ହାଟଡ଼ିହି-୨/୫, ଲକଡାଉନ ଯୋଗୁଁ ସମସ୍ୟା ଭୋଗୁଥିବା ପ୍ରବାସୀ ଓଡିଆ ମାନଙ୍କୁ ରାଜ୍ୟ ସରକାର ବାହାର ରାଜ୍ୟରୁ ଫେରାଇ ଆଣିବାକୁ ଘୋଷଣା କରିବାପରେ ପ୍ରବାସୀ ଓଡିଆମାନେ ଯିଏ ଯେପରି ପାରିଲେ ଘରକୁ ପଳାଇ ଆସୁଛନ୍ତି । ଦୀର୍ଘଦିନ ଧରି ନାନା ଆଶା ଆଶଙ୍କାରେ କାଳାତିପାତ କରୁଥିବା ଏହି ପ୍ରବାସୀଙ୍କ ମନରେ କେବଳ ଘରକୁ ଫେରିବାକୁ ଲକ୍ଷ । ସେଥିପାଇଁ ସରକାରଙ୍କ ସହାୟତାକୁ କି ସହଯୋଗକୁ ଅପେକ୍ଷା ନକରି ନିଜ ନିଜ ଭିତରେ ଟଙ୍କା ଟଙ୍କା ଆଦାୟ କରି ଏକ ବସ ଯେଗାଡ କରିବାପରେ ସେଠାକାର ଜିଲ୍ଲାପାଳଙ୍କ ଠାରୁ ସୁପାରିଶ ପତ୍ର ଆଣି ୫୫ଜଣ ପ୍ରବାସୀ ଓଡିଆ ଆଜି ହାଟଡିହିକୁ ଫେରି ଆସିଛନ୍ତି । ଏମାନଙ୍କ ମଧ୍ୟରେ କଳିଗାଁର ୨୯ଜଣ, ଇଞ୍ଚୋଳ ପଞ୍ଚାୟତର ୮ଜଣ, ବଡରମ୍ପାସ ପଞ୍ଚାୟତର ୪ଜଣ, ଶାଳଣିଆଁ ପଞ୍ଚାୟତର ୧ଜଣ, ସଡଙ୍ଗ ପଞ୍ଚାୟତର ୨ଜଣ ଏହିପରି ମୋଟ ୪୪ଜଣ ଆଜି ଘରକୁ ଫେରିଛନ୍ତି । ସେହିପରି ବନ୍ତ ବ୍ଲକର ୭ଜଣ, ଘସିପୁରା ବ୍ଲକର ୨ଜଣ, ଆନନ୍ଦପୁର ବ୍ଲକ କାଠକଟାର ୨ଜଣ ଏପରି ମୋଟ ୫୫ଜଣ ଏହି ବସରେ ଆସିଛନ୍ତି । ସେମାନେ ଗତ ୩୦ତାରିଖରୁ ବସ ଚଢ଼ିଥିବାବେଳେ ଆଜି ଅପରାହ୍ନ ଗୋଟାଏରେ ହାଟଡିହିରେ ପହଞ୍ଚିଥିଲେ । ସେମାନେ ହାଟଡିହିରେ ପହଞ୍ଚିବାପରେ ବ୍ଲକ ପ୍ରଶାସନ ପକ୍ଷରୁ ବିଡିଓ ଜୟଦେବ ଦାସ, ଆନନ୍ଦପୁର ଏସଡିପିଓ ଦିଲିପ ବାଗ, ନନ୍ଦିପଦା ଥାନା ଅଧିକାରୀ ପରେଶ ମହାନ୍ତି ପ୍ରମୁଖ ସେମାନଙ୍କୁ ସାଙ୍ଗରେନେଇ ନିଜ ନିଜ ପଞ୍ଚାୟତରେ ଥିବା ସଂଗରୋଧ କେନ୍ଦ୍ରରେ ରଖାଇଛନ୍ତି । ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ପ୍ରଭାତ ଚନ୍ଦ୍ର ନାୟକ, ଡାକ୍ତର ସଂଗ୍ରାମ ବ୍ରହ୍ମଙ୍କ ନେତୃତ୍ୱରେ ଯାଇଥିବା ଡାକ୍ତରୀଦଳ ପକ୍ଷରୁ ସେମାନଙ୍କ ପ୍ରାଥମିକ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ପ୍ରତି ପଞ୍ଚାୟତର ସରପଞ୍ଚ, ପିଇଓ ଏବଂ ଜିଆରଏସ ମାନେ ସେମାନଙ୍କ ଖାଇବା, ପିଇବା ଆଦି ବୁଝିବା ସହିତ ସରକାରଙ୍କ ଘୋଷଣା ଅନୁଯାଇ ସେମାନଙ୍କ ଯତ୍ନ ନେବାକୁ ବିଡିଓ ନିର୍ଦ୍ଦେଶ ଦେଇଛନ୍ତି । ସେମାନେ ଯାଇ ବାହାରେ ଯେପରି ନବୁଲନ୍ତି ସେଥିପାଇଁ ପୁଲିସ ପକ୍ଷରୁ ସେମାନଙ୍କୁ ତାଗିଦା କରାଯାଇଛି । ସେମାନଙ୍କୁ ସୁରକ୍ଷିତ ଭାବେ ବିଭିନ୍ନ କେନ୍ଦ୍ରକୁ ନେବାପାଇଁ କୌଣସି ବ୍ୟବସ୍ଥା କରାଯାଇ ନଥିବାରୁ କିଛି ସମୟ ପାଇଁ ବଡରମ୍ପାସ ଠାରେ ଉତ୍ତେଜନା ପ୍ରକାଶ ପାଇଁଥିଲା । ସେମାନେ ଭଡାରେ ଆଣିଥିବା ବସ ଦ୍ୱାରା ପ୍ରତ୍ୟେକ କେନ୍ଦ୍ରକୁ ସେମାନଙ୍କୁ ନିଆଯାଇଥିଲା । ଏଠାରେ ସୁଚନାଯୋଗ୍ୟ ଯେ ଯେ ହାଟଡିହି ବ୍ଲକର କିଛି ଲୋକ ସୁରଟରେ ରହି କାମ କରୁଥିବାବେଳେ କରୋନା ମହାମାରୀ ଯୋଗୁଁ ସେମାନଙ୍କ କମ୍ପାନୀରେ କାମ ବନ୍ଦ ହୋଇଯିବାପରେ ସେମାନେ ସୁରଟରେ ହାତବାନ୍ଧି ବସି ରହିଥିଲେ । ଲକଡାଉନ ଯୋଗୁଁ ଗାଡି ଚଳାଚଳ ବନ୍ଦ ହୋଇଥିବା ଯୋଗୁଁ ସେମାନେ ଘରକୁ ଆସିପାରୁ ନଥିଲେ । ସୁରଟର ବିଭିନ୍ନ ସ୍ଥାନରେ କରୋନା ଭୁତାଣୁ ଦିନକୁ ଦିନ ବ୍ୟାପୁଥିବାରୁ ଏହି ଶ୍ରମିକମାନେ ଭୟଭୀତ ଅବସ୍ଥାରେ ଥିଲେ । ରାଜ୍ୟ ସରକାର ଗୁଜୁରାଟ ସରକାରଙ୍କ ସହିତ କଥାହୋଇ ପ୍ରବାସୀ ମାନଙ୍କୁ ଓଡିଶା ଫେରାଇ ଆଣିବାକୁ ଉଦ୍ୟମ ଆରମ୍ଭ କରିବାପରେ କେନ୍ଦୁଝର ଜିଲ୍ଲା ଏହି ପିଲାମାନେ ଘରକୁ ଆସିବାପାଇଁ ଯୋଜନା କରିଥିଲେ ।