସନ ଆରମ୍ଭ ହେବା ପୂର୍ବରୁ ଯଦି ରାଜ୍ୟ ସରକାର ସ୍ମୀତାରାଣି ହତ୍ୟା ଓ ଦୁର୍ଷ୍କମ ମାମଲାର ସିବିଆଇ ତଦନ୍ତ ପାଇଁ ସୁପାରିଶ ନକରନ୍ତି ତାହେଲେ ବିରୋଧି ଦଳ ପକ୍ଷରୁ ବିଧାନସଭା ଅଚଳ କରାଯିବ। ସେହିପରି ବିଜେପି ବିଧାୟକମାନଙ୍କର ଏକ ପ୍ରତିନିଧି ଦଳ ଦିଲ୍ଲୀ ଯାଇ କେନ୍ଦ୍ର ଗୃହମନ୍ତ୍ରୀ ଓ ରାଷ୍ଟ୍ରୀୟ ମହିଳା ଆୟୋଗଙ୍କୁ ଭେଟି ଘଟଣା ବିଷୟରେ ଅବଗତ କରାଇବା ସହିତ ଘଟଣାରେ ହସ୍ତକ୍ଷେପ ଲୋଡିବେ ବୋଲି ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନିରେ କହିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ।

ସ୍ମୀତାରାଣିଙ୍କର ପରିବାର ଏବେ ଭୟଭିତ ହୋଇକି ଅଛନ୍ତି। ତାଙ୍କ ପରିବାରକୁ ୨୪ଘଂଟିଆ କଡା ପୋଲିସ ସୁରକ୍ଷା ଦିଆଯାଉ ବୋଲି ଶ୍ରୀ ନାଏକ ଦାବି କରିଛନ୍ତି।

ଶ୍ରୀ ନାଏକ କହିଛନ୍ତି ଯେ ସ୍ଥାନୀୟ ତହସିଲ ଅଫିସର ତଥ୍ୟ ଅନୁସାରେ ମାର୍ଚ୍ଚ ୨୭, ୨୦୧୮ରେ ଏହି ରଙ୍ଗଶାଳାକୁ ଉଚ୍ଛେଦ କରାଯାଇଛି। ଆର୍ଆଇ କ୍ଷୀରାଦ୍ଦି ପଣ୍ଡାଙ୍କ ସ୍ୱାକ୍ଷରରେ ଏକ ଉଚ୍ଛେଦ ରିପୋର୍ଟ ମାର୍ଚ୍ଚ ୨୭, ୨୦୧୮ ତାରିଖ ଦିନ ତହସିଲ ଅଫିସକୁ ଦିଆଯାଇଛି। ରାଜ୍ୟ ରାଜସ୍ୱ ବରାଗ ତଥା ଜିଲ୍ଲାପାଳ ଏହି ରିପୋର୍ଟର ସତ୍ୟତା ଉପରେ ତୁରନ୍ତ ସ୍ପଷ୍ଟିକରଣ ରଖନ୍ତୁ। ଏହି ରଙ୍ଗଶାଳାର ମିଛ ଉଚ୍ଛେଦ ର ଖଳ ନାୟକ କେଉଁମାନେ ଥିଲେ? ଯଦି ବହୁ କେଳେଙ୍କାରୀର ହୃତପିଣ୍ଡର ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଏ ସବୁ ତଥ୍ୟ ସାମ୍ନାକୁ ଆସିବ। ରୂପେଶ୍ ଭଦ୍ରର କାହା ସହିତ ସମ୍ପର୍କ ଅଛି ସେହି ରଙ୍ଗମହଲ କୁ କେଉଁମାନେ ଆସନ୍ତି ତାହା ମଧ୍ୟ ସାମନାକୁ ଆସୁିବ।

ସ୍ମିତାରାଣିଙ୍କର ସ୍ୱାମୀ ମହିଳା କମିଶନ ଓ ପୋଲିସ ଡିଜିଙ୍କ ପାଖରେ କହିଛନ୍ତି ଯେ ସ୍ମୀତାରାଣିଙ୍କ ଉପରେ ବୃତିଗତ ଚାପ ଥିଲା। ଶାସକ ଦଳର କିଛି ନେତା ମିଥ୍ୟା ବିଲ ପାସ କରାଇବା, ପକ୍କାଘର ହିତାଧୀକାରି ଚୟନରେ ସେମାନଙ୍କ ସୁପାରିଶ ଅନୁସାରେ ହିତାଧିକାରି ଚୟନ କରିବା ଓ ଅନ୍ୟାନ ସରକାରୀ ଯୋଜନାରେ ବେଆଇନ କାମ କରିବା ପାଇଁ ଚାପ ପକାଉଥିଲେ। ସେକଥା ସ୍ମୀତାରାଣି ତାଙ୍କ ସ୍ୱାମୀଙ୍କୁ ଅନେକ ଥର କହିଥିଲେ। ପୋଲିସ ସେହି ଦିଗ ଉପରେ ତଦନ୍ତ କାହିଁକି କଲାନାହିଁ ? ସ୍ମିତାରାଣୀର ଗଣଦୁର୍ଷ୍କମ ଏବଂ ହତ୍ୟା ସ୍ଥଳୀରେ ରଙ୍ଗଶାଳା ସାଜିଥିବା ସେ ଗେଷ୍ଟହାଉସର ସିସିଟିଭି ଫୁଟେଜ କୁଆଡେ ଗଲା? ଗଣଦୁଷ୍କର୍ମ ଏବଂ ହତ୍ୟା ହୋଇଥିବା ଘଟଣାସ୍ଥଳ ଏବଂ ଗେଷ୍ଟହାଉସ କଣ ପାଇଁ ପୋଲିସ ସେହି ଘଟଣା ଘଟିବା ପରେ ସିଲ କଲା ନାହିଁ ? ଯେଉଁ ସ୍କୋର୍ପିଓରେ ମୃତା ସ୍ମିତାରାଣୀଙ୍କୁ ଡାକ୍ତରଖାନା ନିଆଗଲା ସେ ଗାଡି କାହାର ଏବଂ ସେଗାଡିକୁ ପୋଲିସ କଣ ପାଇଁ ସିଜ କରିଲା ନାହିଁ ? ଘଟଣା ସମୟରେ ଗେଷ୍ଟ ହାଉସରେ ଥିବା ବାକି ୪ ଜଣ ଯେଉଁଥିରେ ୨ ଜଣ ବିଜେଡିର ସମିତିସଭ୍ୟ, ଜଣେ ଜିଲ୍ଲା ପରିଷଦ ସଦସ୍ୟ ଏବଂ ଜଣେ ରାମକୋର ଉଚ୍ଚସ୍ତରୀୟ ଅଧିକାରୀ ଥିଲେ ସେମାନେ କିଏ ଏବଂ ଏହି ହତ୍ୟାକାଣ୍ଡରେ ତାଙ୍କର ଭୂମିକା କଣ ଥିଲା। ଏ ସମସ୍ତ ଅସମାହିତ ପ୍ରଶ୍ନର ଉତର ସିବିଆଇ ତଦନ୍ତ ହେଲେ ଯାଇ ବାହାରିବ। ରାଜ୍ୟ ସରକାର କ୍ରାଇମବ୍ରାଂଚ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇ ଅସଲ ଅପରାଧିକୁ ଖସାଇବା ପାଇଁ ଷଡଯନ୍ତ୍ର କଲେ ଏହାକୁ ବିରୋଧ କରାଯିବ ବୋଲି ପ୍ରଦୀପ୍ତ କହିଛନ୍ତି।

ଘଟଣାରେ ରୂପେଶ ଭଦ୍ରକୁ ଗିରଫ କରାଯାଇଥିବା ସମୟରେ ଆଉ ୪ ଜଣଙ୍କୁ ପୋଲିସ କଣ ପାଇଁ ଗିରଫ କଲା ନାହିଁ ? ଅଧିକନ୍ତୁ ସେମାନଙ୍କୁ ତଦନ୍ତ ପରିସର ଭିତରକୁ ମଧ୍ୟ ପୋଲିସ ଆଣିନାହିଁ କିମ୍ବା ସେମାନଙ୍କୁ ପଚରାଉଚରା କରିନାହିଁ। ହେଲେ ପୋଲିସ ମୃତା ସ୍ମିତାରାଣୀଙ୍କ ସ୍ୱାମୀ ସୁଶିଲ ବିଶ୍ୱାଳ ଏବଂ ଭାରତୀୟ ସେନାରେ କାର୍ଯ୍ୟରତ ଥିବା ତାଙ୍କର ୨ ଭାଇଙ୍କୁ ଘଂଟା ଘଂଟା ଧରି ଥାନାରେ ବସାଇ ପାଣି ଟୋପେ ନଦେଇ, ତାଙ୍କୁ ଅମାନୁଷିକ ଭାବେ ମାନସିକ ସ୍ତରରେ ନିର୍ଯ୍ୟାତନା ଦେଉଛି। ରାଜ୍ୟସରକାର ମହିଳା ସଶକ୍ତିକରଣ, ମୋ ସରକାର, ମୋ ପୋଲିସ ଏବଂ ୫ଟି କଥା କହୁଥିବାବେଳେ ଏକ ସରକାରୀ କର୍ମଚାରି ଓ ମହିଳାଙ୍କ ମୃତ୍ୟୁପରେ ତାଙ୍କୁ ନ୍ୟାୟ ମିଳୁନାହିଁ ବୋଲି ଶ୍ରୀ ନାଏକ କହିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନିରେ ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, ବିଧାୟକ ମୁକେଶ ମାହାଲିଙ୍ଗ, ମୁଖପାତ୍ର ଗୋଲକ ମହାପାତ୍ର, ସମ୍ପାଦକ କାଳନ୍ଦୀ ସାମଲ, ଗୌତମ ରାୟ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.