Home ଜିଲ୍ଲା ପରିକ୍ରମା ସୌନ୍ଦର୍ଯ୍ୟକରଣ ପାଖରେ ଅଟକିଛି ଦୋକାନଗୃହ ଆବଂଟନ – ଲକ୍ଷ ଲକ୍ଷ ଟଙ୍କା ଦେଇ ମୁଣ୍ଡରେ ହାତ...

ସୌନ୍ଦର୍ଯ୍ୟକରଣ ପାଖରେ ଅଟକିଛି ଦୋକାନଗୃହ ଆବଂଟନ – ଲକ୍ଷ ଲକ୍ଷ ଟଙ୍କା ଦେଇ ମୁଣ୍ଡରେ ହାତ ଦେଇ ବସିଛନ୍ତି ବ୍ୟବସାୟୀ

13

ଭଦ୍ରକ, ୨୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ନବନିର୍ମିତ ମାର୍କେଟ କଂମ୍ଲେକ୍ସ ସୈାନ୍ଦର୍ଯ୍ୟକରଣ ପାଖରେ ଅଟକିଛି ଭଦ୍ରକ ପୈାରପାଳିକାର ଦୋକାନ ଗୃହ ଆବଂଟନ। ତେଣେ ଘରପାଇଁ ପୈାରପାଳିକାକୁ ଲକ୍ଷ ଲକ୍ଷ ଟଙ୍କା ଆଗୁଆ ସିକ୍ୟୁରିଟି ଅର୍ଥ ଦେଇ ମୁଣ୍ଡରେ ହାତ ଦେଇ ବସିଛନ୍ତି ବ୍ୟବସାୟୀ। ଘରପାଇଁ ପୌରପାଳିକାକୁ ଟଙ୍କା ଜମା ଦେବାର ଇତିମଧ୍ୟରେ ପ୍ରାୟ ବର୍ଷେ ବିତିବାକୁ ବସିଲା ହେଲେ ପ୍ରୋଭିଜନାଲ ଆଲଟମେଂଟରେ ସିମିତ ରହିଗଲା ଦୋକାନଗୃହ ଆବଂଟନ। କୋଭିଡ ଯୋଗୁ ଜୀବିକା ହରାଇ ଲୋକେ ଅଂଟା ସଳଖିବାର ପ୍ରୟାସ ଚଳାଇଥିବା ବେଳେ ଦୋକାନଗୃହ ଆବଂଟନରେ ପୈାରପାଳିକାର ଏହି ଧରଣର ବିଳମ୍ଭତାପୁର୍ଣ୍ଣ କାର୍ଯ୍ୟ ବ୍ୟବସାୟୀଙ୍କୁ ହତାସ କରିଛି।ବିଦାୟୀ ପୌରପାଳିକା ଅମଳରେ ଭଦ୍ରକ ବନ୍ତ ଛକ ନିକଟରେ ପୌରପାଳିକା ପକ୍ଷରୁ ଏକ ସଦୃଶ ମାର୍କେଟ କଂମ୍ଲେକ୍ସ ନିର୍ମାଣ କରାଯାଇଥିଲା। ତେବେ ଦୋକାନ ଗୃହ ଆବଂଟନ ପୂର୍ବରୁ ପୌରପାଳିକା ଭାଙ୍ଗିଯିବାରୁ ତାହା ସମ୍ଭବ ହୋଇ ପାରିନଥିଲା। ପରେ ପୌରପରିଚାଳନା ଭାର ପ୍ରଶାସନ ହାତକୁ ଯିବା ପରେ ଏଥିନେଇ ବିଜ୍ଞପ୍ତି ଜାରି କରାଯାଇଥିଲା। ତଦନୁଯାଇ ପୌରପାଳିକା ଦ୍ୱାରା ନିର୍ମିତ ୪୨ ଗୋଟି ଦୋକାନ ଘର ସକାଶେ ଶହେ ପାଖାପାଖି ଆବେଦନ ପତ୍ର ଦାଖଲ କରାଯାଇଥିଲା। ଏଥିସକାଶେ ଦରଖାସ୍ତକାରୀଙ୍କୁ ୨ ଲକ୍ଷ ଟଙ୍କାର ଫେରସ୍ତଯୋଗ୍ୟ ସ୍ଥାୟୀ ଜମା ସହିତ ଏକହଜାର ଟଙ୍କାର ଦରଖାସ୍ତ ଦେବାକୁ ପଡିଥିଲା। ଦରଖାସ୍ତ ଗୁଡିକର ଆବଶ୍ୟକ ଯାଂଚ ପରେ ଚୁଡାନ୍ତ ପର୍ଯ୍ୟାୟରେ ୪୭ ଜଣ ଆବେଦନକାରୀଙ୍କ ଦରଖାସ୍ତ କାଏମ ରହିଥିବା ବେଳେ ଅନ୍ୟମାନଙ୍କ ଦରଖାସ୍ତ ନାକଚ କରିଦିଆଯାଇଥିଲା। ଏହି ପ୍ରକ୍ରିୟା ସରିବା ପରେ ଗତ ୨ା୧୧ା୧୯ ରିଖରେ ଦୋକାନ ଘର ଆବଂଟନ ସକାଶେ ଲଟେରୀ କରାଯାଇଥିଲା। ଲଟେରୀର ମାସକ ପରେ ଅର୍ଥାତ ଗତ ୧୮ା୩ା୨୦୨୦ ରିଖରେ ପୌରପାଳିକା ପକ୍ଷରୁ ୪୨ ଜଣ ବ୍ୟବସାୟୀଙ୍କୁ ତୁରନ୍ତ ପ୍ରୋଭିଜନାଲ ଏଲଟମେଂଟ ଯୋଗାଇ ଦିଆଯାଇଥିଲା। ଗାଇଡଲାଇନ ଅନୁଯାୟୀ ପ୍ରୋଭିଜନାଲ ଏଲଟମେଂଟ ଦିଆଯିବାର ୭ ଦିନ ମଧ୍ୟରେ ଏଲୋଟିଙ୍କ ସହ ପୌରପାଳିକା ଚୁକ୍ତିନାମା ସ୍ୱାକ୍ଷର କରାଯିବା କଥା। ହେଲେ ପ୍ରୋଭିଜନାଲ ଏଲଟମେଂଟ ମିଳିବାର ଇତିମଧ୍ୟରେ ୯ ମାସ ବିତିବାକୁ ବସିଲା ହେଲେ ପୌରପାଳିକା ପକ୍ଷରୁ ବ୍ୟବସାୟୀଙ୍କୁ ନା ଚୁକ୍ତିନାମା ସ୍ୱାକ୍ଷର କରିବାକୁ ଡକରା ଆସିଲା ନା ସେମାନଙ୍କୁ ସେମାନଙ୍କ ଦୋକନଗୃହ ଯୋଗାଇ ଦିଆଗଲା। ତେଣେ ବ୍ୟବସାୟୀଙ୍କୁ ଦୋକାନ ଘର ଯୋଗାଇ ଦେବା ଆଳରେ ପୈାରପାଲିକା ଘର ପିଛା ୨ ଲକ୍ଷ ଟଙ୍କା ହିସାବରେ ୪୨ ବ୍ୟବସାୟୀଙ୍କ ଠାରୁ ୮୪ ଲକ୍ଷ ଟଙ୍କା ନେଇ ନିଜର ଆର୍ଥିକସ୍ଥିତି ମଜଭୁତ କରିଥିବା ବେଳେ ଦୋକାନ ଘର ପାଇଁ ଋଣ କରଜ କରି ଅମାନତ ଟଙ୍କା ଜମା କରିଥିବା ଗରୀବ ବ୍ୟବସାୟୀ ଏବେ ସେମାନଙ୍କ ପରିବାର ପ୍ରତିପୋଷଣ ଏବଂ ଋଣଟଙ୍କା ପରିଶୋଧ ଚିନ୍ତାରେ ଘାରି ହେଉଛନ୍ତି। ତେବେ ଏଥିନେଇ ଭଦ୍ରକ ପୌରକାର୍ଯ୍ୟ ନିର୍ବାହୀ ଅଧିକାରୀ ବିଚିତ୍ରାନନ୍ଦ ନାୟକଙ୍କୁ ପଚାରିବାରେ ସେ କହିଥିଲେ ଯେ ଦୋକନଘର ନିର୍ମାଣ ସରିଥିଲେ ମଧ୍ୟ ମାର୍କେଟ କଂମ୍ଲେକ୍ସ ସକାସେ ପାର୍କିଂ, ପ୍ରବେଶପଥ ଏବଂ ଟଏଲେଟ ସର୍ବୋପରୀ ଏହାର ସୌନ୍ଦର୍ଯ୍ୟକରଣ କାମ ଏଯାଏ ସରିନଥିବାରୁ ଏଥିନେଇ ଚୁକ୍ତିନାମା ସ୍ୱାକ୍ଷର କରାଯାଇପାରୁ ନାହିଁ। ତଥାପି ଯେତେଶିଘ୍ର ସମ୍ଭବ ଆମେ ଏହି କାମ ପୂର୍ଣ୍ଣାଙ୍ଗ କରି ବ୍ୟବସାୟୀଙ୍କୁ ସେମାନଙ୍କ ପାଇଁ ଉଦ୍ଧିଷ୍ଠ ଦୋକାନଘର ଯୋଗାଇ ଦେବୁ। ଅନ୍ୟପକ୍ଷରେ ବନ୍ତ ଛକ ମାର୍କେଟ କଂମ୍ଲେକ୍ସ ଉଦଘାଟନ ଏକ ରାଜନୈତିକ ପ୍ରସଙ୍ଗ ହୋଇଥିବା ଯୋଗୁ ଏହାର ଉଦଘାଟନ ବିଳମ୍ଭିତ ହେଉଥିବା ଚର୍ଚା ହେଉଛି। ତେବେ ପ୍ରସଙ୍ଗ ଯାହା ହେଉନା କାହିଁକି ପ୍ରଶାସନିକ ସ୍ୱେଛାଚାରିତା ଏବଂ ରାଜନୈତିକ ଷଡଯନ୍ତ୍ର ପାଖରେ ବନ୍ଧା ପଡିଛି ୪୨ ଜଣ ବ୍ୟବସାୟୀଙ୍କ ଜୀବନ ଜୀବିକା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.