Home ଜିଲ୍ଲା ପରିକ୍ରମା ସ୍କୁଲ ଖୋଲିବ ! ଶିକ୍ଷାଦାନ ପାଇଁ ଶିକ୍ଷକ ନାହାଁନ୍ତି

ସ୍କୁଲ ଖୋଲିବ ! ଶିକ୍ଷାଦାନ ପାଇଁ ଶିକ୍ଷକ ନାହାଁନ୍ତି

122

ଭଦ୍ରକ, ୨୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆସନ୍ତା ୨୬ ତାରିଖରୁ ପର୍ଯ୍ୟାୟକ୍ରମେ ସରକାରଙ୍କ ବିଦ୍ୟାଳୟ ଖୋଲିବା ନିଷ୍ପତ୍ତି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଛି । ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏହାକୁ ଶିକ୍ଷକ ଅଭିଭାବକ ମହଲରେ ସ୍ୱାଗତ କରାଯାଇଛି । ବିଦ୍ୟାଳୟ ଗୁଡିକର ଭିତ୍ତିଭୂମି ଅଭାବ ସାଙ୍ଗକୁ ଶିକ୍ଷକ କର୍ମଚାରୀମାନଙ୍କ ପଦବୀ ଶୂନ୍ୟକୁ ନେଇ ଶିକ୍ଷାଦାନ ବ୍ୟବସ୍ଥା କିପରି ଚାଲିବ ଏନେଇ ଅଭିଭାବକ ଛାତ୍ରଛାତ୍ରୀମାନଙ୍କୁ ଉଜ୍ଜ୍ୱଳ ଭବିଷ୍ୟତର ଚିନ୍ତା ଘାରିଛି । ପିଲାଙ୍କ ଶିକ୍ଷାଦାନ ବ୍ୟବସ୍ଥାକୁ ନସଜାଡି ସ୍କୁଲ ଖୋଲିବା ନିଷ୍ପତ୍ତି ପିଲାମାନଙ୍କ ଭବିଷ୍ୟତକୁ ଅନ୍ଧାର ମଧ୍ୟକୁ ଠେଲି ଦେଇଛି ବୋଲି ଶିକ୍ଷାବିତ୍ ବିଶେଷକରି ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡିକରେ ବିଷୟ ଭିତ୍ତିକ ବହୁ ଶିକ୍ଷକ ପଦବୀ ଦୀର୍ଘବର୍ଷ ଧରି ଫାଙ୍କା ପଡିରହିଛି । ଏହି ସବୁ ବିଦ୍ୟାଳୟ ଗୁଡିକର ଶିକ୍ଷକମାନେ ଅବସର ନେବା ପରେ କୌଣସି ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇନାହିଁ । ଭଦ୍ରକ ଜିଲାରେ ୨୦୨୦ ରେ ୪୯ ଓ ୨୦୨୧ ରେ ୪୦ ଜଣ ଶିକ୍ଷକ ଅବସର ନେବା ପରେ ଏମାନଙ୍କ ସ୍ଥାନରେ ଶିକ୍ଷକ ନିଯୁକ୍ତି ଦିଆଯାଇନାହିଁ । ପୂର୍ବ ବର୍ଷ ମାନଙ୍କରେ ମଧ୍ୟ ଅବସର ନେଇଥିବା ଶିକ୍ଷକଙ୍କ ସ୍ଥାନ ଆଜିଯାଏ ପୂରଣ ହୋଇପାରୁନାହିଁ । ଏବେ ଜିଲାରେ ଏହିସବୁ ବିଦ୍ୟାଳୟ ଗୁଡିକରେ ୨/୩ ଜଣ ଶିକ୍ଷକଙ୍କୁ ନେଇ ଶିକ୍ଷାଦାନ ବ୍ୟବସ୍ଥା ଚାଲିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ବିଷୟଭିତ୍ତିକ ଶିକ୍ଷକ ଅଭାବରୁ ପିଲାମାନଙ୍କ ପାଠପଢା କ୍ଷତିଗ୍ରସ୍ତ ଘଟୁଛି । ଅନୁସନ୍ଧାନରୁ ଜଣାଯାଇଛି କେତେକ ସ୍କୁଲରେ କ୍ରୀଡା ଓ ହିନ୍ଦୀ ଶିକ୍ଷକ ଏପରିକି କିରାରୀ ଇଂରାଜୀ ଓ ବିଜ୍ଞାନ ବିଷୟରେ ପାଠ ପଢାଉଥିବା ଜଣାଯାଇଛି । ବନ୍ତ ବ୍ଲକ୍ ଅଣ୍ଡିଆ ହାଇସ୍କୁଲର ଜଣେ ପ୍ରଧାନ ଶିକ୍ଷକଙ୍କ ସହ ହୀନ୍ଦି ଶିକ୍ଷକ କିରାରୀ ଓ ପିଅନକୁ ନେଇ ପାଠପଢା ଚାଳିଛି । ଧାମନଗର ବ୍ଲକ୍ ସାହୁସାହି ଶ୍ରୀ ଜଗନ୍ନାଥ ହାଇସ୍କୁଲ ଓ ଖଡି ମହାରାଜ ଲକ୍ଷ୍ମୀନାରାୟଣ ହାଇସ୍କୁଲରେ କ୍ରୀଡା ଶିକ୍ଷକ ପ୍ରଧାନ ଶିକ୍ଷକ ଦାୟିତ୍ୱ ତୁଲାଉଥିବା ଜଣାଯାଇଛି ।

ଭଣ୍ଡାରିପୋଖରୀ ବ୍ଲକ୍ ମାଳଦା ହାଇସ୍କୁଲ ଜଣେ ଶିକ୍ଷକ ଓ ଜଣେ କ୍ରୀଡା ଶିକ୍ଷକ ପ୍ରଧାନ ଶିକ୍ଷକ ଦାୟିତ୍ୱ ତୁଲାଉଛନ୍ତି । କଳା, ବିଜ୍ଞାନ, ସଂସ୍କୃତ, ହିନ୍ଦୀରେ କୌଣସି ଶିକ୍ଷକ ନାହାଁନ୍ତି । ଏହିଭଳି ବହୁ ବିଦ୍ୟାଳୟରେ ଶିକ୍ଷାଦାନ ବ୍ୟବସ୍ଥା ଜିଲାରେ ଚାଲିଛି । ପ୍ରକାଶଯୋଗ୍ୟ, ରାଜ୍ୟ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟଗୁଡିକ ୧୯୯୪ ଜୁନ୍ ୧ ତାରିଖ ଠାରୁ ସରକାର ହାତକୁ ନେଇଥିଲେ । ସେହି ସମୟରେ ୬୧୦ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଆଜିଯାଏ ସରକାରୀ କରଣରୁ ବାଦ୍ ପଡିଛି । ଏହାବ୍ୟତୀତ ୩ ହଜାରରୁ ଉର୍ଦ୍ଧ୍ୱ ବେସରକାରୀ ବିଦ୍ୟାଳୟ ପ୍ରଥମ ପର୍ଯ୍ୟାୟରେ ବ୍ଲକ୍ ଗ୍ରାଣ୍ଟ ଓ ପରେ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ଭାବେ ସରକାର ସ୍ୱୀକୃତ ପ୍ରଦାନ କରିଥିଲେ ମଧ୍ୟ ଆଜିଯାଏ ଏହିସବୁ ବିଦ୍ୟାଳୟ ଗୁଡିକର ଭିତ୍ତିଭୂମିର ବିକାଶ ଓ ଶିକ୍ଷକ କର୍ମଚାରୀ ନିଯୁକ୍ତି ପ୍ରତି ସରକାର ଗୁରୁତ୍ୱ ଦେଇନାହାଁନ୍ତି । ଛାତ୍ରଛାତ୍ରୀମାନଙ୍କ ପାଠପଢାରେ ଘୋର ସମସ୍ୟା ସୃଷ୍ଟି ହୋଇଛି । ଜିଲାରେ ୧୫୬୦ ମଂଜୁରୀ ପ୍ରାପ୍ତ ଶିକ୍ଷକ ପଦବୀ ଆବଶ୍ୟକ ଥିବାବେଳେ ଏବେ ୯୮୧ ଜଣ ଶିକ୍ଷକ ଅଛନ୍ତି, ୫୭୯ ପଦବୀ ଫାଙ୍କା ପଡିଛି । ଜିଲାରେ ସରକାରୀ ସ୍କୁଲ ୧୬୮ ସରକାରୀ ସ୍କୁଲ ଥିବାବେଳେ ୩୪ ଏଡେ୍‌ଡ୍ ସ୍କୁଲ ୯୨ ବ୍ଲକ୍ ଗ୍ରାଣ୍ଟ ଓ ୭ଟି ଅଫଗ୍ରେଡ୍‌ଡ୍ ହାଇସ୍କୁଲ ମୋଟ ୩୦୨ ଉଚ୍ଚ ବିଦ୍ୟାଳୟ ଜିଲାରେ ଅଛି । ଏହିସବୁ ବିଦ୍ୟାଳୟ ଗୁଡିକର ଉପସ୍ଥାନ ସଂଖ୍ୟା ୭୫ ହଜାର ୫୭୪ ରହିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.