Home ଜିଲ୍ଲା ପରିକ୍ରମା ସ୍ଥଗିତ ହେଲା କଂଗ୍ରେସର ଧାରଣା : ଏସ୍‌ପିଙ୍କ ତତ୍ତ୍ୱାବଧାନରେ ଅଭିଯୁକ୍ତଙ୍କ ଗିରଫ ପାଇଁ ଟିମ୍ ଗଠନ...

ସ୍ଥଗିତ ହେଲା କଂଗ୍ରେସର ଧାରଣା : ଏସ୍‌ପିଙ୍କ ତତ୍ତ୍ୱାବଧାନରେ ଅଭିଯୁକ୍ତଙ୍କ ଗିରଫ ପାଇଁ ଟିମ୍ ଗଠନ ହେବ

91

ଭଦ୍ରକ, ୨୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସଂଗୀତା ମୋଟର୍ସର କର୍ମଚାରୀଙ୍କ ମୃତ୍ୟୁ ପାଇଁ ଦାୟୀ ଶୋ’ରୁମ୍‌ର ମାଲିକ ଚନ୍ଦନ ଶାହାକୁ ଗିରଫ ଓ ଜିଲ୍ଲାରେ ଚାଲିଥିବା ନିଶାକାରବାର, ଡ୍ରଗ୍‌ସ ବ୍ୟବସାୟକୁ ବନ୍ଦ କରିବା, ନିଶାକାରବାରର ମୁଖ୍ୟ ଶ୍ୟାମସୁନ୍ଦର ଗୁପ୍ତାଙ୍କୁ ଗିରଫ କରିବା ଦାବି ନେଇ ଦୁଇଦିନ ଧରି ଭଦ୍ରକ ନିର୍ବାଚନ ମଣ୍ଡଳୀ କଂଗ୍ରେସ ପକ୍ଷରୁ ଚାଲି୍‌ଥିବା ପ୍ରତୀକ ଧାରଣା ଆଜି ଦ୍ୱିତୀୟ ଦିନରେ ଏସପିଙ୍କ ସହିତ ଆଲୋଚନା ପରେ ସ୍ଥଗିତ ରଖାଯାଇଛି । ଏସପି ଏହାର ଦାୟିତ୍ୱ ନିଜେ ନେବା ସହିତ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ବିହାର ପଠାଇବେ, ଆବଶ୍ୟକ ହେଲେ ତାଙ୍କର ସମସ୍ତ ବ୍ୟାଙ୍କ ଆକାଉଣ୍ଟକୁ ସିଲ କରାଯିବ ଏବଂ ସମ୍ପତିକୁ ମଧ୍ୟ ସିଲ କରାଯିବ ବୋଲି ପ୍ରତିଶୃତି ଦେବା ପରେ ଧାରଣାକୁ ସ୍ଥଗିତ ରଖାଯାଇଛି । ଭଦ୍ରକ ଗବସାହି ଅଞ୍ଚଳର ଚିତ୍ତରଂଜନ ଜେନା ନାମକ ଯୁବକ ସଂଗୀତା ମୋଟର୍ସରେ କାର୍ଯ୍ୟ କରୁଥିବା ବେଳେ ସୋ’ରୁମ୍‌ର ମାଲିକ ଚନ୍ଦନ ଶାହାଙ୍କ ନିର୍ଯାତନା ସହି ନ ପାରି ଆତ୍ମହତ୍ୟା କଲେ । ଆତ୍ମହତ୍ୟା ପୂର୍ବରୁ ସେ ତାଙ୍କ ବୟାନ ଲେଖି ମୃତ୍ୟୁ ପାଇଁ ଚନ୍ଦନ ଶାହା ଦାୟୀ ବୋଲି ସ୍ପଷ୍ଟ ଭାବେ ଉଲ୍ଲେଖ କରିଥିଲେ । ପୁଲିସ ମାମଲା ରୁଜୁ କରିଥିଲେ ବି ଅଭିଯୁକ୍ତ ଚନ୍ଦନ ଶାହାଙ୍କୁ ଗିରଫ କରୁନାହିଁ । ଏଥି ସହିତ ଭଦ୍ରକରେ ନିଶା କାରବାରର ସମ୍ରାଟ ସାଜିଥିବା ଶ୍ୟାମସୁନ୍ଦର ଗୁପ୍ତା ଜିଲ୍ଲା ତମାମ ନିଶାର ସାମ୍ରାଜ୍ୟ ସୃଷ୍ଟି କରି ଖୋଲାଖୋଲି ଦେଶୀ ମଦ କାରବାର କରି ସମାଜକୁ ନଷ୍ଟ କରୁଥିବା ବେଳେ ଡ୍ରଗ୍ସ କାରବାରକୁ ବହୁମାତ୍ରାରେ ବଢାଇ ଚାଲିଛନ୍ତି । ତୁରନ୍ତ ଚନ୍ଦନ ଶାହାଙ୍କୁ ଗିରଫ କରିବା ସହିତ ବିହାରୀ ଅପରାଧି ଲିଙ୍କ୍ ମୁଖ୍ୟ ଶ୍ୟାମସୁନ୍ଦର ଗୁପ୍ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ଏବଂ ତାଙ୍କ ସମ୍ପତିର ସ୍ୱତସ୍ତ୍ର ଟାସ୍କ ଫୋର୍ସ ମାଧ୍ୟମରେ ତଦନ୍ତ କରିବା ଦାବି କରି ଦୁଇଦିନ ଧରି ପ୍ରତୀକ ଧାରଣା ଜାରି ରହିଥିଲା । ଆଜି ଦ୍ୱିତୀୟ ଦିନ ଧାରଣାରେ ଭଦ୍ରକ ନିର୍ବାଚନ ମଣ୍ଡଳୀ ନେତା ନଳିନୀ ମହାନ୍ତି, ଭଣ୍ଡାରିପୋଖରୀ ନେତା ସୁବ୍ରତ ଦାସ, ଯୁବ କଂଗ୍ରେସ ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ ଦାସ, ରାଜନ ଲାହା, ବିଜୟ ବାରିକ ବସିଥିବା ବେଳେ ତାହେର ଅହମ୍ମଦ ଖାଁ,ଇଲିଆସ ଖାଁ, ରାଜକିଶୋର ପଣ୍ଡା, ବିଜୟ ଶଙ୍କର ମହାନ୍ତି, ଯତୀନ୍ଦ୍ର ସାହୁ, ପୀତବାସ ଧଳ ସହଯୋଗ କରିଥିଲେ । ପରେ ଅପରାହ୍ନରେ ଏସପି ରାଜେଶ ପଣ୍ଡିତ ଶ୍ରୀ ମହାନ୍ତି ଓ ସୁବ୍ରତ ଦାସଙ୍କ ସହିତ ଆଲୋଚନା କରିଥିଲେ । ଆଲୋଚନା ପରେ ଶ୍ରୀ ମହାନ୍ତି କହିଥିଲେ ଯେ ଯଦି ୧୫ ଦିନ ମଧ୍ୟରେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ ନକରେ ତେବେ ପୁଣି ଆନ୍ଦୋଳନକୁ ତୀବ୍ର କରାଯିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.