କୋରାପୁଟ ୧୩-୦୮(ଓଡିଆ ପୁଅ /ରଂଜନ ଦାସ) ସେମିଲିଗୁଡା ପୋଲିସ ଦ୍ୱାରା ଖରାଗୁଡାରୁ ଏକ ପିକଅପ ଭ୍ୟାନରୁ ୨୫ ଲକ୍ଷ ଟଙ୍କାର ଗଞେଇ ଜବତ କରାଯାଇଥିବାବେଳେ ଘଟଣାରେ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ସେମିଲିଗୁଡା ଥାନା ଅଧିକାରୀ କ୍ଷୀରେଶ୍ୱର ସାହୁ ସୂଚନା ଦେଇଛନ୍ତି । ଗିରଫ ଦୁଇଜଣ ପାଡୁଆ ଅଂଚଳର ସରୋଜ କୁମାର ମହାନ୍ତି ଓ ଶେକ ଅଲ୍ଲୀ ବୋଲି ଜଣା ପଡିଛି । ଓଡିଶା-ଆନ୍ଧ୍ର ସୀମାନ୍ତ ଅଂଚଳରୁ ମହାରାଷ୍ଟ୍ରକୁ ଓଡି-୧୦ ଏଲ୍ ୮୫୯୪ ନମ୍ବର ଥିବା ଏକ ଭ୍ୟାନରେ ନନ୍ଦପୁରରୁ ସେମିଲିଗୁଡା ଆଡକୁ ଗଞେଇ ଚୋରା ଚାଲାଣ ହେଉଥିବା ସୂଚନା ସେମିଲିଗୁଡା ଥାନା ଅଧିକାରୀ କ୍ଷୀରେଶ୍ୱର ସାହୁ ପାଇଥିଲେ । ସୂଚନା ଅନୁଯାୟୀ ଥାନା ଅଧିକାରୀ ଶ୍ରୀ ସାହୁଙ୍କ ନିର୍ଦ୍ଦେଶରେ ମହିଳା ସବ-ଇନସପେକ୍ଟର ଅନୀତା ନାୟକ ପୋଲିସ ଟିମ ସହ ଖରାଗୁଡା ଛକରେ ନାକାବନ୍ଦୀ କରିଥିଲେ । ଗଞେଇ ନେଇ ଯାଉଥିବା ଉକ୍ତ ଭ୍ୟାନ ଆସିବା ମାତ୍ରେ ପୋଲିସ ଟିମ ଗାଡି ଅଟକାଇ ଚେକିଂ କରିବା ବେଳକୁ ଗାଡିରେ କରାଯାଇଥିବା ସ୍ୱତନ୍ତ୍ର ଚାମ୍ବରରେ ରଖା ଯାଇଥିବା ୨ କିଲୋ ଓଜନର ୧୨୫ ପେକେଟରୁ ୨୭୬ କିଲୋ ଗଞେଇ ମିଳିଥିଲା । ପୋଲିସ ଟିମ ଅତିରିକ୍ତ ତହସିଲଦାର ତଥା ଏକ୍ସିକ୍ୟୁଟିଭ ମାଜିଷ୍ଟ୍ରେଟ ଦେବବ୍ରତ କରାତିଙ୍କ ଉପସ୍ଥିତିରେ ଗଞେଇ ଜବତ କରିଥିଲା । ଜବତ ଗଞେଇର ମୂଲ୍ୟ ପ୍ରାୟ ୨୫ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରା ଯାଇଥିବାବେଳେ ଘଟଣାର ତଦନ୍ତ ଜାରି ରହିଥିବା ଜଣାପଡିଛି ।