କେନ୍ଦ୍ରାପଡାଠାରେ ମୃତକ ସୂଚନା ଅଧିକାରୀ କର୍ମୀ ରଂଜନ ଦାଶଙ୍କ ପରିବାର ବର୍ଗଙ୍କୁ ଭେଟିଲା ବିଜେପି ପ୍ରତିନିଧୀ ଦଳ
ଭୁବନେଶ୍ୱର, ୧୦/୦୨ (ଓଡ଼ିଆ ପୁଅ) : ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତ ସଂପୂର୍ଣ୍ଣଭାବେ ଭୁଶୁଡି ପଡିଛି। କେନ୍ଦ୍ରାପଡା ଜିଲ୍ଲାର ପ୍ରମୁଖ ସୂଚନା ଅଧିକାରୀ କର୍ମୀ ରଞ୍ଜନ ଦାଶଙ୍କୁ ଶାସକ ବିଜେଡି ଦଳର କିଛି ଗୁଣ୍ଡା ହତ୍ୟା କରିଛନ୍ତି। ହତ୍ୟାକାଣ୍ଡକୁ ୨ ସପ୍ତାହରୁ ଉର୍ଦ୍ଧ୍ୱ ସମୟ ବିତିଥିଲେ ମଧ୍ୟ ଏପର୍ଯ୍ୟନ୍ତ ପୋଲିସ କାହକୁ ଗିରଫ କରିନାହିଁ। ଏହି ହତ୍ୟାକାଣ୍ଡ ଘଟଣାରେ ପୋଲିସ କେବଳ ଏତଲା ରୁଜୁ କରି ଚୁପ୍ ରହିଛି ବୋଲି ପୂର୍ବତନ ସାଂସଦ ତଥା ବରିଷ୍ଠ ବିଜେପି ନେତା ବିଭୁ ତରାଇ ଅଭିଯୋଗ କରିଛନ୍ତି।
ଆଜି ଶ୍ରୀ ତରାଇଙ୍କ ନେତୃତ୍ୱରେ ଏକ ପ୍ରତିନିଧୀ ଦଳ ମୃତକ ସୂଚନା ଅଧିକାରୀ କର୍ମୀ ରଂଜନ ଦାଶଙ୍କ ପରିବାର ବର୍ଗଙ୍କୁ ଭେଟି ଗଭୀର ସମବେଦନା ଜଣାଇଛନ୍ତି। ଘଟଣାକୁ ଦୁଇସପ୍ତାହ ସମୟ ଅତିକ୍ରାନ୍ତ ହେଲା ପରେ ମଧ୍ୟ ଜଣେ ହେଲେ ବି ଗିରଫ ନଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ସ୍ୱର୍ଗତଃ ଦାଶ ଗତକିଛି ଦିନରେ ଆଇସିଡିଏସ, ସ୍ଥାନୀୟରାସ୍ତା, ଗୋଚର ଜମିରେ ଏନଆରଜିଏସ୍ ଟଙ୍କାରେ ମେସିନରେ କାମ ଇତ୍ୟାଦି ତଥ୍ୟ ଉପସ୍ଥାପିତ କରି ଦୁର୍ନୀତି ବିରୋଧୀ ଲଢେଇ ଜାରି ରଖିଥିଲେ। ପାରିପାର୍ଶ୍ୱିକ ସ୍ଥିତି ଏକ ଯୋଜନାବନ୍ଧ ହତ୍ୟା ଇଙ୍ଗିତ ଦେଉଥିବାବେଳେ ପୋଲିସ ଏପର୍ଯ୍ୟନ୍ତ ହାତ ବାନ୍ଧି ବସିଛି। ପୋଲିସ ଶାସକ ଦଳର ଇଙ୍ଗିତରେ କାମ କରୁଛି। ଦୁର୍ନୀତି ବିରୁଦ୍ଧରେ ଲଢୁଥିବା ସାମାଜିକ କର୍ମୀଙ୍କୁ ଯୋଜନାବଦ୍ଧ ଭାବେ ଆକ୍ରମଣ ଏବଂ ହତ୍ୟା କରାଯାଉଛି। ତୁରନ୍ତ ରଂଜନ ଦାଶ ହତ୍ୟାକାଣ୍ଡରେ ସଂପୃକ୍ତ ଅପରାଧୀଙ୍କୁ ପୋଲିସ ଗିରଫ କରି କାହା ଇଙ୍ଗିତରେ ତାଙ୍କୁ ହତ୍ୟା କରାଯାଇଛି ତାହା ଲୋକଲୋଚନକୁ ଆଣୁ ବୋଲି ଶ୍ରୀ ତରାଇ ଦାବି କରିଛନ୍ତି।
ସୂଚନା ଅଧିକାରୀ କର୍ମୀମାନେ ଶାସକ ବିଜେଡି ଦଳର ବିଭିନ୍ନ ଘଟଣାର ପର୍ଦ୍ଦାଫାଶ କରି ଦୁର୍ନୀତି ବିରୁଦ୍ଧରେ ସ୍ୱର ଉଠାଉଥିବାରୁ ଶାସକ ଦଳର କର୍ମୀମାନେ ସେମାନଙ୍କୁ ମରଣାନ୍ତକ ଆକ୍ରମଣ କରୁଛନ୍ତି। କେବଳ କେନ୍ଦ୍ରାପଡା ନୁହେଁ ପୂର୍ବରୁ କନ୍ଧମାଳ ଠାରେ ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡାଙ୍କୁ କିଛି ଦୁବୃର୍ତ ଘରୁ ଡାକି ନେଇ ଗୁଳି କରି ହତ୍ୟା କରିଥିଲେ। ସେହିପରି ନିଆଳିର ସୂଚନା ଅଧିକାର କର୍ମୀ କୃପାସିନ୍ଧୁ ସାହୁଙ୍କୁ ହତ୍ୟା କରାଯାଇଥିଲା। ବାରିପଦା ଠାରେ ସୂଚନା ଅଧିକାର କର୍ମୀ ଚକ୍ରଧର ସାହୁଙ୍କ ଉପରକୁ ଆକ୍ରମଣ ଏବଂ ପୁରୀ ଜିଲ୍ଲା ଚନ୍ଦନ ପୁର ଛାରେ ବାବି ଜେନାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା। ଏତେ ଘଟଣା ପରେ ବି ରାଜ୍ୟସରକାର ସୂଚନା ଅଧିକାରୀ କର୍ମୀମାନଙ୍କୁ ସୁରକ୍ଷା ଯୋଗାଇବାରେ ଫେଲ୍ ମାରିଛନ୍ତି। ଅନ୍ୟ ପଟେ ପୋଲିସ କେବଳ ତଦନ୍ତ ନାଁରେ ଏତଲା ରୁଜୁ କରି ଶାସକ ଦଳର ନିର୍ଦ୍ଦେଶରେ ଚୁପ୍ ରହୁଛି ବୋଲି ଶ୍ରା ତରାଇ ଅଭିଯୋଗ କରିଛନ୍ତି।
ଏହି ପ୍ରତିନିଧୀ ଦଳରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅମର ନାୟକ, ଶାରଦା ପ୍ରଧାନ, ବିଜୟ ପ୍ରଧାନ, ଭୁବନମୋହନ ଜେନାଙ୍କ ସମେତ ଜିଲ୍ଲା ସଭାପତି କିଶୋର ପଣ୍ଡା ପ୍ରମୁଖ ସାମିଲ ଥିଲେ।