Home କେନ୍ଦୁଝର ସେବା ଓ ସ୍ୱଚ୍ଛତାର ପ୍ରତିକ ଜ୍ୟୋତ୍ସ୍ନା

ସେବା ଓ ସ୍ୱଚ୍ଛତାର ପ୍ରତିକ ଜ୍ୟୋତ୍ସ୍ନା

45

ହାଟଡ଼ିହି, ୧୫ / ୧୧ : (ଓଡିଆପୁଅ / ବିକାଶ ବିଶ୍ୱାଳ) ବର୍ତ୍ତମାନ ସମୟରେ କେନ୍ଦ୍ର ସରକାର ପରିବେଶକୁ ସ୍ୱଚ୍ଛ ରଖିବାପାଇଁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରୁଛନ୍ତି । ଏପରିକି ଅନେକ ସ୍ଥାନରେ ନେତା, ମନ୍ତ୍ରୀ, ବରିଷ୍ଠ ଅଧିକାରୀ, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ନିଜର ଆତ୍ମପ୍ରଚାର କରାଇବା ଉଦ୍ଦେଶ୍ୟରେ ଝାଡୁ ଖଣ୍ଡିଏ ଧରି ସ୍ୱଚ୍ଛ ଭାରତ ନାଁରେ ଫଟୋ ଉଠାଇ ସାମାଜିକ ଗଣମାଧ୍ୟମ କିମ୍ବା ଗଣମାଧ୍ୟମରେ ନିଜର ପ୍ରଚାର ପ୍ରସାର କରାଉଛନ୍ତି । କିନ୍ତୁ ଏଠି ଆମେ ଯେଉଁ ଚରିତ୍ର ବାବଦରେ କହୁଛୁ ସେ ଜାଣି ନାହାନ୍ତି ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ କଣ । ସେ ସକାଳ ହେଲେ ପଳାଇ ଆସୁଛନ୍ତି ରାସ୍ତା କଡ ସଫା କରିବାକୁ । ଏପରି ଜଣେ ମହିଳା ହେଉଛନ୍ତି ଜ୍ୟୋତ୍ସ୍ନା ପାତ୍ର । ବୟସ ୬୦ରୁ ଉର୍ଦ୍ଧ ହେବ । ଘର ତାଙ୍କର ଠାକୁରୁମୁଣ୍ଡା ସରଳାପସି ଗ୍ରାମର । ସେ ନିଜ ଝିଅ ପାଖରେ ଆସି ରହୁଥିବାବେଳେ ନିୟମିତ ଛେନାପଦି ମାର୍କେଟକୁ ଆସି ହାତରେ ଝାଡୁଧରି ନିଷ୍ଠାପର ସହକାରେ ବଜାର ଘାଟ ସଫା କରୁଛନ୍ତି । ଘଣ୍ଟାଏ ଦୁଇଘଣ୍ଟା କାଳ ବଜାର ସଫାସୁତରା କରି ମଇଳାତକ ଦୁରକୁ ନେଇ ପକାଇବା ଏକ ନିତିଦିନିଆ କାର୍ଯ୍ୟ ହୋଇଯାଇଛି । ଗତ କିଛିଦିନ ତଳେ ସଫା କରୁ କରୁ ଏକ ଭଙ୍ଗା କାଚ ଜ୍ୟୋତ୍ସ୍ନାଙ୍କ ଗୋଡ କାଟିଦେବାରୁ ସେ ଅସୁସ୍ଥ ହୋଇ ପଡିଥିଲେ । କିନ୍ତୁ ଏଥିପ୍ରତି ଖାତିର ନକରି ଗୋଡ ଟିକେ ଭଲ ହୋଇଯିବା ପରେ ପୁଣି ତାଙ୍କ କାମ ଆରମ୍ଭ କରିଦେଲେ । ଏଥିପାଇଁ କେହି ତାଙ୍କୁ କିଛି ପାଉଣା ଦିଅନ୍ତି ନାହିଁ । କିନ୍ତୁ ସେ ନିୟମିତ ରାସ୍ତାଘାଟ ସଫା କରିଚାଲିଛନ୍ତି । ତାଙ୍କୁ ଏ ବାବଦରେ ପଚାରିଲେ ସେ କୁହନ୍ତି ଦୋକାନ ଆଗ ଗୁଡା ଅସନା ହୋଇଛି ଲୋ, ତାକୁ ସଫା କରିଦେଲେ ଭଲ ଲାଗିବ । ତାଙ୍କର ଏପରି ମହତ କାମକୁ ଯେ କେହି ଦେଖିଲେ ପ୍ରସଂଶା ନକରି ରହି ପାରିବନି । ତାଙ୍କର ଏପରି କାର୍ଯ୍ୟ ଅନ୍ୟ ମାନଙ୍କୁ ନିଶ୍ଚିତ ପ୍ରେରଣା ଯୋଗାଇବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.