Home ଜିଲ୍ଲା ପରିକ୍ରମା ସେତୁ ନିର୍ମାଣ ସରୁନି; ବିପଦପୂର୍ଣ୍ଣ ବାଉଁଶ ଚାରାରେ ନଦୀ ପାରି

ସେତୁ ନିର୍ମାଣ ସରୁନି; ବିପଦପୂର୍ଣ୍ଣ ବାଉଁଶ ଚାରାରେ ନଦୀ ପାରି

39

ଭଦ୍ରକ, ୨୩ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଲୋକଙ୍କ ସୁବିଧା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ସେତୁ ନିର୍ମାଣ କରୁଛନ୍ତି । ହେଲେ ବର୍ଷ ବର୍ଷ ଧରି ସେତୁ ନିର୍ମାଣ ସରୁନି । ଫଳରେ ଅତି ବିପଦପୂର୍ଣ୍ଣ ଅବସ୍ଥାରେ ଲୋକେ ଭରାନଦୀ ଉପରେ କାଠ ପଟା ପକାଇ ନଚେତ୍ ବାଉଁଶ ଚାରା ବାନ୍ଧି ନଦୀ ପାରି ହେଉଛନ୍ତି । ଭଦ୍ରକ ଜିଲା ତିହିଡି ବ୍ଲକ୍ ବାହାବଳପୁର ପଂଚାୟତରେ ମନ୍ତେଇ ନଦୀ ଉପରେ ନିର୍ମାଣାଧୀନ ବାହାବଳପୁର କଂକ୍ରିଟ୍ ସେତୁ ନିର୍ମାଣ ଅଧପନ୍ତରିଆ ହୋଇ ପଡିଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗୋଟିଏ ପଟେ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣାଧୀନ ଅଧାଗଢା ସେତୁ ଅନ୍ୟପଟେ ଭଙ୍ଗା ଦଦରା ପଟ୍ଟାପୋଲ ଉପରେ ଲୋକଙ୍କ ଚଳପ୍ରଚଳ । ଏ ହେଉଛି ଭଦ୍ରକ ଜିଲା ତିହିଡି ବ୍ଲକ୍ ବାହାବଳପୁର ପଂଚାୟତର ଶଙ୍କରପୁର ଓ ଦୋହରାସାହି ମଝିରେ ଥିବା ମନ୍ତେଇ ନଦୀର ପଟ୍ଟାପୋଲର ଦୃଶ୍ୟ । ପଟ୍ଟାପୋଲରୁ ବହୁ ଜାଗାରେ ପଟ୍ଟା ବାହାରି ଯାଇଥିବାରୁ ଲୋକେ ବିପଦପୂର୍ଣ୍ଣ ଭାବେ ବାଉଁଶ ଉପରେ ଯିବାଆସିବା କରୁଛନ୍ତି । ଯାତାୟତ ସମୟରେ ଯଦି କେହି ନଦୀକୁ ଗଳିପଡେ, ତେବେ କୁମ୍ଭୀର ମୁହଁରେ ଜୀବନଟା ଯିବା ନିଶ୍ଚିତ । କାରଣ ଜୁଆରିଆ ମନ୍ତେଇ ନଦୀରେ ଭୀଷଣ କୁମ୍ଭୀର ଭୟ । ଏ ସମସ୍ୟା ଆଜି କାଲିର ନୁହେଁ, ବର୍ଷ ବର୍ଷ ହେଲା ବାହାବଳପୁର ପଂଚାୟତ ସମେତ ଆଖପାଖ ୧୦ ରୁ ଉର୍ଦ୍ଧ୍ୱ ପଂଚାୟତର ଲୋକେ ଏହି ଭଙ୍ଗା ଦଦରା ପଟ୍ଟାପୋଲ ଉପରେ ବିପଦପୂର୍ଣ୍ଣ ଭାବେ ଯିବାଆସିବା କରୁଛନ୍ତି । ଦୀର୍ଘ ୮ ବର୍ଷ ହେଲା ସେତୁ କାମ ଚାଲିଥିବା ବେଳେ ସରିବାର ନାଁ ଧରୁନି । ଯାହାକୁ ନେଇ ଅଂଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ୨୦୧୩ ମସିହାରେ ଦୋହରାସାହି ଠାରେ ମନ୍ତେଇ ନଦୀ ଉପରେ ସେତୁ ପାଇଁ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିଲେ । କାମ ମଧ୍ୟ ଆରମ୍ଭ ହୋଇଥିଲା ।

ପ୍ରଥମେ ୬.୧୫ କୋଟି ଟଙ୍କା ସେତୁ ପାଇଁ ବ୍ୟୟବରାଦ ହୋଇଥିବାବେଳେ ନିର୍ଦ୍ଧାରିତ ସମୟସୀମାରେ ସେତୁ ନିର୍ମାଣ ନ ସରିବାରୁ ପରବର୍ତ୍ତୀ ସମୟରେ ବ୍ୟୟ ଭାର ଅଧିକ ୨ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା । ଅନ୍ୟପକ୍ଷରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଅବହେଳା ଏବଂ ସେତୁ ନିର୍ମାଣକାରୀ ଠିକାଦାରଙ୍କ ଦାୟିତ୍ୱ ହୀନତା ଯୋଗୁଁ ସେତୁ ନିର୍ମାଣ ବିଳମ୍ବିତ ହେଉଥିବା ଅଂଚଳବାସୀ ଅଭିଯୋଗ କରିଛନ୍ତି । ଏହି ସେତୁ ନିର୍ମାଣ ସଂପୂର୍ଣ୍ଣ ହେଲେ ଧାମରା ଓ ବାସୁଦେବପୁରରୁ ସିଧା ସଳଖ ତିହିଡିକୁ ଯୋଡିହେବ । ଖୁବ୍ କମ୍ ସମୟ ଭିତରେ ବାସୁଦେବପୁର ତିହିଡିକୁ ଆସି ହେବ । ବାସୁଦେବପୁର ଓ ତିହିଡି ବ୍ଲକ୍‌ର ଲକ୍ଷାଧିକ ଲୋକ ଉପକୃତ ହେବେ । ହେଲେ ସେତୁ କାମ ନସରିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢି ଚାଲିଛି । ଏ ନେଇ ବିଭାଗୀୟ ନିର୍ବାହୀଯନ୍ତ୍ରୀ କିଶୋର ଚନ୍ଦ୍ର ଖଟୁଆଙ୍କ ସହ ଯୋଗାଯୋଗ କରାଯିବାରୁ ସେତୁର ଡିଜାଇନ୍ ପରିବର୍ତ୍ତନ ଯୋଗୁଁ ୨ ଟି ବଡ ସ୍ପାନ ନିର୍ମାଣ ସାରିଥିଲେ ମଧ୍ୟ ଅନ୍ୟ ୨ଟି ଛୋଟ ସ୍ପାନର କାମ ଚାଲିଛି । ଯାହାକି ଆଗାମୀ ମଇ ମାସ ସୁଦ୍ଧା ଶେଷ ହେବା ସହିତ ବର୍ଷା ଋତୁ ଆଗରୁ ସେତୁ ନିର୍ମାଣ ଶେଷ ହେବ ବୋଲି ଆଶ୍ୱାସନା ଦେଇଛନ୍ତି । ଅନ୍ୟପକ୍ଷରେ ସେତୁ ନିର୍ମାଣ ପାଇଁ ଆର୍ଥିକ ଅଥବା ଜାଗା ଜମି ଅଡଉଆ ଭଳି ପ୍ରତିବନ୍ଧକ ନଥାଇ ମଧ୍ୟ ବର୍ଷ ବର୍ଷ ଧରି ନିର୍ମାଣ ହୋଇନପାରିବା ବିଭାଗୀୟ ଦୁର୍ବଳତାକୁ ପଦାରେ ପକାଇ ଦେଇଛି । ତେଣେ ବର୍ଷ ବର୍ଷ ଧରି ସେତୁ ନିର୍ମାଣ କାମ ସରୁନଥିବାରୁ ସେତୁର ବ୍ୟୟ ଭାର ବୃଦ୍ଧି ସାଙ୍ଗକୁ ଲୋକେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି । ବିଶେଷ କରି ରୋଗୀ, ଗର୍ଭବତୀ ମହିଳା, ବୟସ୍କ ଲୋକଙ୍କ ସକାଶେ ଜଟିଳ ପରିସ୍ଥିତି ସୃଷ୍ଟି କରୁଛି । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏବଂ ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.