Home ଓଡ଼ିଶା ସ୍ନାନ ଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନର ୧୦ ଟି ନିଯୋଗ ସହ ଆଲୋଚନା

ସ୍ନାନ ଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନର ୧୦ ଟି ନିଯୋଗ ସହ ଆଲୋଚନା

115

ପୁରୀ, ୨୧/୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ମହାପ୍ରଭୁଙ୍କର ଆଗାମୀ ସ୍ନାନ ଯାତ୍ରା ସଂପର୍କରେ ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଅଳ୍ପ ସଂଖ୍ୟକ ସେବାୟତଙ୍କୁ ନେଇ କିପରି ସ୍ନାନ ଯାତ୍ରା କରାଯିବ ସେ ସଂପର୍କରେ ପୁଂଖାନୁ ପୁଂଖ ଆଲୋଚନା କରାଯିବା ପରେ ସେବାୟତ ମାନେ ଅଳ୍ପ ସଂଖ୍ୟକ ସେବାୟତଙ୍କୁ ନେଇ ସମସ୍ତ କାର୍ଯ୍ୟ କରିବେ ବୋଲି ସହମତି ପ୍ରକାଶ କରିଥିଲେ। ଆସନ୍ତା ୨୫ ତାରିଖ ସୁଧା ସବୁ ନିଯୋଗ ସେମାନଙ୍କ ସେବାୟଙ୍କ ତାଲିକା ଦେବା ନିମନ୍ତେ ପ୍ରଶାସନ ପକ୍ଷରୁ କୁହାଯାଇଛି। ଶୀଘ୍ର ପହଣ୍ଡି ନୀତି କରିବା ସହ ଚଳିତ ବର୍ଷ ୧୫ ଦିନ ଅଣସରନୀତି କରାଇବା ନେଇ ଦୈତାପତିଙ୍କ ପ୍ରସ୍ତାବ ଉପରେ ବୈଠକରେ ମତାମତ ଲୋଡା ଯାଇଥିବା ବେଳେ କୋଭିଡ୍‌-୧୯ କଟକଣା ଭିତି ରେ କିଭଳି ନୀତି ସଂପାଦନ କରାଯିବ ସେ ନେଇ ଆଲୋଚନା ହୋଇଛି। ଲକ ଡାଉନ ସମୟରେ ଶୀତଳ ଷଷ୍ଠୀ ଭଳି ବାହାରେ ଅନୁଷ୍ଠିତ ହେବାକୁ ଥିବା ଅନ୍ୟାନ୍ୟ ନୀତି କିଭଳି ସଂପାଦନ କରାଯିବ ସେ ନେଇ ଧାର୍ମିକ ଗୁରୁଙ୍କ ମତ ନେବାକୁ ବୈଠକରେ ନିଷ୍ପତି ହୋଇଛି। ଅନ୍ୟ ପଟେ ସେବାୟତ ମାନେ ମହାପ୍ରଭୁଙ୍କ ସମସ୍ତ ସେବାନୀତି ଶୃଙ୍ଖଳିତ ଓ ନିୟମ ଅନୁସାରେ କରିବାନେଇ ମତ ଦେଇଛନ୍ତି। ଆଜି ୧୦ ଟି ପ୍ରମୁଖ ନିଯୋଗ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା। ଆଗାମୀ ଜୁନ ୫ ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ସ୍ନାନ ପୂର୍ଣ୍ଣିମା ରେ ମହାପ୍ରଭୁଙ୍କ ର ପହଣ୍ଡି ନୀତି ଠାରୁ ଆରମ୍ଭ କରି ଜଳବିଜେ, ସ୍ନାନ ନୀତି ତଥା ଗଜାନନ ବେଶ ସୁଚାରୁ ରୂପେ ସଂପାଦନ କରିବାନେଇ ବୈଠକରେ ଆଲୋଚନା କରାଯାଇଛି। କୋଭିଡ୍‌-୧୯ କୁ ନେଇ କଟକଣା ଥିବା ଯୋଗୁଁ କଟକଣା ଭିତିରେ କିଭଳି ମହାପ୍ରଭୁଙ୍କ ନୀତି ଗୁଡିକ ଶୃଙ୍ଖଳିତ ଓ ସୁଚାରୁ ରୂପେ କିଭଳି କରିହେବ ସେ ଦିଗରେ ବିଭିନ୍ନ ନିଯୋଗ ପକ୍ଷରୁ ଆଗାମୀ ୨୫ ତାରିଖ ସୁଧା ତାଲିକା ଦିଆଯିବ। ଚଳିତ ବର୍ଷ ୧୫ ଦିନ ଅଣସର ନୀତି କରିବା ସହ ଶୀଘ୍ର ପହଣ୍ଡି କରିବା ନେଇ ଦୈତାପତି ନିଯୋଗ ପକ୍ଷରୁ ଦିଆଯାଇଥିବା ବେଳେ ସମସ୍ତ ପ୍ରସ୍ତାବ ମିଳିସାରିବା ପରେ ଛତିଶା ନିଯୋଗ ବୈଠକ ଓ ପରିଚାଳନା କମିଟି ବୈଠକରେ ଆଲୋଚନା କରାଯାଇ ନୀତି ନିର୍ଘଂଟ ଚୁଡାନ୍ତ କରାଯିବ। ଶୀତଳ ଷଷ୍ଠୀ ଭଳି ବାହାରେ ଅନୁଷ୍ଠିତ ହେବାକୁ ଥିବା ନୀତି ଗୁଡିକ କିଭଳି କରାଯିବ ସେ ନେଇ ଧାର୍ମିକ ଗୁରୁଙ୍କ ମତାମତ ନିଆଯିବ। ସେବାୟତ ମାନଙ୍କ େଓଲଫେୟାର ପାଇଁ ଜିଲାପାଳ ବୈଠକ କରି ଆବଶ୍ୟକୀୟ ପଦକ୍ଷେପ ନେବେ। ଆଜିର ବୈଠକରେ ପୁଜାପଣ୍ଡା, ପୁଷ୍ପାଳକ, ଗରାବଡୁ, ସୁଆରବଡୁ, ପତ୍ରିବଡୁ, ମହାଜନ, ପ୍ରତିହାରି, ଖୁଂଟିଆ, ମେକାପ ଓ ସୁଆର ମହାସୁଆର ନିଯୋଗର ପ୍ରତିନିଧି ମାନେ ଯୋଗଦାନ କରିଥିବାବେଳେ ଆଗାମୀ ସ୍ନାନଯାତ୍ରା ଦିନ ନୀତି ସଂପାଦନ ପାଇଁ ଆବଶ୍ୟକୀୟ ସେବାୟତମାନ ହିଁ ଉପସ୍ଥିତ ରହି ନୀତି କରିବାକୁ ମତ ଦେଇଥିଲେ। ଏପରିକି ମହାପ୍ରଭୁଙ୍କ କାର୍ଯ୍ୟରେ କୌଣସି ବି ସମସ୍ୟା ନ ହୁଏ ସେ ଦିଗରେ ଧ୍ୟାନ ଦେଇ ସବୁ ସେବାୟତମାନେ ଭିତି ସଂପାଦନ କରିବାକୁ ମତ ଦେଇଛନ୍ତି। ରଥଯାତ୍ରାରେ ଆବଶ୍ୟକ ହେଲେ ସବୁ ସେବାୟତ ମିଳିମିଶି କରି ରଥ ଭିଡିବା ନେଇ ମଧ୍ୟ ପ୍ରସ୍ତାବ ଦିଆଯାଇଛି। ଆଜିର ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀ କ୍ରିଷ୍ଣ କୁମାର ଅଧ୍ୟକ୍ଷତା କରିଥିବା ବେଳେ ଉପମୁଖ୍ୟ ପ୍ରଶାସକ ତଥା ଜିଲାପାଳ ଶ୍ରୀ ବଲଓନ୍ତ ସିଂ ଙ୍କ ସମେତ ମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.