Home ଜିଲ୍ଲା ପରିକ୍ରମା ମହାନ ସ୍ୱାଧୀନତା ସଂଗ୍ରାମୀ ଓ ବିଶିଷ୍ଟ ଚାରଣ କବି ବାଞ୍ଛାନିଧି ମହାନ୍ତିଙ୍କ ପ୍ରତିମୂର୍ତ୍ତୀ ଭଙ୍ଗା ବିରୋଧରେ...

ମହାନ ସ୍ୱାଧୀନତା ସଂଗ୍ରାମୀ ଓ ବିଶିଷ୍ଟ ଚାରଣ କବି ବାଞ୍ଛାନିଧି ମହାନ୍ତିଙ୍କ ପ୍ରତିମୂର୍ତ୍ତୀ ଭଙ୍ଗା ବିରୋଧରେ ଏଆଇଡିଏସଓର ପ୍ରତିବାଦ

180

ଭଦ୍ରକ, ୨୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତବର୍ଷର ସ୍ୱାଧୀନତା ଆନ୍ଦୋଳନର ମହାନ ସଂଗ୍ରାମୀ ତଥା ଚାରଣ କବି ବାଞ୍ଛାନିଧି ମହାନ୍ତିଙ୍କ ପ୍ରତିମୂର୍ତ୍ତୀକୁ ପ୍ରଶାସନ ଭାଙ୍ଗିବା ଘଟଣାକୁ ଏଆଇଡିଏସଓ ପକ୍ଷରୁ ଦୃଢ ଭାଷାରେ ନିନ୍ଦା କରାଯାଇଛି । ଏଠାରେ ସୂଚନାଯୋଗ୍ୟ ବାସୁଦେବପୁର ଛକ ଠାରେ ମହାନ ବାଞ୍ଛାନିଧି ମହାନ୍ତିଙ୍କ ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତୀ ଥିଲା । ଜାମୁଝାଡି ରୁ ଧାମରା ପର୍ଯ୍ୟନ୍ତ ଜାତୀୟ ରାଜପଥର ସଂପ୍ରସାରଣ କରିବା ଆଳରେ ଏହି ମହାନ ଚାରଣ କବିଙ୍କ ପ୍ରତିମୂର୍ତ୍ତୀକୁ ଉଭୟ କେନ୍ଦ୍ର ଓ ରାଜ୍ୟ ପ୍ରଶାସନର ତତ୍ୱାବଧାନରେ ଭଙ୍ଗାଯାଇଛି । ଏହି ଘଟଣା ସାରା ରାଜ୍ୟର ସ୍ୱାଭିମାନୀ ଜନତାଙ୍କୁ ଗଭୀର ବ୍ୟଥା ଦେଇଛି । ସାରା ଦେଶରେ ମହାମନୀଷୀମାନଙ୍କ ଗୈାରବମୟ ଗାଥାକୁ ଜନମାନସରୁ ପୋଛି ଦେବାର ଯେଉଁ ସାମଗ୍ରୀକ ଉଦ୍ୟମ ଚାଲିଛି ତାହାର ଅଂଶସ୍ୱରୁପ ଏହି ଘଟଣା ଆମ ରାଜ୍ୟରେ ମଧ୍ୟ ଘଟିଛି । ଏହା ପୂର୍ବରୁ ମହାନ ଲେନିନ, ପେରିଆର, ଇଶ୍ୱରଚନ୍ଦ୍ର ବିଦ୍ୟାସାଗର ପ୍ରଭୃତିଙ୍କ ପ୍ରତିମୂର୍ତ୍ତୀକୁ ମଧ୍ୟ ଭଙ୍ଗାଯାଇଥିଲା । ବର୍ତ୍ତମାନ ଏହି ଘଟଣା ଆମ ରାଜ୍ୟରେ ବିଦ୍ରୋହୀ କବି ବାଞ୍ଛାନିଧି ମହାନ୍ତିଙ୍କ ପ୍ରତିମୂର୍ତ୍ତୀ ଭାଙ୍ଗିବା ଭିତର ଦେଇ ଘଟିଛି । ଏହି ଘଟଣା ଅତ୍ୟନ୍ତ ନିନ୍ଦନୀୟ । ଏହାକୁ ଯେତେ କଡା ଭାଷାରେ ନିନ୍ଦା କରାଯିବ ତାହା କମ ହେବ ବୋଲି ଏଆଇଡିଏସଓ ପକ୍ଷରୁ ପ୍ରକାଶ କରାଯାଇଛି । ମହାନ ବାଞ୍ଛାନିଧି ମହାନ୍ତିଙ୍କ ପ୍ରତିମୂର୍ତ୍ତୀ ଭଙ୍ଗା ଘଟଣାକୁ ବିରୋଧ କରିବା ସହ ଏହି ଘଟଣାରେ ସଂପୃକ୍ତ ସମସ୍ତ ଦୋଷୀ ଅଫିସର ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ପ୍ରଶାସନ ତୁରନ୍ତ ରାଜ୍ୟବାସୀଙ୍କୁ କ୍ଷମାପାର୍ଥନା କରିବା ସହ ମହାନ ସ୍ୱାଧୀନତା ସଂଗ୍ରାମୀ ବାଞ୍ଛାନିଧି ମହାନ୍ତିଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତୀକୁ ସସମ୍ମାନେ ବାସୁଦେବପୁର ଛକ ଠାରେ ସ୍ଥାପନ କରିବାକୁ ଦୃଢ ଦାବି କରି ଆଜି ଏଆଇଡିଏସଓ ପକ୍ଷରୁ ଘରେ ଘରେ ପ୍ରତିବାଦ କରାଯାଇଛି । ପ୍ରତିବାଦକାରୀ ମାନେ ହାତରେ ପ୍ଲାକାର୍ଡ ଧରି ଏହି ଘଟଣାର ପ୍ରତିବାଦ କରିଛନ୍ତି । ଆଜିର ପ୍ରତିବାଦ କାର୍ଯ୍ୟକ୍ରମରେ ଏଆଇଡିଏସଓର ରାଜ୍ୟ ଉପ-ସଭାପତି ସିଦ୍ଧାର୍ଥ ରଥ, ରାଜ୍ୟ କମିଟି ସଦସ୍ୟ ଆଜମଲ ହୁସେନ, ଭଦ୍ରକ ସିଟି କମିଟି ସଭାପତି ଗୋବିନ୍ଦ ମଲ୍ଲିକ, ସହ-ସମ୍ପାଦକ ଜିତେନ୍ଦ୍ର ଦାସ, ଛାତ୍ର ନେତା ମଣ୍ଟୁଚନ୍ଦ୍ର ମଲ୍ଲିକ, ବାପୁନି ଜେନା, ଦୟାନିଧି ମାଝୀ ପ୍ରଭୃତି ଅଂଶଗ୍ରହଣ କରିବା ସହ ପ୍ରତିବାଦ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସମଗ୍ର ଛାତ୍ର ସମାଜ ସହ ସର୍ବସ୍ତରର ଜନଗଣ ଏହି ଘୁଣ୍ୟ ଘଟଣାର ପ୍ରତିବାଦ କରିବାକୁ ଆହ୍ୱାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.