Home ଓଡ଼ିଶା ସ୍ବେଚ୍ଛାସେବୀମାନଙ୍କୁ ତାଲିମ ପ୍ରଦାନ

ସ୍ବେଚ୍ଛାସେବୀମାନଙ୍କୁ ତାଲିମ ପ୍ରଦାନ

68

ପୁରୀ ୨୧-୦୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ସହରର ବସ୍ତି ଗୁଡିକରେ କରୋନା ମହାମାରୀକୁ ପ୍ରତିହତ କରିବା ଏବଂ ସଚେତନତା ସୃଷ୍ଟି ନିମନ୍ତେ ସ୍ବେଚ୍ଛାସେବୀ ମାନଙ୍କୁ ତାଲିମ ପ୍ରଦାନ କରାଯାଇଛି। ପ୍ରାଥମିକ ଭାବେ ପେଣ୍ଠକଟା ଅଞ୍ଚଳର ୧୨୪ ଜଣଙ୍କୁ ଏହି ତଲିମ ପ୍ରଦାନ କରାଯାଇଛି। ଏନେଇ ବାଙ୍କି ମୁହାଣ ନିକଟସ୍ଥ ନିଳାଦ୍ରି ବେଳାଭୂମିରେ ଏକ ତାଲିମ କର୍ଯ୍ୟକ୍ରମ ଜିଲ୍ଲାପାଳ ଶ୍ରୀ ବଲଓ୍ବନ୍ତ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଉକ୍ତ ସ୍ବେଚ୍ଛାସେବୀମାନେ କୋଭିଡ କେୟାର ମନିଟର ଭାବେ ପରିଚିତ ହେବେ ଏବଂ କରୋନା ଲଢେଇ ନିମନ୍ତେ ଗୋଷ୍ଠୀ ନେତୃତ୍ବ ନେବେ। ପେଣ୍ଠକଟା ଅଞ୍ଚଳ ପୌରସଂସ୍ଥାର ୨୫, ୨୬, ୩୧ ଓ ୩୨ ନଂ ୱାର୍ଡରେ ରହିଛି। ଉକ୍ତ ଅଞ୍ଚଳରେ ପ୍ରାୟ ୫ ହଜାର ଲୋକ ୪୭ଟି ଛୋଟ ବଡ ସାହିରେ ରହୁଛନ୍ତି। ୨୫ ଘରକୁ ଜଣେ ସ୍ବେଚ୍ଛାସେବୀ ନିୟୋଜିତ ହେବେ। ଉକ୍ତ ସ୍ବେଚ୍ଛାସେବୀ ସଂପୃକ୍ତ ପରିବାରରୁ ବୃଦ୍ଧ ବୃଦ୍ଧା, ଶିଶୁ, ଜ୍ଜର, ଥଣ୍ଡା, କାଶ ଲକ୍ଷଣ ଥିବା ବ୍ୟକ୍ତିଙ୍କ ବିଷୟରେ ତଥ୍ୟ ଦେବା ସହ ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ସଂପର୍କରେ ସଚେତନ କରାଇବେ। ବାହାର ବ୍ୟକ୍ତି ବସ୍ତିକୁ ଆସିଲେ ଏବଂ ସଙ୍ଗରୋଧ ନିୟମ ଉଲଘଂନ ସଂପର୍କରେ ମଧ୍ୟ ତଥ୍ୟ ହାସଲ କରାଯିବ। ଆବଶ୍ୟକ ସ୍ଥଳେ ପୋଲିସ ଓ ପୌରସଂସ୍ଥା ପକ୍ଷରୁ ମିଳିତ ଚଢାଉ କରାଯିବ। ସଂପୃକ୍ତ ଅଞ୍ଚଳରୁ କୌଣସି ବ୍ୟକ୍ତି ବାହାରକୁ ଗଲେ ମଧ୍ୟ ତଥ୍ୟ ରହିବ। ହୋଡିଂ, ଡାକବାଜି ଓ ପ୍ରଚାରପତ୍ର ମାଧ୍ୟମରେ ମଧ୍ୟ ସଚେତନ କରାଯିବ। ଆସନ୍ତା ଦୁଇଦିନ ମଧ୍ୟରେ ଉକ୍ତ ମନିଟରମାନେ ସମସ୍ତ ପରିବାରର ହ୍ବାଟସଆପ ନମ୍ବର ସଂଗ୍ରହ କରିବେ। ଏହା ମାଧ୍ୟମରେ କରୋନା ସଂପର୍କରେ ଗୁରୁତ୍ବପୂର୍ଣ ବାର୍ତ୍ତା ପ୍ରଦାନ କରାଯିବ। ସଂଗୃହିତ ତଥ୍ୟକୁ ମନିଟରମାନେ କୋଭିଡ କେୟାର ଲିଡରଙ୍କୁ ଓ ଲିଡରମାନେ କୋଭିଡ କେୟାର ଅର୍ଗାନାଇଜର ମାନଙ୍କୁ ପ୍ରଦାନ କରିବେ। ଅର୍ଗାନାଇଜରମାନେ ନୋଡାଲ ଅଫିସରଙ୍କୁ ପ୍ରଦାନ କରିବେ। ଶ୍ରୀମନ୍ଦିର ନୀତି ପ୍ରଶାସକ ଶ୍ରୀ ଅଜୟ କୁମାର ଜେନାଙ୍କୁ ନୋଡାଲ ଅଫିସର ଭାବେ ନିଯୁକ୍ତ ଦିଆଯାଇଛି। ଭଲ କାର୍ଯ୍ୟ କରୁଥିବା ମନିଟର ମାନଙ୍କୁ ପୁରସ୍କୃତ କରାଯିବ ବୋଲି ଜିଲ୍ଲାପାଳ ଘୋଷଣା କରିଛନ୍ତି। ଉକ୍ତ ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ପୌରସଂସ୍ଥା ନିର୍ବାହୀ ଅଧିକାରୀ ଶ୍ରୀ ବିଜୟ କୁମାର ଦାଶ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ସାନ୍ତନୁ କୁମାର ଦାସ, ଯକ୍ଷ୍ମା ବିଭାଗର ଡଃ ଲଲାଟେନ୍ଦୁ ମିଶ୍ର, ଡିପିଏମ ଶ୍ରୀ ନାରାୟଣ ରାଓ, ଏପିଏମଓ ଶ୍ରୀ ସନ୍ତୋଷ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.